Jump to content

ପୃଷ୍ଠା:Pratham Purush.pdf/୬୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

‘ପ୍ରଥମ ପୁରୁଷ’ରେ କବିର ଚେତନାରେ ଦୁଇଟି ସ୍ୱରର ସମାନ୍ତରାଳ ସ୍ଥିତି ଲକ୍ଷଣୀୟ । ପ୍ରଥମଟି ହେଉଛି ବ୍ୟକ୍ତିର ନିଜ ସ୍ଥିତିର ବ୍ୟାକୁଳ ସନ୍ଧାନ ଓ ବ୍ୟକ୍ତି ଜୀବନରେ ବ୍ୟର୍ଥତା-ଅତୃପ୍ତି-ଜନିତ ବିବିକ୍ତ ଶୂନ୍ୟତା । ଦ୍ୱିତୀୟଟି ହେଲା ଗୋଟିଏ ସଫଳ ପ୍ରେମକୁ ଜୀବନ ଜୀଇଁବାର ପରିମାପକ ଭାବେ ଉପଲବ୍ଧି କରିବା । ଏହି ସବୁ ଭାବ ଓ ଚେତନାକୁ ରୂପ ଦେବା ପାଇଁ କବି ନିଜସ୍ୱ ଅଭିନବ ଶିଳ୍ପବିଧି ପ୍ରୟୋଗ କରିଛନ୍ତି । ଏ ପ୍ରୟୋଗ ବିଧି, କହିବା ବାହୁଲ୍ୟ, ଜଗନ୍ନାଥ ପ୍ରସାଦଙ୍କୁ କବି ଭାବରେ ସ୍ୱତନ୍ତ୍ର କରି ଚିହ୍ନିତ କରିଛି । ପରବର୍ତ୍ତୀ ଦୁଇ କବିତା ସଂକଳନ ଅପେକ୍ଷା କବିଙ୍କର ଏହି ପ୍ରଥମ ମାନସ କବିତାଟି ଅଧିକ ମନୋହାରୀ । ଏଥିରେ ଜଗନ୍ନାଥ ପ୍ରସାଦଙ୍କ ପରବର୍ତ୍ତୀ ଅନ୍ୟାନ୍ୟ ସଂକଳନରେ ଲକ୍ଷିତ ନିଟୋଳ ଗଦ୍ୟଛନ୍ଦର କଠିନ ଗୁରୁଭାବ ଅପ୍ରକଟ । ଏ କବିତାର ଛନ୍ଦ-ବନ୍ଧରେ ଭାଷା ସାରଲ୍ୟ ସହ ଶ୍ରୁତି ମାଧୁର୍ଯ୍ୟ ନିବିଡ଼ ହୋଇ ଯାଇଥିବାରୁ ପଠନ କାଳରେ ଅର୍ଥବୋଧରେ ବାଧାବନ୍ଧନ ସୃଷ୍ଟି ହେଉନାହିଁ । ସ୍ଥଳ ବିଶେଷରେ ଅର୍ଥବୋଧ ହେଉ ନ ହେଉଣୁ ଛନ୍ଦ ଆନ୍ଦୋଳନ ହୃଦୟ ସ୍ପର୍ଶ କରି ପାରୁଛି । ‘ପ୍ରଥମ ପୁରୁଷ’ର ପ୍ରକରଣରେ ଦେଖାଦେଇଥିବା ବୈଶିଷ୍ଟ୍ୟଗୁଡ଼ିକୁ ନିମ୍ନମନ୍ତେ ସଜାଇ ଦିଆଯାଇପାରେ-

କ) ବାକ୍‌ରୀତି ସହ କାବ୍ୟରୀତିର ମିଶ୍ରଣ
ଖ) ଗଦ୍ୟର ଭାଷା, କଥ୍ୟ ଭାଷା ଓ ନୂତନ ଶବ୍ଦଗଠନ ଏବଂ ଏମାନଙ୍କ ପ୍ରୟୋଗ କାଳରେ 'ବେଦର ବିଚାର' ପରିହାର
ଗ) ଶବ୍ଦ ପ୍ରୟୋଗରେ ମିତବ୍ୟୟିତା ଓ ବ୍ୟକ୍ତିଗତ ତଥା ସର୍ବଜନୀନ ପ୍ରତୀକର ବ୍ୟବହାର
ଘ) ଚିତ୍ରକଳ୍ପ ସୃଷ୍ଟି ତଥା ଚିତ୍ରକଳ୍ପରୁ ଚିତ୍ରକଳ୍ପକୁ ଉଲ୍ଲମ୍ପଂନ
ଙ) ଆବେଗଗ୍ରଥିତ ପାରସ୍ପର୍ଯ୍ୟ ଉପରେ ଗୁରୁତ୍ୱ
ଚ) ଭାବନାକୁ ଚିତ୍ର ସ୍ତରକୁ ଏବଂ ଚିତ୍ରକୁ ଭାବନା ସ୍ତରକୁ ଉନ୍ନୀତ କରିବାର ଉଦ୍ୟମ
ଛ) ନିରାକାର ଭାବକୁ ଏକ ସାକାରୀଭୂତ ରୂପ(Physical Form) ଦେବାର ଉଦ୍ୟମ
ଜ) ବାକ୍ୟରେ ଅବ୍ୟୟର ବହୁଳ ବ୍ୟବହାର
ଝ) ପୂର୍ଣ୍ଣଚ୍ଛେଦ, କମା ଇତ୍ୟାଦି ବିରାମ ଚିହ୍ନର ବିରଳ ବ୍ୟବହାର