ମଣିଷର ଅସହାୟତାର କାରଣ ବହୁବିଧ - ଭାଗ୍ୟ, ପରମ୍ପରା, ପୂର୍ବପୁରୁଷ, ପରିବେଶ ଇତ୍ୟାଦି । ଏ ସଭିଙ୍କ ଘେରରେ ବ୍ୟକ୍ତି ନିରୂପାୟ, ଅସହାୟ । ଏମାନେ ତାର ‘ବତୀଘର', 'ଅବସନ୍ନ ଦେହର ଆଶ୍ରୟ' । ଏମାନଙ୍କୁ ଛାଡ଼ି ତାର ସ୍ୱତନ୍ତ୍ର କିଛି ପରିଚୟ ନାହିଁ । ଏମାନଙ୍କର ପ୍ରଭାବ-ପରାକ୍ରମ ଆଗରେ ସେ ଅସହାୟ, କାକୁସ୍ଥ -
ବିଶ୍ୱରୂପ ଦର୍ଶନ କାଳରେ ଗାଣ୍ଡିବୀ ତୁଲ୍ୟ-
ସର୍ବାଙ୍ଗକୁ ମୋର, ହାତ ମୋର ଥମି ଯାଏ
ତାର ଚତୁର୍ପାଶ୍ୱର ମଣିଷ ବିଶ୍ୱାସଘାତକ, ସେ ନିଜେ ଅପାରଗ, ଅକ୍ଷମ, ଅସହାୟତା ହାତରେ ମୃତ ।
‘ପ୍ରଥମ ପୁରୁଷ’ର କବିତାଗୁଡ଼ିକ ମୁଖ୍ୟତଃ ବ୍ୟକ୍ତିର ବିଫଳତାରୁ ଉତ୍ସାରିତ ଓ ଏ ବିଫଳତାର ଅନେକ କାରଣ ମଧ୍ୟରୁ ପ୍ରେମଜନିତ ବିଫଳତା ଅନ୍ୟତମ । ବ୍ୟକ୍ତି ଜାଣେ ଯେ 'ଗୋଟିଏ ସଫଳ ପ୍ରେମ ସମସ୍ତ ଜୀବନ’; ତଥାପି ସେ ସାଫଲ୍ୟ ହାସଲ କରି ପାରେ ନାହିଁ । ତାର ଚେତନାରେ ପ୍ରେମ ଆସକ୍ତ ଦେହକୈନ୍ଦ୍ରିକ, ଦେହହୀନ ନିରାସକ୍ତ ନୁହଁ । ଜୀବନର ମୌଳପ୍ରବୃତ୍ତିକୁ କବିତାଗୁଡ଼ିକରେ ସ୍ୱୀକାର କରିବାର ଅସାଧାରଣ ସାଧାରଣତ୍ୱରେ ଉଜ୍ଜଳ ଏଠାରେ ବ୍ୟକ୍ତିର ବ୍ୟକ୍ତିତ୍ୱ । ଇନ୍ଦ୍ରିୟ ଭୋଗର ପୁନଃ ପୁନଃ ଆକାଂକ୍ଷାରେ ଉନ୍ମନ ବ୍ୟକ୍ତିର ସତ୍ତା । ପ୍ରେମର ଦେହଜ ଭୋଗର ଅନିବାର୍ଯ୍ୟତାକୁ ଆଧୁନିକ ଓଡ଼ିଆ ସାହିତ୍ୟରେ କବି ମାୟଧର ସାହସର ସହିତ ସ୍ୱୀକାର କରିଥିଲେ । ତେବେ ମାୟାଧରୀୟ ପ୍ରେମର ରୋମାଣ୍ଟିକ ଚଟୁଳତା ଅବଶ୍ୟ ‘ପ୍ରଥମ ପୁରୁଷ’ରେ ନାହିଁ । ତଥାପି ଏକଥା ସ୍ୱୀକାର୍ଯ୍ୟ ଯେ ମାୟାଧର-ଉତ୍ତର କାଳରେ ପ୍ରେମର ଇନ୍ଦ୍ରିୟ-ଭୋଗୀ ସ୍ୱରୂପକୁ ଏତେ ସ୍ପଷ୍ଟ ଭାବରେ କେବଳ ‘ପ୍ରଥମ ପୁରୁଷ’ରେ ହିଁ ସ୍ୱୀକାର କରାଯାଇଛି । ପୂର୍ବସୁରୀ ଗୁରୁପ୍ରସାଦଙ୍କ କବିତାରେ ଦେହସର୍ବସ୍ୱତା ପ୍ରତି ଯେଉଁ ବ୍ୟଞ୍ଜନାମୟ କଟାକ୍ଷ ଓ ବ୍ୟାଜସ୍ତୁତି ଲକ୍ଷିତ, ‘ପ୍ରଥମ ପୁରୁଷ’ରେ ତାହା ମଧ୍ୟ ଅନୁପସ୍ଥିତ । ‘ପ୍ରଥମ ପୁରୁଷ’ର ପ୍ରେମ ଏକ ସହଜ ସୁନ୍ଦର ପ୍ରେମ । ଅତୀନ୍ଦ୍ରିୟର ବନ୍ଧନ ନାହିଁ । ଦେହକୁ ଲଜ୍ଜାକର ମନେ କରିବାର ଅଭୀପ୍ସା ନାହିଁ । ବରଂ ପ୍ରେମ ପାଇଁ ବ୍ୟାକୁଳ ହେଉଥିବା, ଅଥଚ ପାଇ ପାରୁନଥିବା, ବ୍ୟକ୍ତିତ୍ୱହୀନ କକ୍ଷଚ୍ୟୁତ ବିବିକ୍ତ ଶୂନ୍ୟତା ମଧ୍ୟରେ ଘାଣ୍ଟି ହେଉଥିବା ଏକ ବ୍ୟକ୍ତିତ୍ୱର ସତ୍ତା ଏଠାରେ ଉଦ୍ଭାସିତ । ଏବଂବିଧ