ପୃଷ୍ଠା:Prachina Odia Kabita.pdf/୯୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୫ଶ-୧୬ଶ ଶତାବ୍ବୀ
୮୯
 

ଏ ଧର୍ମ ଅଜଗର ଚାହିଁ । ଶିଖିଲ ଗୁରୁଶିକ୍ଷା ପାଇ ।
ଏଣୁ ପ୍ରସନ୍ନ ଚିତ୍ତ ମୋର । ସ୍ୱଭାବେ ନିର୍ମଳ ଶରୀର ।
କେ ଜାଣିପାରେ ମୋ ଉଦର । ଯେସନେ ଗଭୀର ସାଗର ।
ଏଣୁ ସମୁଦ୍ର ଶିକ୍ଷା ପାଇ । ସାଧଇ ଶିଷ୍ୟ ଭାବ ବହି ।୧୭୦।
ବରଷା ସମୟରେ ନଦୀ । ସମୂହେ ବହନ୍ତି ଆଚ୍ଛାଦି ।
ସେ ଯେହ୍ନେ ମିଳନ୍ତି ଜଳଧି । ତେଣୁ ସେ ନୁହନ୍ତି ଯେ ବୃଦ୍ଧି |
ଗ୍ରୀଷମେ ନାହିଁ ହାନି ତାର । ସର୍ବଦା ସମ ସେହୁ ନୀର ।
ବିଷ୍ଣୁର ମାୟା ମୋହକଳ୍ପ । କପଟେ ହୋଇ ନାରୀରୂପ ।
ସୃଷ୍ଟି ମୋହିନୀ ଦେବୀ ମାୟା । ଘନେ ଯେସନେ ବିଦ୍ୟୁଚ୍ଛାୟା ।
ସେ ରୂପେ ନ କରିବ ସଙ୍ଗ । ଅନଳେ ଯେସନେ ପତଙ୍ଗ ।
ସଂଯୋଗ କଲେ ପ୍ରାଣନାଶ । ଏଣୁ ନୋହିବ ତା ବିଶ୍ୱାସ ।
ପତଙ୍ଗ ତହୁଁ ଏହା ଜାଣି । ଗୁରୁ ବଚନ ପରିମାଣି ।
କାଷ୍ଠ ପିତୁଳା ନାରୀରୂପେ । ଥୋଇବ ଯତିଙ୍କ ସମୀପେ |
ଯତିଏ ତାର ମୁଖ ଚାହିଁ । ଚରଣ ଅଗ୍ରେ ଯେବେ ଛୁଇଁ । ୧୮୦।
ମନ ମନ୍ଥଇ ତାହାଙ୍କର । ଏଣୁ ମନ୍ମଥ ସୁଖଘର ।
ଜଳେ ପାଷାଣ ପ୍ରାୟେ ମଜ୍ଜେ । ଗଜ ବନ୍ଧନ ଯେହ୍ନେ ଗଜେ |
ଏଣୁ କୁଞ୍ଜର ଭାବ ମଣି | ଗୁରୁ ବଚନ ପରିମାଣି ।
ସଙ୍ଗ ନ କରି ନାରୀମେଳେ । ନିର୍ଭୟେ ବୁଲେ ଭୂମିତଳେ |
ଏଣୁ କାମିନୀ ସଙ୍ଗତେଜି । ଜ୍ଞାନେ ବସଇ ଚକ୍ଷୁ ବୁଜି ।
ଧନେ ମୋ ନାହିଁ ପ୍ରୟୋଜନ । ଏଣୁ ଦରିଦ୍ର ମୋ ଜୀବନ |
ଧନ ଅର୍ଜନେ ଯାର ଆଶ । ନିରତେ ଦୁଃଖ ସୁଖ ପ୍ରାସ ।
ଧନ ସଞ୍ଚଇ ରାତ୍ରଦିନ । ନ କରେ ସୁଖ ଭୋଗ ଦାନ ।
ନିରତେ କରଇ ସଞ୍ଚୟ । ପାପୀ କୃପଣ ଦୁରାଶୟ ।
ତାହାର ଧନ ହରେ ଆନେ । ମଧୁ ସଞ୍ଚଇ ମାଛି ଯେହ୍ନେ । ।୧୯୦।
ନ ଦେଇ ନ ଖାଇ ସଞ୍ଚଇ । ତାହାର ମୁଖେ ଅଗ୍ନି ଦେଇ ।
ମଧୁ ଭକ୍ଷଇ ନେଇ ଆନ । ଏଣୁ ମୋ ଗୁରୁ ସେ ରାଜନ ।
ଯେ ଥିବ ବନଚର ମତେ । ଚିତ୍ତ ନ ଦେବ ଗ୍ରାମ୍ୟ ଗୀତେ ।
ନିରତେ ଜ୍ଞାନେ ଥିବ ମନ । ଯୋଗ ସଂଯୋଗେ ଅବଧାନ ।