ପୃଷ୍ଠା:Saptascharya.pdf/୪୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମୋର ବିରାଟତା ହିଁ ସମସ୍ତଙ୍କୁ ଆକୃଷ୍ଟ କରିଥିଲା ମୋ ଆଡକୁ । ଷ୍ଟ୍ରାବୋଙ୍କ ବକ୍ତବ୍ୟ ମୋର ପ୍ରଚାରରେ ସହାୟକ ହୋଇଥିଲା । କବିମାନେ ଲେଖିଲେ, ମୋ ବିରାଟତା ଠିକ୍‍ ଭାବରେ ବର୍ଣ୍ଣନା କରୁଥିଲା ଦେବରାଜଙ୍କ ପରିଚୟକୁ । ସାଧାରଣ ଲୋକ ଆସୁଥିଲେ ଜିଅସ୍‍ଙ୍କ ଏପରି ରୂପ ଦେଖିବାକୁ ଯିଏ ଠିଆ ହୋଇପଡ଼ିଲେ ମନ୍ଦିରର ସୁଉଚ୍ଚ ଛାତ ବି ଭାଙ୍ଗିଯିବ । ତେଣୁ ମୁଁ ଖୁବ୍‍ ଜୀବନ୍ତ ଭାବେ ଗଢ଼ାଯାଇଥିଲି । 'କ୍ରିସେଲେଫ୍ୟାଣ୍ଟାଇନ୍‍ ନିର୍ମାଣ କଳାରେ ମୂର୍ତ୍ତିମାନଙ୍କୁ ଜଣେ ମଣିଷର ଦେହଭଳି ନିର୍ମାଣ କରାଯାଏ । ମୋର ମୁଖ୍ୟ ଆଧାର ବା ହାଡ଼ର କଙ୍କାଳ ନିର୍ମାଣ ହୋଇଥିଲା ସୁଦୃଢ଼ କାଠସ୍ତମ୍ଭମାନଙ୍କ ଦ୍ୱାରା । ଏହି ଆଧାର ଉପରେ ହାତୀଦାନ୍ତର ଖଣ୍ତମାନଙ୍କୁ ମାଂସ ଭାବେ ବ୍ୟବହାର କରାଯାଇଥିଲା ମୋର ଦେହର ନିର୍ମାଣପାଇଁ । ସୁନାର ଚଦରରେ ତିଆରି କରାଯାଇଥିଲା ମୋର ବସ୍ତ୍ର, କେଶ ଓ ସାଞ୍ଜୁ । ବସ୍ତ୍ରର ସୁନ୍ଦରତାକୁ ବଢ଼ାଯାଇଥିଲା ଛାଞ୍ଚଦ୍ୱାରା ତିଆରି ବିରାଟ କାଚଖଣ୍ତଦ୍ୱାରା । ମୋର ସାରା ଦେହ ଓ ମୁକୁଟରେ ଶୋଭା ପାଉଥିଲା ମୂଲ୍ୟବାନ ରତ୍ନ ।

ସପ୍ତାଶ୍ଚର୍ଯ୍ୟ ୪୭