ପୃଷ୍ଠା:Saptascharya.pdf/୧୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମୁଁ ତ ମୌନ ! ମୋ ରହସ୍ୟ ଖୋଲିପାରିଥାଆନ୍ତା- ଯଦି କିଏ ପିରାମିଡ ନିର୍ମାଣ ହେବା ସମୟର ଇଜିପ୍ଟର ଭାଷା "ହେରୋଗ୍ଲିଫିକ୍ସ'କୁ ଠିକ୍‍ ଭାବରେ ପଢ଼ିପାରନ୍ତା! କିନ୍ତୁ ଆଜି ଏ ଭାଷା ମୃତ । ଭାଷା ସହ ଲୋପ ପାଏ ସଂସ୍କୃତି ଓ ଇତିହାସର ଶେଷ ସନ୍ତକ । ହେରୋଗ୍ଲିଫିକ୍ସକୁ ପଢ଼ି ପାରୁଥିବା ପଣ୍ତିତମାନେ ବଞ୍ଚିଥିଲେ ଚତୁର୍ଥ ଶତାବ୍ଦୀ ଯାଏ । କିନ୍ତୁ ତା'ପରେ ଏ ଭାଷା ହୋଇଗଲା ଅଦରକାରୀ । ଭାଷା ହଜିଗଲା ଏବଂ ତା' ସହ ହଜିଗଲା ଇଜିପ୍ଟ ଓ ପିରାମିଡ ସଭ୍ୟତାର ରହସ୍ୟ ଉଦ୍‍ଘାଟନର ପ୍ରକୃତ ସୂତ୍ର । ସବୁଦିନ ପାଇଁ ସଂସାର ଭୁଲିଗଲା ଏକ ମହାନ ସଂସ୍କୃତିର ପ୍ରକୃତ ଇତିହାସକୁ । ଆଜି ବି ପୃଥିବୀର ଅନେକ ଭାଷା ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି । ମୁଁ ସଂସାରର ସମସ୍ତଙ୍କୁ ଗୋଟିଏ କଥା କହିବାକୁ ଚାହେଁ- ଯଦି ତୁମ ଭାଷା ନବଞ୍ଚେ, ତୁମ ସଂସ୍କୃତି ଓ ସ୍ଥିତିର ସତ୍ତା ରହିବ ନାହିିଁ । ପରବର୍ତ୍ତୀ ପିଢ଼ି କେବଳ ଅନୁମାନ କରିପାରିବେ ଆମ ବିଷୟରେ । ପ୍ରକୃତ ତ୍ଥ୍ୟ ବୁଡିଯିବ ରହସ୍ୟର ଅନ୍ଧକାରରେ । ଏସବୁର ମୁଁ ନିଃସଙ୍ଗ ମୂକସାକ୍ଷୀ ।
ଗ୍ରୀକ୍‍ମାନେ ସହି ପାରୁନଥିଲେ ମୋର ବିରାଟତା ଓ ସ୍ଥାପତ୍ୟର ଗରିମାକୁ । ତେଣୁ ହେରୋଡଟସ୍‍ଙ୍କ ଭଳି ଜ୍ଞାନୀ ବି ଭାବୁଥିଲେ ପିରାମିଡ୍‍ ଓ ଏହାର ନିର୍ମାଣକର୍ତ୍ତା ଥିଲେ ପାପର ପ୍ରତୀକ । ଖ୍ରୀଷ୍ଟ ଧର୍ମର ଅଭ୍ୟୁଦୟ ସମୟରେ ପିରାମିଡଗୁଡ଼ିକୁ ଜୋସେଫ୍‍ଙ୍କ ଶସ୍ୟାଗାର ବୋଲି ବର୍ଣ୍ଣନା କରାଗଲା । ସପ୍ତମ ଖ୍ରୀଷ୍ଟାବ୍ଦର ଆରବ ପରିବ୍ରାଜକମାନେ କହିଲେ, ପିରାମିଡ଼୍‍ ଭିତରେ ବିଶ୍ୱର ମହାନ ଜ୍ଞାନୀମାନେ ଲୁଚାଇ ରଖିଛନ୍ତି ସେମାନଙ୍କ ସାଧନାଲବ୍ଧ ଜ୍ଞାନ, ଯେପରି ଏହା ସାଧାରଣ ଲୋକଙ୍କ ହାତରେ ନପଡେ଼ । ଗତ ଶତାବ୍ଦୀର ମହାନ ଆଧ୍ୟାତ୍ମିକ ପରିବ୍ରାଜକ ପଲ୍‍

ସପ୍ତାଶ୍ଚର୍ଯ୍ୟ ୧୯