ପୃଷ୍ଠା:Prachina Odia Kabita.pdf/୯୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୫ଶ-୧୬ଶ ଶତାବ୍ଦୀ
୮୭
 

ଶବର ଦେଖି ତାହା ବେଗେ । ଜାଲ ପାତିଲା ଚାରିଦିଗେ |
ଉପରେ ବାନ୍ଧିଲା ଦଉଡ଼ି | ପକ୍ଷୀଙ୍କୁ ଆଣିଲା ଘଉଡ଼ି ।
ଆହାର ଦେଇ ଜାଲ ତଳେ । ଅନ୍ତରେ ବସିଲା ନିରୋଳେ ।
ପକ୍ଷୀ ବାଳକ ଭୟ ପାଇ । ବେଗେ ପଶିଲେ ଜାଲେ ଯାଇ ।
ଆହାର ଦେଖିଲେ ନୟନେ । ପଡିଲେ ଲୁବ୍‌ଧକ ବନ୍ଧନେ |
ତକ୍ଷଣେ କପୋତ କପୋତୀ । ଆସି ମିଳଲେ ବୃକ୍ଷକତି ।
ତୁଣ୍ଡେ ଆହାର ଦୃଢ଼େ ଧରି । ବୃକ୍ଷେ ଲୋଡ଼ନ୍ତି ଅନୁସରି ।
ନ ଦେଖି ଚାହିଁ ଦଶଦିଗେ । ପୁଣି ଦେଖନ୍ତି ଭୂମିଭାଗେ ।
ବନ୍ଧନ ଜାଲ ମଧ୍ୟେ ଦୃଢ଼େ । ବେନି ବାଳକ ଧଡପଡେ |
ଉଡନ୍ତି ପ୍ରାଣର ବିକଳେ । ନାଦ କରନ୍ତି କୋଳାହଳେ । ୧୨୦ |
ଦେଖି କପୋତୀ ଦୁଃଖଚିତ୍ତେ | ଭୂମିରେ ପଡ଼ି ମୋହଗତେ ।
ବାଳକ ଦେଖି ଜାଲ ତଳେ । କାନ୍ଦଇ ଜୀବନ ବିକଳେ ।
ବାଳକ ସ୍ନେହଭର ଆଶେ । ଡେଇଁ ପଡ଼ିଲା ଜାଲ ପାଶେ ।
ପୁତ୍ରଙ୍କ ମୁଖ ମୁଖେଦେଇ । ଦେଖି କପୋତ ବିଚାରଇ ।
ମୁଁ ଏବେ ଏକା ବୃକ୍ଷେ ଥାଇ । କେମନ୍ତେ ଧରିବିଟି ଦେହୀ ।
ଏମନ୍ତେ କରଇ ରୋଦନ । କ୍ଷଣ କ୍ଷଣକେ ଅଚେତନ ।
ପଡଇ ପୁଣ ପୁଣ ତଳେ | ପୁଣି ବସଇ ବୃକ୍ଷଡାଳେ ।
ପ୍ରାଣୁ ଅଧିକ ମୋର ସୁତେ । ପଡ଼ିଲେ ଶବର ଆୟତ୍ତେ ।
ପତ୍ନୀ ପଡ଼ିଲା ଜାଲ ମଧ୍ୟ । ପ୍ରାଣ ଧରିବି କେଉଁ ସଧେ ।
ପତ୍ନୀ ମୋହର ପ୍ରାଣସଖା । ସେ ମୋତେ କରିଗଲା ଏକା । ୧୩୦।
ତାହାର ଗୁଣ ଅଛି ଯେତେ । ଚିତ୍ତେ ମୁଁ ଧରିବି କେମନ୍ତେ ।
ସେ ମୋର ଜୀବନ ଯୁବତୀ । ତା ବିନୁ କିବା ମୋର ଗତି ।
ବିଧି ହୋଇଲା ବାମ ମୋର । ଆପଦେ ବୁଡ଼ିଲା ମୋ ଘର ।
ଏତେ କଷଣେ ବନେ ରହି । ମୋ ପ୍ରାଣ ଥିବା ନ ଯୋଗାଇ ।
ଏ ଘୋର ବନେ ଗୃହୀପଣେ । ମୋ ଜନ୍ମ ଗଲା ଅକାରଣେ ।
ଗୃହ ଆଶ୍ରମେ ମୋ ପୀରତି । କାମେ ନ ପୂରିଲା ମୋ ମତି ।
ବିଧାତା ମୋତେ ବାମ ହୋଏ । ବନ୍ଧନେ ପଡ଼ିଲେ ମୋ ପୋଏ ।
ଏ ପତିବ୍ରତା ଶିରୋମଣି । ମୋହର ପ୍ରାଣର ଘରଣୀ ।