ପୃଷ୍ଠା:Prachina Odia Kabita.pdf/୯୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଅବଧୂତ ଉପାଖ୍ୟାନ
ଜଗନ୍ନାଥ ଦାସ

ବୋଲନ୍ତି କମଳଲୋଚନ । ଉଦ୍ଧବ ଶୁଣ ମୋ ବଚନ ।
ଯେ ପ୍ରାଣୀ ବେଦ ତତ୍ତ୍ୱ ଜାଣେ । ମୋର ମହିମା ପରିମାଣେ ।
ବିତର୍କେ ଭ୍ରମଇ ସଂସାରେ । ଆତ୍ମାକୁ ଆପଣେ ଉଦ୍ଧରେ ।
ସୁମତି ଆତ୍ମା ଗୁରୁ ପଣେ । ଆତ୍ମାକୁ ବୁଝାଇ ଆପଣେ ।
ଆତ୍ମାରେ କରେ ଆତ୍ମଜ୍ଞାନ । କେବଳ ଚିତ୍ତେ ଅନୁମାନ ।
ଆତ୍ମା କୁଶଳେ ସର୍ବ ସିଦ୍ଧି | ତରଇ ସଂସାର ଜଳଧି ।
ଜ୍ଞାନ ବୁଝାଇ ଧୀର ପଣେ । ଆତ୍ମା ସମାଧି ଅଭ୍ୟାସଣେ ।
ଆତ୍ମାକୁ ଦେଖେ ସର୍ବଭୂତେ | ନିର୍ଲେପ ସର୍ବ ଶକ୍ତିଯୁତେ ।
ଏବେ ତା କହିବା ବିଶ୍ୱାସେ | ଯେ ପୁରାତନ ଇତିହାସେ ।
ଯଦୁରାଜନ ଅବଧୂତ । ଏ ବେନି ଜନଙ୍କ ଚରିତ । ୧° ।
ବ୍ରାହ୍ମଣ ଅବଧୂତ ରୂପେ | ମିଳିଲେ ନୃପତି ସମୀପେ ।
ସେ ସର୍ବଭୂତେ ଦୟାପର | ନିର୍ଭୟ ନିର୍ମଳ ଶରୀର ।
ଦେଖି ତାହାଙ୍କ ଦିବ୍ୟ ଜ୍ୟୋତି | ବିଶ୍ୱାସେ ପୁଚ୍ଛଇ ନୃପତି ।
ଭୋ ମୁନି ନମେ ତୋ ଚରଣେ | ଏକାନ୍ତେ ଭ୍ରମୁ କି କାରଣେ |
ଦୃଷ୍ଟି ଶ୍ରବଣ ଦେହ ବହି । ନ ଦେଖି ନ ଶୁଣୁ କିପାଇଁ ।
ଏ ସର୍ବ ଲୋକ ଭବକୂପେ | ନିତ୍ୟେ ଦଗଧ ନାନା ତାପେ ।
ଏହାଙ୍କ ମଧ୍ୟେ ତୁ ଯେ ଥାଇ । ସାଧୁ ସୁନ୍ଦର ଦେହ ବହି ।
କିମ୍ପା ସଂସାର ତାପ ତୋତେ । ନ ବାଧେ ସନ୍ଦେହ ମୋ ଚିତ୍ତେ ।
ଯେମନ୍ତେ ଗଙ୍ଗାଜଳେ ହସ୍ତୀ । ଅଙ୍ଗକୁ ନ ଲାଗେ ତପତି ।
ସେହି ପ୍ରକାରେ ତୋର ଦେହ । ସ୍ପର୍ଶ ବିହୀନ କପାଁ କହ । ୨° ।
ଏଥେ କେବଣ ପ୍ରୟୋଜନ । ଶୁଣି ଆନନ୍ଦ ହେଉ ମନ ।
ରାଜା ବଚନେ ଅବଧୂତ । କ୍ଷଣେ ହୋଇଲେ ସ୍ତମ୍ଭୀଭୂତ ।
ରାଜାର ମୁଖ ଚାହିଁ ଧୀରେ । ବୋଲନ୍ତି ବଚନ ଗମ୍ଭୀରେ ।
ଶୁଣ ହେ ଯଦୁ ନୃପବର । ଅନେକ ଗୁରୁ ଛନ୍ତି ମୋର |
ଶ୍ରବଣେ ଯେବେ ଇଚ୍ଛା ତୋର । ଯା ଠାରୁ ଯେ ଦୀକ୍ଷା ମୋହର ।
ଘେନି ମୁଁ ବୁଲଇ ସଂସାରେ । କହିବା ଶୁଣ ମନ ସ୍ଥିରେ ।