ମୋ ନାଆଁ ଗୀଜାର ପିରାମିଡ୍ । ବେଳେ ବେଳେ ମୁଁ ନିଜକୁ ନିଜେ ପଚାରେ, "ମୁଁ କଣ ଚିରନ୍ତନ ?" ୪୫୦୦ ବର୍ଷ ହେଲା ମୁଁ ଅଛି । ଏତେ ବର୍ଷ ଧରି ଧରାପୃଷ୍ଠରେ ଅନ୍ୟ କୌଣସି ମାନବନିର୍ମିତ କୀର୍ତ୍ତି ବଞ୍ଚି ରହିବା ସମ୍ଭବ ନୁହେଁ । ନିଜେ ମାନବ ତ ଖୁବ୍ କ୍ଷଣସ୍ଥାୟୀ ! ହୁଏତ ନିଜର କ୍ଷଣଭଙ୍ଗୁରତା ବିରୁଦ୍ଧରେ ବିପ୍ଳବର ପ୍ରତୀକ ଭାବେ ମଣିଷ ମୋତେ ନିର୍ମାଣ କରିିଥିଲା । ପୁରାତନ ଯୁଗର ସପ୍ତାଶ୍ଚର୍ଯ୍ୟ ଭାବରେ ଯେଉଁମାନଙ୍କ କଥା ବର୍ଣ୍ଣନା କରାଯାଇଛି, ସେମାନଙ୍କ ମଧ୍ୟରୁ ଆଉ କେହି ନାହାଁନ୍ତି, କେବଳ ମୋ' ଛଡା । ସେମାନଙ୍କ ଭଳି ମୋତେ ଜାଣିବାପାଇଁ ଇତିହାସକାରମାନଙ୍କ ଦସ୍ତାବିଜ ବା କବିମାନଙ୍କ ମହାକାବ୍ୟ ଖୋଜିବା ଦରକାର ନାହିିଁ । ମୁଁ ଆଜି ବି ବିଦ୍ୟମାନ, ଇଜିପ୍ଟର କାଇରୋ ସହର ନିକଟରେ । ସପ୍ତାଶ୍ଚର୍ଯ୍ୟମାନଙ୍କ ମଧ୍ୟରେ ମୁଁ ସବୁଠାରୁ ପୁରାତନ । ହେଲେ ମୋ ବିନା ଆଧୁନିକ ସପ୍ତାଶ୍ଚର୍ଯ୍ୟ ବି କଳ୍ପନା କରାଯାଇ ପାରେନା । ତେଣୁ ଆଧୁନିକ ସପ୍ତାଶ୍ଚର୍ଯ୍ୟର ତାଲିକା ପ୍ରସ୍ତୁତ କରାହେଲା ବେଳେ ମୋ ନାମଟିକୁ 'ସମ୍ମାନିତ ଅଷ୍ଟମ' ଭାବେ ଘୋଷଣା କରାଗଲା- ନିର୍ବାଚିତ ସପ୍ତାଶ୍ଚର୍ଯ୍ୟମାନଙ୍କ ସହ । କିନ୍ତୁ ରୂପ,ଆକୃତି ଓ ବିରାଟତାକୁ ଦେଖିଲେ ଆଧୁନିକ ସପ୍ତାଶ୍ଚର୍ଯ୍ୟ ବି ମୋ ପାସଙ୍ଗରେ ପଡନ୍ତି ନାହିିଁ ।
ସାଧାରଣ ଲୋକେ ଭାବନ୍ତି ସବୁ ପିରାମିଡ୍ ସପ୍ତାଶ୍ଚର୍ଯ୍ୟରେ ସ୍ଥାନ ପାଇଛନ୍ତି । ନା । ଇଜିପ୍ଟରେ ପିରାମିଡମାନଙ୍କ ସଂଖ୍ୟା ଅନେକ । ସେମାନଙ୍କ ମଧ୍ୟରୁ ପ୍ରସିଦ୍ଧ ତିନିଟି ବିଶାଳ ପିରାମିଡ୍କୁ 'ଗ୍ରେଟ୍