ପୃଷ୍ଠା:Prachina Odia Kabita.pdf/୭୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୬୦
ପ୍ରାଚୀନ ଓଡ଼ିଆ କବିତା
 

ବ୍ରାହ୍ମଣ ବେଦ ପାଶୋରିଲେ । ଯେମନ୍ତ ହ୍ୱନ୍ତି ପଚାରିଲେ
ଜଗତ ବନ୍ଧୁ ମେଘମାଳେ । ବିଜୁଳି ନ ରହେ ନିଶ୍ଚଳେ ।
ଗୁଣୀ ପୁରୁଷଙ୍କର ତୁଲେ । ବିଟପୀ ମନ ଯେହ୍ନେ ଟଳେ ।
ଶବଦ ତୁଲେ ଇନ୍ଦ୍ର ଚାପ । ଗ‌ଗନେ ଶ୍ୱେତ ସାର ରୂପ । ।୩୦।
ଗର୍ଜନ୍ତି ଗୁଣେ ହୋଇ ଯୁତେ । ନିର୍ଗୁଣ ପୁରୁଷ ଯେମନ୍ତେ ।
ଚନ୍ଦ୍ର ନ ଦିଶେ ମେଘାଛନ୍ନେ । ମିଥ୍ୟା ବଚନେ ସତ୍ୟ ଯେହ୍ନେ ।
ମୟୂରେ ଗିରି ପୁଷ୍ଠେ ଥାଇ । ନୃତ୍ୟ କରନ୍ତି ମେଘ ଚାହିଁ ।
ଅତିଥି ଦେଖି ବିଦ୍ୱଜ୍ଜନେ । ଯେସନେ ତୋଷ ହ୍ୱନ୍ତି ମନେ ।
ବୃକ୍ଷଙ୍କ ମୂଳେ ଜଳରାଶି । ଫଳ ପଲ୍ଲବ ଯେ ପ୍ରଶଂସି ।
ତପର ଅନ୍ତେ ଫଳ ପାଇ । ତପସ୍ୱୀ ଯେହ୍ନେ ତୁଷ୍ଟ ହୋଇ ।
ବରଷା ଦେଖି ନର ନାରୀ । ଯେସନେ ଗୃହ ବାସ କରି ।
ଜଳ ପ୍ରବାହେ ବନ୍ଧ ଭାଙ୍ଗେ । ଯେହ୍ନେ ପାଷାଣ୍ତେ ବେଦମାର୍ଗେ ।
ମେଘ ପବନ ଯୋଗେ ବଢ଼ି । ଅମତ ପ୍ରାୟ ଜଳ ଛାଡ଼ି ।
ବିପ୍ରଙ୍କ ବୋଲେ ମହୀପାଳେ । ଯେହ୍ନେ ଦିଅନ୍ତି ଦାନ କାଳେ । ।୪୦।
ବରଷା ରସେ ବନ ଭୂଇଁ । ଖର୍ଜୁର ଜମ୍ବୁମୟ ହୋଇ ।
ଗୋରୁ ଗୋପାଳ ସଙ୍ଗେ ଘେନି । ବନେ ବିଜୟ ଅନ୍ତର୍ଯ୍ୟାମୀ ।
ଗାଈଏ ସ୍ତନଭର ହୋଇ । କର୍ଦମେ ନ ପାରନ୍ତି ଯାଇ ।
କୃଷ୍ଣର ଡ଼ାକ ଶୁଣି କର୍ଣ୍ଣେ । ନିକଟେ ମିଳିଲେ ବ‌ହନେ ।
ବନରେ ଯେତେ ଜନ୍ତୁ ଥିଲେ । ଗିରି କାନନ ଆଶ୍ରେ କଲେ ।
ସକଳ ବୃକ୍ଷେ ମଧୂ ଦ୍ରବ୍ୟ । ବରଷା ଋତୁର ସ୍ୱଭାବ ।
ଗାଈ ଚରାନ୍ତି ବୃନ୍ଦାବନ । ଭକ୍ଷନ୍ତି କନ୍ଦମୂଳମାନ ।
ବସନ୍ତି ବୃକ୍ଷଙ୍କର ତଳେ । ଦିନ ହରନ୍ତି ବୃଷ୍ଟିବେଳେ ।
ଦଧି ଅନ୍ନହିଁ ଘରୁ ଆଣି । ଜଳ ନିକଟେ ଚକ୍ରପାଣି ।
ଗୋପାଳ ମେଳେ ବେନି ଭାଇ । ଭୁଞ୍ଜନ୍ତି ଶିଳାପରେ ଥୋଇ । ।୫୦।
କୋମଳ ଘାସେ ପଶୁମାନେ । ଶୁଅନ୍ତି ନିଦ୍ରିତ ଲୋଚନେ ।

('ଭାଗବତ', ଦଶମସ୍କନ୍ଦ, ୧୧ଶ ଅଧ୍ୟାୟରୁ ଗୃହୀତ)