ପୃଷ୍ଠା:Prachina Odia Kabita.pdf/୩୩୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

୧୬ଶ-୧୭ଶ ଶତାବ୍ଦୀ


ପ୍ରେମଲୋଚନା
ବିଷ୍ଣ ଦାସ
(ରାଗ-ମଙ୍ଗଳଗୁଜ୍ଜରୀ)

ଏଥୁଅନ୍ତେ କନ୍ୟା ଘେନି ମଧୁବତୀ ରାୟେ
ମଧୁବତୀ ନଗରକୁ ବାହୁଡ଼ା ବିଜୟେ ଯେ ।
ଚତୁର୍ଥୀ ସପ୍ତମଙ୍ଗଳା ବିଧିରେ ସରିଲା
ମାସେ ପଚିଶ ଦିବସେ ପ୍ରବେଶ ହୋଇଲା ଯେ ।
ମଧୁବତୀ ନଗରରେ ଶୁଣି ସର୍ବଜନ
ଉଚ୍ଛବ କରି ମଣ୍ଡିଲେ ଯେ ଯାହା ଭୂବନ ଯେ ।
ସହଜେ କନକ ଚୁମି ଅଷ୍ଟରତ୍ନ ପୁର
କେବଳ ମଣ୍ଡିଲେ ପାଟପତନୀ ଚିରାଳ ଯେ ।
ନବର ବାହାରେ ସିଂହଦ୍ୱାର ସରିଯାୟେ
ଚନ୍ଦ୍ରାତପମାନ ସେ ବାନ୍ଧିଲେ ଏକ ଦେହେ ଯେ । । ୧୦ ।
ପୁରଦ୍ୱାରେ ମରକତ ତୋରଣା ବିରାଜେ
ଚନ୍ଦ୍ରଧନୁ ପ୍ରାୟେ ଦିଶେ ପାଟବସ୍ତ୍ର ତେଜେ ଯେ ।
ଅବନୀ ଗଗନ ପୁଣ୍ୟଫଳ କିୟେ ପୁର
ଅଳକା ଅମରାବତୀ ପୁର ଦର୍ପହର ଯେ ।
ଚନ୍ଦ୍ରବଦନୀ ଚଞ୍ଚଳ ଚମରୀଲୋଚନୀ
କେତକୀବରନୀ କେହୁ ଦାଡ଼ିମଦଶନୀ ଯେ ।
ନଗର ନାରୀ ନିକର ହୋଇଲେ ବାହାର
ଛାଡ଼ିଲେ ଗୃହ କୀରତି ମନ୍ଦାକ୍ଷ-ବେଭାର ଯେ ।
ଦେଖନ୍ତି ନରେନ୍ଦ୍ର ଦାଣ୍ତେ ରଥପରେ ବସି
କୋଳରେ କମଳମୁଖୀ ନବୀନ-ସୁକେଶୀ ଯେ । । ୨୦ ।
ଲାବଣ୍ୟ-ସାଗରୁ ଚନ୍ଦ୍ରବଦନୀ କି ଜାତ
ଇନ୍ଦ୍ର କି କୋଳେ ବସାଇ ଅଛନ୍ତି ତଡ଼ିତ ଯେ ।