ପୃଷ୍ଠା:Saptascharya.pdf/୨୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବ୍ରଣ୍ଟନ୍‍ ନିଜ ପୁସ୍ତକ 'Journey in Secret Egypt'ରେ ଏହିପରି କିଛି ଅନୁଭୂତିର ବର୍ଣ୍ଣନା କରିଛନ୍ତିି । ସେ ଲେଖିଛନ୍ତି, ସେ କୁଆଡେ଼ ଦେଖାପାଇଥିଲେ ଏପରି କିଛି ସିଦ୍ଧ ସାଧକଙ୍କର- ଯିଏ ଆଜିଯାଏ ପିରାମିଡ଼୍‌ର ଜ୍ଞାନର ଭଣ୍ତାରକୁ ଜଗି ରହିଛନ୍ତି ! ପଞ୍ଚଦଶ ଶତାବ୍ଦୀର ଆରବ ଐତିହାସିକ ଅଲ୍‍ ମାକ୍‍ରିଯି ପିରାମିଡ଼୍‍ ମାନଙ୍କ ସମ୍ବନ୍ଧରେ ଏକ ଅନନ୍ୟ ତ‌ଥ୍ୟ ବର୍ଣ୍ଣନା କରିିଥିଲେ । ସେ ଲେଖିଥିଲେ, ପିରାମିଡ଼୍‍ର ଗର୍ଭଗୃହରେ ଲୁହାରେ କଳଙ୍କି ଲାଗେ ନାହିଁ ଓ କାଚ ନ ଭାଙ୍ଗି ମୋଡ଼ିହୋଇଯାଏ । ଆଜିଯାଏ ଏହି ବିଶ୍ୱାସ ଅଛି ଅନେକଙ୍କ ମନରେ । ଅନେକେ ଭାବନ୍ତି, କାଚର ପିରାମିଡ଼୍‍ ତଳେ ବ୍ଲେଡ଼୍‍ ରଖିଲେ ତାହାର ଧାର ମରେ ନାହିଁ । ପିରାମିଡ଼୍‍ ଆକାରର ତମ୍ବୁ ତଳେ ଲୋକେ ଧ୍ୟାନ କରନ୍ତି ପ୍ରକୃତିର ଶକ୍ତିର କେନ୍ଦ୍ରୀଭୂତ ସତ୍ତାକୁ ଅନୁଭବ କରିବାପାଇଁ । ପିରାମିଡ଼ ଆକୃତିର ଗୃହ ଓ ଧ୍ୟାନ ମନ୍ଦିରର ନିର୍ମାଣ ଆଜି ବି ଚାଲିଛି ।
ଏରିକ୍‍ ଭନ୍‍ ଡାନିକେନ୍‍ ଓ ଜେଚାରିଆ ସିଟ୍‍ଚିନ୍‍ଙ୍କ ଭଳି ଗବେଷକ ଆଜିଯାଏଁ ଗ୍ରହଣ କରିପାରୁନାହାନ୍ତି ଯେ କୌଣସି ମାନବ ସଭ୍ୟତା ମୋ ଭଳି ପିରାମିଡ଼୍‍ ନିର୍ମାଣ କରିପାରିବ । ସେମାନେ କହନ୍ତି, ଅନ୍ୟ କୌଣସି ସୁଦୂର ଗ୍ରହର ନିବାସୀମାନେ ପୃଥିବୀରେ ନିଜର ମାଇଲ୍‍ ଖୁଣ୍ଟଭାବେ ନିର୍ମାଣ କରିିଲେ ପିରାମିଡ଼୍‍ମାନଙ୍କୁ । ଏହା ଭିତରେ ଲୁଚି ରହିଛି ଗ୍ରହାନ୍ତର ଯାତ୍ରାର ରହସ୍ୟ । ଏଡ଼୍‍ଗର୍‍ କେସି କିନ୍ତୁ କହନ୍ତି, ପିରାମିଡ଼୍‍ ନିର୍ମାଣ କରିଥିଲେ ଆମ ଧରାପୃଷ୍ଠରେ ଆମ ଆଗରୁ ବସବାସ କରୁଥିବା ଆମଠାରୁ ଉନ୍ନତ ଓ ବୈଜ୍ଞାନିକ ସ୍ତରରେ ବିକଶିତ ମାନବମାନେ ।

୨୦ ସପ୍ତାଶ୍ଚର୍ଯ୍ୟ