ପୃଷ୍ଠା:Prachina Odia Kabita.pdf/୯୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୫ଶ-୧୬ଶ ଶତାବ୍ଦୀ
୮୫
 

ଭୂମି ଲୋକଙ୍କୁ ଛାୟା ଦିଶେ । ସେ ଯେହ୍ନେ ଆକାଶେ ନ ମିଶେ ।
ତେସନେ ଆତ୍ମା ଦେହ ତୁଲେ । କଦାଚ ନ ମିଶଇ ଭଲେ ।
ଏଣୁ ଆକାଶ ଗୁରୁ କରି । ଅବନୀ ମଧ୍ୟେ ଦେହ ଧରି ।
ଆନନ୍ଦେ ଭ୍ରମଇ ସଂସାରେ । ସ୍ପରଶ ନ କରି କାହାରେ ।
ଏଣୁ ଆକାଶ ଗୁରୁ ମୋର | ଏବେ ହୋ ଶୁଣା ନୃପବର !
ମଧୁର ସୁରୁଚି ବଚନ । ଶୁଣି ହରଷ ସର୍ବଜନ । ୬୦।
ତୀର୍ଥ ସ୍ପରଶେ ଲୋକବୃନ୍ଦ । ଯେସନେ ଲଭନ୍ତି ଆନନ୍ଦ ।
ସ୍ନାହାନ ଦର୍ଶନ କୀର୍ତ୍ତନେ | ପବିତ୍ର ହୋନ୍ତି ପ୍ରାଣିମାନେ |
ସେ ଅନୁଭବେ ମୋର ଶିକ୍ଷା । ଜଳୁ ଶିଖିଲି ଗୁରୁ ଦୀକ୍ଷା ।
ତୀର୍ଥର ପ୍ରାୟେ ଭବ ବଣେ | ଭ୍ରମଇ ଜନ ପରିତ୍ରାଣେ ।
ଦେଖ ତୁ ମୋର କଳେବର । ସୁଦୀପ୍ତ ତେଜ ବଳୀୟାର ।
କେବଳ ପାତ୍ର ମୋ ଉଦର । ଏଣୁ ମୁଁ ଲୋକେ ଭୟଙ୍କର ।
କେବଳ ଧ୍ୟାନ ଯୋଗ ବଳେ । ଭୋଜନ କରେ ସର୍ବ ଘରେ ।
ଏଣୁ ମୁଁ ଅଗ୍ନି ଗୁରୁ କରି । ଲୋକେ ଭ୍ରମଇ ଦେହ ଧରି ।
ଅଗ୍ନି ଯେସନେ ସର୍ବ ଖାଇ । ବିଚାରେ ଗୁଣ ଦୋଷ ନାହିଁ ।
ଜନ୍ମ ଯୌବନ ଜରା ମୃତ୍ୟୁ । ଉଭୟ ଦୁଃଖ ସୁଖ ହେତୁ । ୭୦ ।
ଏ ସର୍ବ ଗୁଣ ବହେ ଦେହ । ଜୀବର ନୁହେଁ ପରିଗ୍ରହ ।
ଚନ୍ଦ୍ରର କ୍ଷୟ ବୃଦ୍ଧି ଯେହ୍ନେ । କୃଷ୍ଣ ଶୁକଳ ପକ୍ଷମାନେ ।
ଲୋକଲୋଚନ ଭ୍ରାନ୍ତି ଦିଶେ । ଅକ୍ଷୟ ଏକ କଳା ଶେଷେ ।
ଜୀବର ଏମନ୍ତ ବେଭାର । ସ୍ୱଭାବେ ଅଜର ଅମର ।
ଏ ଅନୁଭବେ ଚନ୍ଦ୍ର ଚାହିଁ । ଭ୍ରମଇ ଗୁରୁଶିକ୍ଷା ପାଇ ।
ଇନ୍ଦ୍ରିୟଗଣ ଏ ଶରୀରେ । ଭ୍ରମନ୍ତି ବିଷୟା ଗୋଚରେ ।
ଯେ ଯା ବିଷୟ ଅନୁମାନେ । ଭୋଗ କରନ୍ତି ନିଜ ସ୍ଥାନେ ।
ଆତ୍ମାର ସଙ୍ଗ ନାହିଁ ତେଣେ । ଆଦିତ୍ୟ ଯେସନେ କିରଣେ ।
ସକଳ ସ୍ଥାନୁ ରସ ହରେ । ନିର୍ଦ୍ଦୋଷ ନିର୍ଲୋପ ବିଚାରେ ।
କାଳରେ ସମସ୍ତ ତ୍ୟଜଇ । ସଞ୍ଚଇ ଦାନେ କ୍ଷୋଭ ନୋହି । ୮୦ ।
ଏ ଜୀବ ଆତ୍ମା ସର୍ବ ଦେହେ । ଇନ୍ଦ୍ରିୟରସେ ବଶ ନୋହେ ।
ଏ ଅନୁମାନେ ମୋ ବିଚାର । ଏଣୁ ମୋ ଗୁରୁ ଦିବାକର ।