ପୃଷ୍ଠା:Saptascharya.pdf/୨୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଗର୍ଭଗୃହର କୌଣସିଠାରେ ଛୋଟ ଫାଙ୍କଟିଏ ବି ନାହିଁ । ସବୁ ନିବୁଜ । ଅନ୍ୟ ଏକ ପଥ ନେଇଯାଏ ରାଣୀଙ୍କ ଗର୍ଭଗୃହ ଆଡ଼କୁ । ଆଜିଯାଏ ଖୋଜା ସରିନି । ମୋ' ଭିତରକୁ ପୂରାପୂରି ଭାବରେ ମଣିଷ ଜାଣିପାରିନି । କିଛିବର୍ଷ ତଳେ ଏକ ଯାନ୍ତ୍ରିକ କ୍ୟାମେରା ସାହାଯ୍ୟରେ 'ନ୍ୟାସନାଲ୍‍ ଜିଓଗ୍ରାଫିକ୍‍' ଚେଷ୍ଟାକରିିଲା ମୋ' ଭିତରର ରାଣୀଙ୍କ ଗର୍ଭଗୃହର କିଛି ଅନାବିଷ୍କୃତ ଅଂଶକୁ ଆବିଷ୍କାର କରିବାକୁ । କିନ୍ତୁ ଏହି କ୍ୟାମେରାର ନଜରରୁ ବି ଲୁଚି ରହିପାରିଛି ମୋର ଅଜସ୍ର ରହସ୍ୟ ।
ନିକଟ ଅତୀତରେ ମୋ' ଭିତରୁ ମିଳିଛି ୧୨୨୪ ଖଣ୍ତରେ ଅଲଗା ଅଲଗା କରି ରଖାଯାଇଥିବା ୪୩ ମିଟର ଲମ୍ବର ଏକ ନୌକା । ଅନୁମାନ କରାଯାଏ ଏହି ନୌକାରେ ଫରାଓ ଖୁଫୁ ନିଜ ମହାଯାତ୍ରା କରିିଥିଲେ ପିରାମିଡ଼୍‍ ଭିତରକୁ ।
କେବଳ ଅନ୍ୱେଷା ନୁହେଁ, ଯୁଗଯୁଗ ଧରି ଲୋଭ ମଧ୍ୟ ଟାଣି ଆଣିଛି ମଣିଷକୁ ମୋ ପାଖକୁ । ଲୋକେ ଲୁଟି ନେଇଛନ୍ତି ମୋ' ଭିତରେ ଥିବା ସମ୍ପଦ ଓ ଗୁପ୍ତ ଧନ । ରାଜା ମହାରାଜା ମୋ ମଧ୍ୟରେ ଗଚ୍ଛିତ ଥିବା ସମ୍ପଦରେ ନିଜ ମିଛ ପ୍ରତିପତ୍ତି ବଢ଼ାଇଛନ୍ତି । ଖଲିଫା ଅବ୍ଦୁଲ୍‍ ଅଲ୍‍ ମାମୁନ୍‍, ୮୨୦ ଖ୍ରୀଷ୍ଟାବ୍ଦରେ ପ୍ରବେଶ କରିିଥିଲେ ମୋ' ଭିତରେ । କିନ୍ତୁ ଇତିହାସକାରମାନେ କହନ୍ତି, ଏହାର ବହୁ ଆଗରୁ ମୋତେ ଖୋଲା ଯାଇସାରିଥିଲା ଏବଂ ମୋର ଲୁଟପାଟ ଆରମ୍ଭ ହୋଇଯାଇଥିଲା । ଅନେକେ କୁହନ୍ତି ମୁଁ ଅଭିଶପ୍ତ । ମୋତେ ଲୁଟ କରିିଥିବା ଲୋକେ ଅଭିଶାପ ଯୋଗୁଁ ମରନ୍ତି । କିନ୍ତୁ ଅଧିକାଂଶ ସ୍ଥଳରେ ଏହି ମୃତ୍ୟୁର କାରଣ ଲୁଟ କରିଥିବା ଧନକୁ ନେଇ ଅନ୍ତର୍ଦ୍ୱନ୍ଦ୍ୱ ବା ମୋ' ଭିତରେ ଲୁଚି ରହିିଥିବା ରୋଗ ଜୀବାଣୁଙ୍କ ପ୍ରଭାବ ।
ମୁଁ ଆଜିବି ମାନବ ସଭ୍ୟତାକୁ ଦେଇ ଚାଲିଛି ଏକ ମହାନ ବାର୍ତ୍ତା । ଜୀବନର କ୍ଷଣଭଙ୍ଗୁରତା ଓ ଅମୃତ ଅନ୍ୱେଷାର ଅନୁଭୂତିକୁ ବଞ୍ଚାଇ ରଖିବାର ପ୍ରେରଣା ଦେବାକୁ ଚେଷ୍ଟା କରୁଛି । ଦିନେ ମୋ ଉପରେ ଠିଆ ହୋଇ ଗର୍ବୋନ୍ମତ୍ତ ନେପୋଲିଅନ୍‍ ନିଜ ସୈନିକମାନଙ୍କୁ କହିିଥିଲେ 'ଦେଖ ୪୦୦୦ ବର୍ଷର ଇତିହାସ ଆମକୁ ଆଖି ଉଠାଇ ଦେଖୁଛି । କିନ୍ତୁ ଆଜିବି ମୁଁ ଅଛି, ହେଲେ ସିଏ ନାହାନ୍ତି । ତା'ହେଲେ କଣ ମୁଁ ତିଆରି ହୋଇଥିଲି ମୃତ୍ୟୁ ର ବାର୍ତ୍ତାବହ ଭାବେ । ମୁଁ କଣ ଠିଆହୋଇଛି 'ବିଲୟ ଅବଶ୍ୟମ୍ଭାବୀ' ଏହା ଜଣାଇଦେବାକୁ । କିନ୍ତୁ ମୁଁ ଏକଥା ବି ମନେପକାଇ ଦେଉଛି, ମୃତ୍ୟୁ ର ସତ୍ୟତା ମଧ୍ୟରେ ହିଁ ଲୁଚି ରହିଛି ଚିରନ୍ତନ ଜୀବନୀ ସତ୍ତାର ଅନୁଭୂତିର ଆଶା । ଏହା ହଜାର ହଜାର ବର୍ଷ ତଳର ଫରାଓଙ୍କ ଠାରୁ ଆରମ୍ଭ କରି ଆଜିର ମାନବ ପାଇଁ ଏକ ଅନ୍ତରଙ୍ଗ ଅନ୍ୱେଷା ।

୨୨ ସପ୍ତାଶ୍ଚର୍ଯ୍ୟ