ପୃଷ୍ଠା:Saptascharya.pdf/୪

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ସହଜରେ ଲେଖିପାରିଲି । ଏହା ଆଦୌ ବିସ୍ମୟକର ନୁହେଁ । ଏହା ପ୍ରତ୍ୟେକ ମାତୃଭାଷାର ଚିରନ୍ତନତାର ପ୍ରତୀକ । 'ଆମ ପିଲାମାନେ ମାତୃଭାଷାକୁ ଭୁଲିଗଲେଣି ବୋଲି ଅଯଥା ଅହଂକାର କରୁଥିବା ବାପା-ମା’ ମାନଙ୍କୁ ମୁଁ ଏଣୁ ଏତିକି କହିବାକୁ ଚାହେଁ - ‘ଇଂରାଜୀ ଭାଷାରେ ଜ୍ଞାନ ମୋର ଓଡ଼ିଆ ଭାଷାର ନୈପୁଣ୍ୟକୁ କମାଇ ନାହିଁ, ବରଂ ବଢ଼ାଇଛି ।'
<gap>‘ସପ୍ତାଶ୍ଚର୍ଯ୍ୟର ଅନ୍ୱେଷଣ ଥିଲା ମୋ ନିଜର ଆତ୍ମ-ଅନ୍ୱେଷଣ । ମନର କାଳାତୀତ କ୍ଷେତ୍ରରେ ମୁଁ ଖୋଜିବାକୁ ଚେଷ୍ଟା କରିଛି ମାନବ ସଭ୍ୟତାର ଏହି କାଳଜୟୀ ଉତ୍କର୍ଷମାନଙ୍କର ପରିଚୟକୁ, ସେମାନଙ୍କ ସହ ଏକତ୍ମତାକୁ ଅନୁଭବ କରି । ସେମାନଙ୍କର ପରିଚୟକୁ ଦେଖିଛି ମୋ’ ଭିତରେ ଓ ମୋ ପରିଚୟକୁ ପାଇଛି ସେମାନଙ୍କ ମଧ୍ୟରେ । ମୋ ଭାଇ, ଭାଉଜ, ବନ୍ଧୁ, ସ୍ତ୍ରୀ, ଝିଅ ଓ ସର୍ବୋପରି ପରିବେଶ ଆଜିଯାଏ ସାହାଯ୍ୟ କରି ଆସିଛନ୍ତି ମୋତେ ନିଜ ପରିଚୟରେ ବଞ୍ଚିବାକୁ । ଏହି ସପ୍ତାଶ୍ଚର୍ଯ୍ୟର ସମ୍ଭାରଟି ତେଣୁ ସେମାନଙ୍କ ପାଇଁ ଉତ୍ସର୍ଗତ । ସଂସାରର ସବୁଠାରୁ ବଡ଼ ବିସ୍ମୟ ‘ଜୀବନ' । ଏଣୁ ମୁଁ ଆଶା କରେ ଯେ ବିସ୍ମୟକର ଜୀବନ ହିଁ ଆମକୁ ଦିନେ ନା ଦିନେ ସବୁଠୁ ଆଶ୍ଚର୍ଯ୍ୟ କରିଦେବ ।
<gap>“ପୌରୁଷ ପତ୍ରିକାରେ, ଏକ ସ୍ୱତନ୍ତ୍ର ଯୋଜନାରେ, ଧାରାବାହିକ ଭାବରେ ଏହି ଲେଖାଗୁଡ଼ିକ ପ୍ରକାଶ ପାଇଥିଲା । ତିନିଟି ପର୍ଯ୍ୟାୟରେ ମୋଟ ୨୧ଟି ଲେଖାକୁ ନେଇ ଏହି ଯୋଜନା । ପ୍ରଥମ ପର୍ଯ୍ୟାୟରେ ଅଛି ଇତିହାସରେ ସର୍ବପ୍ରଥମ ସପ୍ତାଶ୍ଚର୍ଯ୍ୟର ମାନ୍ୟତା ପାଇଥିବା ସାତଟି ମାନବକୃତ କୀର୍ତ୍ତି । ଏହା ପରେ ‘ଆମ ସମୟର ସପ୍ତାଶ୍ଚର୍ଯ୍ୟ ଓ 'ଭାରତର ସପ୍ତାଶ୍ଚର୍ଯ୍ୟ' ପର୍ଯ୍ୟାୟରେ ଆଉ ସାତଟି ଲେଖାଏଁ ଲେଖା ରହିଛି । ଆଜି ପ୍ରଥମ ସାତଟି ଲେଖାକୁ ନେଇ ଏହି ପୁସ୍ତକ ପ୍ରକାଶିତ ହେବା ବେଳେ ମୁଁ ତେଣୁ ସବୁଠୁ ବେଶି ଧନ୍ୟବାଦ ଜଣାଉଛି ‘ପୌରୁଷ'ର ସଂପାଦନା ମଣ୍ଡଳୀର ସଦସ୍ୟମାନଙ୍କୁ । ଏହି ପୁସ୍ତକକୁ ପ୍ରକାଶ କରି ଏହାକୁ ବୃହତ୍ତର ପାଠକଙ୍କ ପାଖରେ ପହଞ୍ଚାଇ ଥିବାରୁ ‘ଆମ ଓଡ଼ିଶା’ ମଧ୍ୟ ମୋର ଅଜସ୍ର ଧନ୍ୟବାଦର ପାତ୍ର ।

ଶିବ କୁମାର ଦାସ