ଏହି ପୃଷ୍ଠାଟି ବୈଧ ହୋଇସାରିଛି
ମନ୍ଦିରର ବେଢ଼ା ଖାଲି ସବୁ ଆଜି ଶୂନଶାନ
ଏ ରାତିରେ କେହି ଆଉ ନାହିଁ
ତମ ଅପେକ୍ଷାରେ ତମ ପ୍ରତ୍ୟକ୍ଷର
ସିଂହଦ୍ୱାର ପହରା ଦେଉଛି
ଏଠାର ଏକାକୀ ଦେଖ
ମୁଁ ତମର ଶେଷ ସାମୁରାଇ
ମଲା ଲୋକମାନଙ୍କ ସହିତ ତମ ମନ୍ତ୍ରଣାର ଶେଷ ହେଉ
ତମେ ଆସ ଛମ ଛମ
ରୁପାର ଘୁଙ୍ଗୁର ପିନ୍ଧି ଆଜି ମୋ ସ୍ୱପ୍ନରେ
ଆଜି ସବୁ ଲିଭିଯାଉ ଏ ମନ୍ଦିର ଧୂଳିସାତ ହେଉ
ରାତି ସବୁ ଜଳିଯାଉ ଦେହର ଦାହରେ
ସମସ୍ତ ଆବୃତ କରୁ ରୂପ ବର୍ଣ୍ଣ ସ୍ୱରର ଅନ୍ଧାର
ତମ ହାତ ଅକ୍ଟୋପସ ହୋଇ ମତେ ନିଷ୍ପେଷିତ କରୁ
ତମ ପାଦ ଯୂପକାଠ ହୋଇ ମତେ ବନ୍ଦ କରୁ
ଚିରିଯାଉ ମୋ ହାତର ଦଶଟି ପାଖୁଡା
ତମ ସ୍ତନର କ୍ୟାକଟସ୍ ଲାଗି
ତମ ଦେହ ଚୋରାବାଲି ହୋଇଯାଉ ମତେ ଗ୍ରାସ କରୁ
୫୪ । ପ୍ରଥମ ପୁରୁଷ