ପୃଷ୍ଠା:Prachina Odia Kabita.pdf/୮୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଫୁଲତୋଳା
ଜଗନ୍ନାଥ ଦାସ
ଚନ୍ଦ୍ରମା ବଦନୀ ରାଈ, ଫୁଲ ତୋଳିବାକୁ ଶରଧା ହୋଇ ଗୋ,
କୃଷ୍ଣଙ୍କୁ ମଣ୍ଡିବା ପାଇଁ, ସଜନୀ ଗୋ |
ହାର ଧରାଧରି ହୋଇ, ହଂସଗମନୀ ଏକମେଳ ହେଇ ଗୋ,
ହେଲେ ଫୁଲବନେ ଯାଇ, ସଜନୀ ଗୋ ।
କର ଅଙ୍ଗୁଳି ଦେଖାଇ, ଚିହ୍ନାଇ ଦିଅନ୍ତି ବିଶାଖା ସହି ଗୋ,
ସବୁରି ନାମ ଶୁଣାଇ, ସଜମୀ, ଗୋ |
ଶୁଣରେ ଜୀବନ ଧନ, କି ଶୋଭା, ଦିଶୁଛି ରଙ୍ଗିଣୀ ବନ ଗୋ,
କୁଙ୍କୁମ ମିଶାଇ ଘେନ, ସଜନୀ ଗୋ ।
ଏ ଯେଉଁ ମରୁଆ ଆଭା, ନବଜଳଧର ଏହାକୁ ଲୋଭା ଗୋ,
ମଣ୍ଡିଲେ ଦିଶିବ ଶୋଭା, ସଜନୀ ଗୋ । । ୧୦ ।
ଏହି ଯେ ଗ°ଗଶିଉଳି, ବାଛି ତୋଳି ଘେନ ସକଳ ବାଳୀ ଗୋ,
କରିବା ପୁଷ୍ପଅଂଜଳି, ସଜନୀ ଗୋ ||
କାହିଁକି ଯାଉଛ ସଖି, ସେବତୀ ଏଠାରେ ହୁଏ ଉନ୍ମୁଖି ଗୋ,
ତୋଳୁ ଥାଅ ସର୍ବେ ରଖି, ସଜନୀ ଗୋ |
କୃଷ୍ଣ ଗଳାକୁ ମାଳ, କି ଶୋଭା ଦଶଇ ଅତି ସୁନ୍ଦର ଗୋ,
କଦମ୍ବ ଫୁଲକୁ ତୋଳ, ସଜନୀ ଗୋ ।
ଏ ଯେଉଁ ଚମ୍ପା କୁସୁମ, ଚମ୍ପା ବରନୀ ସବୁ ବାଛି ଘେନ ଗୋ,
ମଣ୍ଡିବା ନନ୍ଦନନ୍ଦନ, ସଜନୀ ଗୋ ।
ଦେଖ ଏ ବାଢ଼ କୁସୁମ, ଗାଢ଼ ସୁରତି କାଳେ ଅନୁପମ ଗୋ,
ଦିଶୁଥିବ ମନୋରମ, ସଜନୀ ଗୋ | ।୨୦।
ନାଗେଶ୍ୱର ଫୁଲ ଏହି, ନାଗର ବରଙ୍କୁ ଭେଟିବା ନେଇ ଗୋ,
ମଣ୍ଡିବା କଳାକହ୍ନାଇ, ସଜନୀ ଗୋ |
କୁନ୍ଦଦନ୍ତି ପୁଣ ଶୁଣ, ଏ କୁନ୍ଦ ଫୁଲର ବହୁତ ଗୁଣ ଗୋ,
କୁବେଲି ମିଶାଇ ଘେନ, ସଜନୀ ଗୋ ।
ନନ୍ଦ ନନ୍ଦନ ଦୁଲଣା, ଦୟଣା ଫୁଲକୁ ଶରଧା ସିନା ଗୋ,
ମାଳେ ମାଳେ ଗୁନ୍ଥ କିନା, ସଜନୀ ଗୋ ।