ପୃଷ୍ଠା:Prachina Odia Kabita.pdf/୯୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୮୪
ପ୍ରାଚୀନ ଓଡ଼ିଆ କବିତା
 

ପୃଥିବୀ ପବନ ଅନଳ । ବାଳକ ଆକାଶ ମଣ୍ଡଳ ।
ରବି ଶଶାଙ୍କ ଆପ ସିନ୍ଧୁ । କୁଞ୍ଜର ସର୍ବ ପୁଷ୍ପବନ୍ଧୁ ।
କପୋତ ପକ୍ଷୀ ଗୁରୁ ମୋର | ପତଙ୍ଗ ସର୍ପ ଅଜଗର ।
ମୀନ ପିଙ୍ଗଳ ବେଶ୍ୟା ନାରୀ । କୁରର ବ୍ରାହ୍ମଣ କୁମାରୀ । ୩୦ ।
ହରିଣ ଊର୍ଣ୍ଣନାଭି ଭରି । ଶରକାରକ ମଧୁହାରୀ ।
ଏ ଆଦି କୀଟ ପେଶକୃତ । ଚବିଶ ଗୁରୁ ଏହି ମତ ।
ମୁଁ କରିଅଛି ଗୁରୁ ଏତେ | ଶୁଣ ହୋ ରାଜା ତୋଷ ଚିତ୍ତେ |
ଯାହାର ତହୁଁ ଯେବା ଦୀକ୍ଷା । ମୁହିଁ ପାଇଲି ଗୁରୁଶିକ୍ଷା ।
ଏ ଜୀବ ଆତ୍ମା ପରବେଶେ| ଅଦୃଷ୍ଟ କାରକ ବିଶ୍ୱାସେ |
ଦୁଃଖ ପୀଡ଼ିତ କର୍ମ ଫଳେ । ସ°ସାରେ ଜନ୍ମ ଅବହେଳେ ।
କର୍ମ ଆଦରି ସହେ ଦୁଃଖ । କେବେ ହେଁ ନୁହଇ ବିମୁଖ ।
ଦୃଢ଼େ ନ ଛାଡେ ନିଜ ପଥ । ଚଞ୍ଚଳ ନ କରିଣ ଚିତ୍ତ ।
ଏଣୁ ମୁଁ ଦୁଃଖ ସୁଖ ବହି । ଏହା ଶିଖିଲି ପୃଥ୍ୱୀ ତହିଁ ।
କର୍ମ କଷଣ ସହି ଧୀରେ । ଭ୍ରମଇ ସଂସାର ସାଗରେ । ୪୦ ।
ଧନ୍ୟ ଜୀବନ ଏ ଜଗତେ | ଯେ ପ୍ରାଣ ଧରେ ପରହିତେ ।
ଧନ୍ୟ ଜୀବନ ଧନ୍ୟ ତା'ର । ଦୁର୍ଲ୍ଲଭ କର୍ମ ଏ ବେଭାର ।
ଏହା ମୁଁ ବୃକ୍ଷଙ୍କର ସ୍ଥାନେ । ଶିଖିଲି ପର୍ବତ ଗହନେ |
କେବଳ ଦେହ ମାତ୍ର ଧରି | ଇନ୍ଦ୍ରିୟ ତର୍ପଣ ନ କରି ।
ଜ୍ଞାନ ଉଦ୍ଦେଶ୍ୟ ଶୁଦ୍ଧ ମନ । ନ କରି ମାୟା ଜଡ଼େ ଛନ୍ନ ।
ନ ଘେନି ପର ଗୁଣ ଦୋଷ । ଇନ୍ଦ୍ରିୟ ଭୋଗ ସୁଖ ଲେଶ ।
ଅସତ୍ୟ ଭୋଗ ଯେବେ ଥିବ । ସର୍ବଦା ତାହା ନ କରିବ ।
ଦେଖ ପବନ ଏ ଶରୀରେ । ବହଇ ଅନ୍ତର ବାହାରେ ।
ସର୍ବତ୍ରେ ବସଇ ଶରୀରେ । ଏ ଦେହୁ ସର୍ବ ଗନ୍ଧ ହରେ ।
ଏଣୁ ସକଳ ଦେହେ ଥାଇ । ଉଦାସୀ ଜନ ପ୍ରାୟ ହୋଇ । ୫୦ ।
କାହାରି ସଙ୍ଗେ ସଙ୍ଗ ନୁହେ । ସମେ ବସଇ ସର୍ବ ଦେହେ ।
ଏହା ମୁଁ ପବନୁ ବିଚାରି । ଶିଖିଲି ଗୁରୁ ଶିକ୍ଷା କରି ।
ଏଣୁ ପବନ ପ୍ରାୟ ହୋଇ । ସଙ୍ଗତେ ଥାଇ ନ ମିଶଇ ।
ମେଘ ଯେ ଶୂନ୍ୟୁ ଜନ୍ମ ହୋଇ । ଶରୀରେ ଆକାଶ ଢ଼ାଙ୍କଇ ||