ପୃଷ୍ଠା:Prachina Odia Kabita.pdf/୯୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଶରଦ ରାସ
ଜଗନ୍ନାଥ ଦାସ
ଶ୍ରୀ ଶୁକ ଉବାଚ ।

ଶୁଣ ପରୀକ୍ଷ ନରନାଥ । କୃଷ୍ଣଚରିତ ଭାଗବତ ।
ଗୋବିନ୍ଦ ବିଚାରନ୍ତି ମନେ | ଆଜ ରମିବା ବୃନ୍ଦାବନେ |
ଷୋଳ ସହସ୍ର ଗୋପନାରୀ । ମୋତେ ବରିଲେ ତପ କରି ।
ମୁଁ ତାଙ୍କ ପୂରୋଇବି ଆଶ । ସେ ମୋର ଭଗତ ବିଶ୍ୱାସ ।
ଅନେକ ଜନ୍ମେ ତପ କରି । ୟେବେ ହୋଇଲେ ଗୋପନାରୀ |
ରମିଣ ଦେବି ନିଜ ପୁର । ଆଜ ମୁଁ କରିବି ନିସ୍ତାର ।
ୟେତେ ବିଚାରି ବନମାଳୀ । ଘେନିଲେ ବିରହ ମୁରଲୀ ।
ସ୍ୱଭାବେ ଶରଦର କାଳ । ପବନ ବହେ ପରିମଳ ।
ଗଗନେ ପ୍ରକାଶିଲା ଶଶୀ । ନିର୍ମଳ ବିରାଜଇ ନିଶି ।
ଫୁଟିଲେ ଜଳ ସ୍ଥଳେ ଫୁଲ । ସୁଗନ୍ଧ ଶୀତଳ ଅମୂଲ୍ୟ । ୧୦।
ଚନ୍ଦ୍ରମଣ୍ଡଳ ଅଖଣ୍ଡିତ । ଦେଖି ଉଷତ ଗୋପୀନାଥ ।
ଲକ୍ଷ୍ମୀର ମୁଖ ପ୍ରାୟେ ଦଶି । କିରଣେ ଦଶ ଦିଗ ତୋଷି ।
କାଳନ୍ଦୀ କୂଳେ ବ୍ରହ୍ମରାଶି । କଦମ୍ବ ତରୁମୂଳେ ବସି ।
ରଜନୀ ଚିର କାଳ କଲେ । ମାୟାପଟଳ ପ୍ରକାଶିଲେ ।
ବୋଇଲେ ହୁଅ ବ୍ରହ୍ମନିଶି । ସହସ୍ର ଯୁଗେ ଯାହା ଘୋଷି ।
ତ୍ରିଭଙ୍ଗୀ ଛନ୍ଦେ ଉଭାହୋଇ । ମୁରଲୀ ଅଧରେ ଲଗାଇ |
ଗୋପୀଙ୍କ ନାମ ଧରି ଧୀରେ । ମୁରଲୀ ଡ଼ାକଇ ସୁସ୍ୱରେ ।
ଗୋପୀୟେ ଥିଲେ ଗୋପପୁରେ । ନାଦ ଶୁଣିଲେ ଯେଝା ଘରେ ।
ଦଣ୍ତେ ଶୁଣିଲେ ସ୍ଥିର କରି । ବେଣୁ ଡାକଇ ନାମ ଧରି |
ଶୁଣି ହୋଇଲେ ଛନଛନ । ବ୍ୟାପାରେ ନ ଲାଗଇ ମନ । ୨୦।
କର ଚରଣ ନ ଚଳଇ । ମଦନେ କମ୍ପୁଅଛି ଦେହୀ ।
ନାଦେ ମୋହିଲେ ବନମାଳୀ । ଷୋଳ ସହସ୍ର ଗୋପବାଳୀ ।
ୟେକକୁ ଆରେକ ଲୁଚାଇ । ଧାଇଂଲେ ଅସମ୍ଭାଳ ହୋଇ ।
ବୋଲନ୍ତି ନ ପୁଣ ୟେ ଜାଣି । ମୋତେ ହୋଇବ ସପତଣୀ ।