କବି ଜଗନ୍ନାଥ ପ୍ରସାଦଙ୍କ କବିତାର ସ୍ୱାତନ୍ତ୍ର୍ୟ ଓ ସାଫଲ୍ୟ ବିଚାର କାଳରେ ବଙ୍ଗୀୟ କବି ଶ୍ରୀ ଜୀବନାନନ୍ଦ ଦାସଙ୍କ କଥା ସ୍ୱତଃ ମନକୁ ଆସିଥାଏ । ରବୀନ୍ଦ୍ର ପ୍ରତିଭାର ଆଧିପତ୍ୟ କାଳରେ ଆବିର୍ଭୁତ ହୁଅନ୍ତି ଜୀବନାନନ୍ଦ; ସଂପୂର୍ଣ୍ଣ ସ୍ୱତନ୍ତ୍ର ରୂପ ଧରି ସଂପୂର୍ଣ୍ଣ ନୂତନ ବକ୍ତବ୍ୟ ଓ ପ୍ରକରଣରେ ପ୍ରସ୍ତୁତ-ସଜ୍ଜିତ ହୋଇ । କବିଗୁରୁଙ୍କୁ ମହାନ ବୋଲି ସ୍ୱୀକାର କରି, ତାଙ୍କୁ ଅନୁସରଣ କରିବା ପରିବର୍ତ୍ତେ ତାଙ୍କୁ ସଶ୍ରଦ୍ଧ ପାଠ ପୂର୍ବକ ବିନମ୍ର ପ୍ରଣାମ ଜଣାଇ କବିତା ସୃଷ୍ଟି ପାଇଁ ନିଜର ସ୍ୱତନ୍ତ୍ର ପଥ ଜୀବନାନନ୍ଦ ସଜ୍ଞାନରେ ବାଛି ନେଲାପରି ଜଗନ୍ନାଥ ପ୍ରସାଦ ମଧ୍ୟ ସମକାଳୀୟ ଓ ପୂର୍ବବର୍ତ୍ତୀ କବିବୃନ୍ଦଙ୍କୁ ସଶ୍ରଦ୍ଧ ପାଠପୂର୍ବକ, ସେମାନଙ୍କୁ ଅନୁସରଣ କରିବା ପରିବର୍ତ୍ତେ ସେମାନଙ୍କଠାରୁ ଅନୁପ୍ରେରଣା ଗ୍ରହଣ କରି ନିଜର ସ୍ୱତନ୍ତ୍ର ପଥ ତିଆରି କରିନେଇଛନ୍ତି । ତାଙ୍କଠାରେ ସଚ୍ଚିଦାନନ୍ଦୀୟ ଭାବସ୍ୱାଚ୍ଛନ୍ଦ୍ୟ, ଚିତ୍ରକଳ୍ପ ଓ ପ୍ରତୀକର ସୃଷ୍ଟି ଓ ପ୍ରୟୋଗ ନୈପୁଣ୍ୟ ସହ ଗୁରୁପ୍ରସାଦୀୟ ବକ୍ତବ୍ୟ ଓ ଛନ୍ଦ-ସ୍ୱାଚ୍ଛନ୍ଦ୍ୟ, ସମୟ ସମୟ ବିଶେଷରେ ରମାକାନ୍ତୀୟ Quasi-mystical search ଇତ୍ୟାଦି ଲକ୍ଷିତ ହେଉଥିଲେ ହେଁ ଏମାନଙ୍କ ମଧ୍ୟରୁ କାହାରି ପ୍ରଭାବରେ ସେ ଆଚ୍ଛନ୍ନ ହୋଇନାହାନ୍ତି; ବରଂ ତାଙ୍କର କବିତା ସମୂହ ଏମାନଙ୍କ କବିତାର ସମଶ୍ରେଣୀୟ ଓ ସମକକ୍ଷ । ଯଦିବା କିଛି ସାମ୍ୟ ଲକ୍ଷିତ ତାହା କେବଳ ଯୁଗଧର୍ମଗତ ଓ ସମକାଳୀନତାଗତ ସାମ୍ୟ ମାତ୍ର । 'ପ୍ରଥମ ପୁରୁଷ’ର କବିତାଗୁଡ଼ିକ ବ୍ୟକ୍ତିଗତ କବିତା – ଯେଉଁଠି ସମଷ୍ଟି ଅପେକ୍ଷା ବ୍ୟକ୍ତିର ଅନୁଭବସିଦ୍ଧ ଘଟଣାର ଗୁରୁତ୍ୱ ଅଧିକ । କବିତାଗୁଡ଼ିକର କେନ୍ଦ୍ର ସତ୍ତା ମୁଁ– ପ୍ରଥମ ପୁରୁଷ - ନିଜେ କବି-ବ୍ୟକ୍ତି । ସେ ବ୍ୟକ୍ତି ଏଲିୟଟୀୟ J.Alfred Prufrockର ସମତୁଲ । ସେ ଅପାରଗ,ଭୀରୁ, କାପୁରୁଷ, କ୍ଳୀବ ପୌରୁଷର ଅଧିକାରୀ - ଅତୀତକୁ ଖାଲି ଗିଲାସରେ ମାପୁଛି । ତା ଜୀବନର ନଙ୍ଗର ଉଠାଇ ସେ ଦୂରକୁ ଯାଇପାରୁନାହିଁ, ଦିଗନ୍ତର ପିପାସା ସତ୍ତ୍ୱେ ବାରମ୍ବାର କେନ୍ଦ୍ରକୁ, ଅର୍ଥାତ ସ୍ୱମଧ୍ୟକୁ ଫେରୁଛି । ନିଜ ଜୀବନର ଟ୍ରାଜେଡ଼ିକୁ ଭୁଲିବା ପାଇଁ ‘କବଚ' ପିନ୍ଧୁଛି ସେ । ସେ ପ୍ରଚଣ୍ଡ ଦେହବାଦୀ, କାମାର୍ତ୍ତ ପୁରୁଷ ; କିନ୍ତୁ ନିଜ ପୌରୁଷରେ ତାର ବିଶ୍ୱାସ ନାହିଁ । ସେ ସନ୍ଦେହ କରେ ନିଜର ଦେହର ସାମର୍ଥ୍ୟକୁ । ଜୀବନର ‘ଚଉମୁହାଣୀ'କୁ ସେ ଡରେ, କାରଣ ସେ ଜାଣେ ନାହିଁ କେଉଁ ରାସ୍ତା ତାର ‘ଲକ୍ଷ୍ୟ’ ।
ପ୍ରଚଳିତ ସମୟରେ ବ୍ୟକ୍ତି ଦୟନୀୟ ଭାବେ ନିଃସଙ୍ଗ-ଉଭୟ ବାହାରେ