‘ପ୍ରଥମ ପୁରୁଷ’କୁ କେନ୍ଦ୍ରକରି ଓଡ଼ିଆ ତଥା ଅଣଓଡ଼ିଆ ବହୁ କବି ଓ ସମାଲୋଚକ ବହୁ ମହାର୍ହ ମତ ପ୍ରଦାନ କରିଛନ୍ତି । ‘ପ୍ରଥମ ପୁରୁଷ’ର ଦଶନ୍ଧି ପୂର୍ତ୍ତି କାଳରେ ସେସବୁ ମତ ସଂପର୍କରେ ସୂଚନା ଦେବା ପ୍ରାସଙ୍ଗିକ ହେବ ଏବଂ ଏଇସବୁ ସମୀକ୍ଷାତ୍ମକ ଦୃଷ୍ଟିଭଙ୍ଗୀର ସୂଚନା ନ ଦେଲେ ଏ ପରିକ୍ରମା ଅସଂପୂର୍ଣ୍ଣ ରହିଯିବ । ଏ ପୁସ୍ତକ ପ୍ରକାଶ ଓ ଏହାର ଅନ୍ୟାନ୍ୟ ଭାଷାନ୍ତର ସଚେତନ ପାଠକର ଦୃଷ୍ଟି ଆକର୍ଷଣ କରି କି ପ୍ରକାର ଭାବାନ୍ତର ସୃଜିଛି ଏ ସୂଚନାରୁ ତାହା ସ୍ପଷ୍ଟ ହୋଇଉଠିବ ।
‘ପ୍ରଥମ ପୁରୁଷ’ ହିନ୍ଦୀ, ଇଂରାଜୀ, ଉର୍ଦ୍ଦୁଭାଷାରେ ଅନୂଦିତ । ଏହାର ହିନ୍ଦୀ ରୂପାନ୍ତର କରିଛନ୍ତି ଶ୍ରୀ ଶଙ୍କରଲାଲ ପୁରୋହିତ, ଇଂରାଜୀ ଭାଷାନ୍ତର କରିଛନ୍ତି ଶ୍ରୀ ଦେବପ୍ରସାଦ ପଟ୍ଟନାୟକ ଏବଂ ଉର୍ଦ୍ଦୁ ଅନୁବାଦ କରିଛନ୍ତି ଶ୍ରୀମତୀ ଶହିଦା ସୟଦ । ଓଡ଼ିଆ ହିନ୍ଦୀ ଓ ଇଂରାଜୀରେ ଅନ୍ୟୁନ ସତେଇଶଟି ସମୀକ୍ଷା ଓ ମୂଲ୍ୟାୟନ ପ୍ରକାଶ ପାଇଛି । ଅଧିକାଂଶ ସମୀକ୍ଷାରେ କବିତାଗୁଡ଼ିକର ଭାବୈଶ୍ୱର୍ଯ୍ୟ ତଥା ପ୍ରକରଣବନ୍ଧର ନୈପୁଣ୍ୟ ନେଇ ବିସ୍ମୟ ପ୍ରକାଶ ପାଇଛି । ଏଗୁଡ଼ିକ ଯେ 'ବ୍ୟକ୍ତିଗତ କବିତା’ ଏବଂ କାବ୍ୟିକ ପ୍ରତିନ୍ତ୍ରିୟା ଦୃଷ୍ଟିରୁ ଏ ସକଳ କବିତା ଯେ ଗୋଟିଏ ବଡ଼ କବିତାର ଅଂଶ - ଏହା ସ୍ୱୀକାର କରାଯାଇଛି । ଓଡ଼ିଶାର ପ୍ରଖ୍ୟାତ କବି ଶ୍ରୀ ହରପ୍ରସାଦ ଦାସ ଏ ସଂକଳନର ସମୀକ୍ଷାକାଳରେ କହିଛନ୍ତି - "କାବ୍ୟିକ ପ୍ରତିକ୍ରିୟା ଦିଗରୁ ଏ ସମସ୍ତ କବିତା ବୋଧହୁଏ ଗୋଟିଏ ବଡ଼ କବିତାର ଅଂଶମାନ ! ...ଏ ସମସ୍ତ କବିତା ଏକପ୍ରକାର ‘ବ୍ୟକ୍ତିଗତ କବିତା’ ପର୍ଯ୍ୟାୟର । ... ‘ପ୍ରଥମ ପୁରୁଷ' ମୁଁ । ବହିର୍ଜଗତ ପ୍ରତି ବ୍ୟକ୍ତିର ପ୍ରତିକ୍ରିୟା ଏଭଳି ଏକ କାବ୍ୟିକ ସଂଜ୍ଞା ଲାଭ କରିଛି ଯେ ବେଳେବେଳେ ମନେହୁଏ ଏ ସମସ୍ତ କବିତା ଯେପରି ଏକ ବିରାଟ ସ୍ୱଗତ ନାଟକ । ବ୍ୟକ୍ତିଗତ ଜୀବନର କ୍ଷୟ-କ୍ଷତିର ଉର୍ଦ୍ଧ୍ୱରେ ଯେ ଏକ ଜଗତ ଅଛି ଓ ତାହା କାମ୍ୟ ଏ ବିଶ୍ୱାସ ଏହି କବିଙ୍କର ନାହିଁ । କବି ବିଶ୍ୱାସ କରନ୍ତି ଯେ ଏହି କ୍ଷୟକ୍ଷତି ହିଁ ଜୀବନ ଓ ଏହି ଜୀବନକୁ ସାମ୍ନା କରି