Jump to content

ପୃଷ୍ଠା:Pratham Purush.pdf/୬୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଗୋଟିଏ ସଫଳ ପ୍ରେମ ଏଠାରେ ଗୋଟିଏ ସମଗ୍ର ଜୀବନର ପରିମାପକ । ଅବଶ୍ୟ ପରବର୍ତ୍ତୀ କାଳରେ ଜୀବନକୁ ପ୍ରେମ ଦେଇ ମାପୁଥିବା କବି ଜଗନ୍ନାଥ ପ୍ରସାଦ ମନେ କରିଛନ୍ତି 'ପ୍ରତ୍ୟେକଟି ପ୍ରେମ ଗୋଟିଏ ଗୋଟିଏ ମୃତ୍ୟୁ ।' କିନ୍ତୁ ଏହି ପରବର୍ତ୍ତୀ କାଳର ଚେତନା ମଧ୍ୟରେ ବ୍ୟକ୍ତିର ପ୍ରେମ ବ୍ୟକ୍ତିତ୍ୱର ଗଣ୍ଡି ଡେଇଁ ବିଚ୍ଛୁରିତ ହୋଇଛି ବହୁର ଜଗତରେ । ‘ପ୍ରଥମ ପୁରୁଷ’ର ପ୍ରେମ କିନ୍ତୁ ବ୍ୟକ୍ତିଗତ, ଦେହସିଦ୍ଧ, ବିଫଳତା-ପାକ । କ୍ରମ ଅପସୃୟମାନ ଯୌବନ ପାଇଁ ହା ହା କାର କରୁଛି ବ୍ୟକ୍ତି ନବଯଯାତି ତୁଲ୍ୟ-

ମୋ ଦେହର ପାଚେରୀରେ ଫୁଲ ସବୁ ମରିଗଲେ
ଉଡ଼ିଗଲେ ଦିଗନ୍ତରେ ଧାଡ଼ି ଧାଡ଼ି ନାମହୀନ ପକ୍ଷୀ
ଲୁଚିଗଲେ ପବନର ପଣତରେ ପାରିଲିନି ରଖି

ସମୟକୁ କିପରି ‘ବନ୍ଦ କରି ହେବ ଏକ ଖାଲି କୋଠରୀରେ' - ତାହା ବ୍ୟକ୍ତି ଜାଣେ ନାହିଁ । ଫାଶୀ ପାଏ, ରକ୍ତାକ୍ତ ହୁଏ, ତାର ଯୌବନ ସମୟ ହାତରେ । ତା ହାତରେ ଅବଶିଷ୍ଟ ରହେ ‘ମୁଠା ମୁଠା ଶୂନ୍ୟତା’ ଏବଂ ‘ଅନେକ ଯନ୍ତ୍ରଣା ମିଶି ପ୍ରେମିକାର ମୁହଁ ହୋଇଯାଏ ।’ ‘ଗୋଟିଏ ସଫଳ ପ୍ରେମ : ସମସ୍ତ ଜୀବନ' ସେ ଖୋଜି ପାଏ ନାହିଁ; କେବଳ ନିଜର ବ୍ୟର୍ଥତାର ନିର୍ଜନତାରେ ନିଜେ ବନ୍ଦୀ ହୁଏ ।

ପରବର୍ତ୍ତୀ କାଳରେ ଜଗନ୍ନାଥଙ୍କ ଚିନ୍ତା-ଚେତନାରେ ଭିନ୍ନ ଉତ୍ତରଣ ସୁସ୍ପଷ୍ଟ । ‘ପ୍ରଥମ ପୁରୁଷ’ର ବ୍ୟକ୍ତି ସ୍ୱକେନ୍ଦ୍ରରେ ଘୂର୍ଣ୍ଣିତ, କିନ୍ତୁ ପରବର୍ତ୍ତୀ ରଚନା ‘ଅନ୍ୟ ସବୁ ମୃତ୍ୟୁ ଓ ଅନ୍ୟାନ୍ୟ କବିତା’ ଏବଂ ‘ଯେ ଯାହାର ନିର୍ଜନତା'ରେ ବ୍ୟକ୍ତି ଏହି ଆତ୍ମକୈନ୍ଦ୍ରିକତା, କ୍ଳୀବତା ଓ ଭୀରୁତାରୁ ବାହାରି ଆସିଛି ବାହାରକୁ ଦୃଢ଼ ପାଦରେ, ନିଜର ସ୍ଥିତିକୁ ଜାହିର କରିଛି-

ଜିଣିବା ଓ ହାରିବାର ପ୍ରଶ୍ନ ନାହିଁ
ଯୁଦ୍ଧର ପ୍ରସ୍ତୁତି ଓ ଆଧିପତ୍ୟ
ନିଜକୁ ପ୍ରତାରଣା ସମୟକୁ ନୁହେଁ
ମନେରଖ ପ୍ରେମ ସମୟର ଏକମାତ୍ର ନିର୍ଣ୍ଣାୟକ
ସମୟ କୌଣସି ସମ୍ବେଦନା ମାଗେ ନାହିଁ