ପୃଷ୍ଠା:Prachina Odia Kabita.pdf/୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଉପୋଦ୍‌ଘାତ

ଖ୍ରୀଷ୍ଟୀୟ ଦଶମ-ଏକାଦଶ ଶତାବ୍ଦୀର "ଆଶ୍ଚର୍ଯ୍ୟ ଚର୍ଯ୍ୟାଚୟ"(?) ବା 'ଚର୍ଯ୍ୟାପଦ' ଯୁଗରୁ ୧୬ଶ-୧୭ଶ ଶତାବ୍ଦୀ ପର୍ଯ୍ୟନ୍ତ ଆଦି-ମଧ୍ୟ-ଯୁଗର ଓଡ଼ିଆ କାବ୍ୟ ସମ୍ପଦର କେତେକ ନିର୍ବାଚିତ ଅଂଶ ଏହି ସଂଚୟନରେ ସମ୍ପୁଟିତ ହୋଇଅଛି । ରସାମୋଦୀ ତ‌ଥା ଜିଜ୍ଞାସୁ ପାଠକମାନଙ୍କର ଆଦି-ମଧ୍ୟଯୁଗର ଓଡ଼ିଆ କାବୈଶ୍ୱର୍ଯ୍ୟ ସ‌ହିତ ଏହା କେତେକ ପରିମାଣରେ ପରିଚିତ କରାଇବ-ସନ୍ଦେହ ନାହିଁ ।

ଆଧୁନିକ ଯୁଗର ଓଡ଼ିଆ କାବ୍ୟ-ସମ୍ପଦ ଅନ୍ୟ ଭାରତୀୟ ଭାଷାର କାବ୍ୟ-ସମ୍ପଦ ସ‌ହିତ ଗୁଣାତ୍ମକ ଦୃଷ୍ଟିରୁ ନ୍ୟୁନ ନୁହେଁ । କିନ୍ତୁ ମଧ୍ୟଯୁଗୀୟ ଓଡ଼ିଆ କାବ୍ୟ-ସମ୍ପଦର ଐଶ୍ୱ‌ର୍ଯ୍ୟ ଭାରତୀୟ ସାହିତ୍ୟରେ ଯଥାର୍ଥରେ ଅତୁଳନୀୟ । ସାରଳାଦାସଙ୍କୁ ଖ୍ରୀଷ୍ଟୀୟ ପଞ୍ଚଦଶ ଶତାବ୍ଦୀରେ ସ୍ଥାପିତ କରାଯାଇଅଛି; ଯଦ୍ୟପି ବେଲିଗାଲିନୀ ଶିଳାଲେଖର ପ୍ରମାଣ ଦୃଷ୍ଟିରୁ ସେ ସୂର୍ଯ୍ୟବଂଶୀ ସମ୍ରାଟ କପିଳେନ୍ଦ୍ର ଦେବଙ୍କର(୧୫ଶ ଶତାବ୍ଦୀ) ପୂର୍ବବର୍ତ୍ତୀ ମଧ୍ୟ ହୋଇପାରନ୍ତି । ସାରଳାଦାସ ଓଡ଼ିଆ ସାହିତ୍ୟର ଆଦିକବି ରୂପେ ସ୍ୱୀକୃତ ଓ ସମ୍ମାନିତ । କିନ୍ତୁ ସାରଳାଦାସଙ୍କ ପୂର୍ବରୁ ଓଡ଼ିଆରେ ସାହିତ୍ୟ ରଚନାର ଅନୁଶୀଳନ ନଥିଲେ, ସାରଳା ପ୍ରାଥମିକ ପ୍ରଚେଷ୍ଟାରେ "ମହାଭାରତ" ପରି ଏକ ବିଶାଲ, ମୌଳିକ, କାବ୍ୟ-ରସାଣିତ ଗ୍ରନ୍ଥ ରଚନା କରିପାରି ନ‌ଥାନ୍ତେ । ବତ୍ସାଦାସଙ୍କ 'କଳସା ଚଉତିଶା' ଓ ମାର୍କଣ୍ଡଦାସଙ୍କ "କେଶବ କୋଇଲି"ରେ ବ୍ୟବ‌ହୃତ 'କ୍ଷନ୍ଦଣି' 'ବନ୍ଦଣି' ପରି ଶବ୍ଦ ସାରଳାଙ୍କ ପୂର୍ବକାଳୀନ ଲୁପ୍ତ ଓଡ଼ିଆ ଶବ୍ଦ, ଏଥିରେ ସନ୍ଦେହ ନାହିଁ । ତୁଳନାତ୍ମକ ସାହିତ୍ୟ-ଇତିହାସ