ପୃଷ୍ଠା:Prachina Odia Kabita.pdf/୩୩୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମାନସରୋବରେ ହେମ ପଦ୍ମପରେ ଶୋଭା କି ମତ୍ତ ରାଜହଂସ,
କନକ ପାଚିରୀ ସାଗର ଭିତରେ ମଧ୍ୟରେ ଦ୍ୱାରାବତୀ ଦେଶ,
ସେପୁର, ବଚନେ କେ କହୁ ଉପାମି,
ମହୀମଣ୍ଡଳେ ପ୍ରକାଶ ହୋଇଅଛି ବିବିଧ ରତ୍ନଜାତ ଭୂମି ।
ଅବନୀ ଗଗନ ଶେଷଭାଗେ କି ସେ ଉଦେ ଶରଦ ଶୀତକର,
ହଂସଗମନୀ ମନସିନ୍ଧୁ ସାନନ୍ଦ ପ୍ରକାଶେ ଲୋଚନ-ଚକୋର ।
ସେ ପୁରେ, ଅଠର ବଂଶ ଲୋକମାନ,
ରାଜା ଉଗ୍ରସେନ ଆଦି ଅନୁସରି ଦେଖିଲା ମୁକୁନ୍ଦ-ସଦନ ।୬୦।
ମନ ମଦନ-ବିଧୁର ପାଶୋରିଲା ପରମବ୍ରହ୍ମ ପୁରେ ପଶି
ଷୋଳ ସ‌ସ୍ରଶଏ ଅଷ୍ଟଦିବ୍ୟପୁର ରମଣୀ ଚାହିଁଲା ବଶେଷି ।
ଅବଳା, (ସେ ଯେ) ବସୁଦେବ ଦେଖି ହରଷ,
ରାମ କୃଷ୍ଣ ତାଙ୍କ ସନ୍ନିଧେ ଦେଖିଣ ଉତ୍ସୁକ ଲଜେ ହସ ହସ ।
ଯୋଗୀନ୍ଦ୍ର ହର-ତପ ହତ କାମକୁ ଅଙ୍ଗୁଳି ଘେନି ଦେଖାବନ୍ତେ,
କୁରଙ୍ଗୀଲୋଚନୀ ଲାଜେ ସଙ୍କୁଚିତ ତନୁ ଓହାଡ଼ିଲା ପଣନ୍ତେ ।
ବାଳା ଯେ, ତହୁଁ ଦେଖିଲା ଅନିରୁଦ୍ଧ,
ଅପାଙ୍ଗେ ଚାହିଁ ପୁଲକିତ ହୋଇଲା ନ ଚାହିଁ ଚାହିଁବାକୁ ଶଧ ।
କପୋଳପାଳୀ ପୁଲକ ମୁକୁଳିତ ଉଲସି ଉଠେ କଳେବର,
କନକ କଦଳୀଜଘନ ସ୍ତମ୍ଭିତ, କମ୍ବୁ କଣ୍ଠରେ ସ୍ୱେଦ ନୀର । । ୭୦ ।
ବାଳା ଯେ, (ତାର)ଲପନ ବିମ୍ବ ବିକାଶିଲା,
ବିପୁଳ ସଘନ ପୀନ ପୟୋଧର ସଧୀରେ କମ୍ପି ଆଭାସିଲା |
ଚଟୁଳତର ତରଳ ଦୃଗଞ୍ଚଳ ବଲ୍ଲଭ ବଦନେ ପଡ଼ିଲା,
ମାଳତୀ ମଧୁର ମଧୁରସେ କିୟେ ମଧୁକର ମତି ବୁଡ଼ିଲା ।
କ୍ରପା ଯେ, (ତାକୁ) ବିଯୋଗ କରେ ପୁଣ ପୁଣି,
ଚାରୁ ମନୋରଥ ତା'ସଙ୍ଗେ ବିବାଦ ସେନେହ କରେ ଆଣି ଆଣି ।
ଅଶେଷ-ରମଣୀ-ଶିରୋଭୂଷାମଣି ଧଇର୍ଯ୍ୟ ମନେ ନ ମଣିଲା ।
ଲୋଚନ ପଥେ ମନକୁ ଯୋଗକରି ଚିତ୍ରଶୋଭା ବେଗେ ଆଣିଲା ।
ସ୍ନେହରେ, (ତାକୁ) ହୃଦୟତଟରେ ବସାଇ,
ହାଇ ବାଇ, କର ହୃଦରେ ଭିଡ଼ିଲା ମୁଖେ ମୁଖ ମନ ମିଶାଇ । ୮୦ ।