ପୃଷ୍ଠା:Pratham Purush.pdf/୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଜଗନ୍ନାଥ ପ୍ରସାଦଙ୍କ 'ପ୍ରଥମ ପୁରୁଷ' - ତାଙ୍କର ପରବର୍ତ୍ତୀ କବିତା ସଂକଳନସବୁକୁ ଏହି କବିମାନଙ୍କ କୃତିର ପରିପୂରକ ଭାବରେ ଗ୍ରହଣ କରାଯାଇପାରେ, ଯଦିଓ ଜଗନ୍ନାଥ ପ୍ରସାଦଙ୍କ କବିତା ଏ ପ୍ରତ୍ୟେକ କବିଙ୍କ କବିତାଠାରୁ ସ୍ୱତନ୍ତ୍ର ।

'ପ୍ରଥମ ପୁରୁଷ' ପୁଣିଥରେ ପାଠକମାନଙ୍କ ନିକଟରେ ପହଞ୍ଚୁ, ଏହାର ପୁନଃ ପ୍ରକାଶନର ଏହା ହିଁ ଲକ୍ଷ୍ୟ । ଯେକୌଣସି ସଫଳ କବିତା ପ୍ରଥମେ ଆନନ୍ଦ ଦିଏ; ପରେ ଏହାର ବ୍ୟାଖ୍ୟା ବା ତର୍ଜ୍ଜମା କରାଯାଇପାରେ । ୧୯୭୧ଠାରୁ ୨୦୧୪ ମଧ୍ୟରେ ଜଗନ୍ନାଥ ପ୍ରସାଦଙ୍କ ସୃଜନ ପ୍ରତିଭା ଯେଭଳି ବହୁଧା ବିକଶିତ ଓ ବିସ୍ତାରିତ, ତାହାର ଆଲୋଚନା ଏଠାରେ ପ୍ରାସଙ୍ଗିକ ନୁହେଁ । ତାଙ୍କ ସମ୍ପର୍କରେ ଲିଖିତ / ସଙ୍କଳିତ ପୁସ୍ତକମାନଙ୍କରେ ତାହା କେତେକାଂଶରେ କରାଯାଇଛି । 'ପ୍ରଥମ ପୁରୁଷ’ରେ ପାଠକମାନେ ସେଦିନର ପଞ୍ଚତିରିଶି ବର୍ଷ ବୟସ୍କ ସେହି ତରୁଣ କବିଙ୍କୁ ଭେଟନ୍ତୁ - ଓ ତାଙ୍କ ମଧ୍ୟରେ ନିଜ ତାରୁଣ୍ୟକୁ ଆବିଷ୍କାର କରନ୍ତୁ । ଏପରି ସମ୍ଭାବନାଟିଏ ଏ ସଂକଳନର ପୁନଃପ୍ରକାଶର ମୁଖ୍ୟ ଉଦ୍ଦେଶ୍ୟ ।

‘ପ୍ରଥମ ପୁରୁଷ'ର ମୂଳପାଠ ସହିତ ଅଧାପିକା ଗିରିବାଳା ମହାନ୍ତିଙ୍କ ମୂଲ୍ୟବାନ ମନ୍ତବ୍ୟ ତଥା ସଙ୍କଳନ ସମ୍ପର୍କରେ ଲିପିବଦ୍ଧ କେତେକ ତଥ୍ୟ ପାଠକମାନଙ୍କର ସହାୟକ ହେବ, ଏହା ନିଃସନ୍ଦେହ ।

ଗଣେଶ୍ୱର ମିଶ୍ର
ଗଜପତି ନଗର, ଭୁବନେଶ୍ୱର-୫