ପୃଷ୍ଠା:Saptascharya.pdf/୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମଣିଷ ଖୋଜେ, ଚିନ୍ତା କରେ ଓ ତୁଳନା କରିପାରେ । ଏଣୁ ଆଶ୍ଚର୍ଯ୍ୟ ହେବା ମଣିଷମାନଙ୍କର ଜନ୍ମଗତ ଗୁଣ । ଜ୍ଞାନର ଚିର ଋଦ୍ଧିମନ୍ତ ପରିଧି ସହ ଆଶ୍ଚର୍ଯ୍ୟ ହେବାର ଆଶଙ୍କା କମିବା ସ୍ୱାଭାବିକ । କିନ୍ତୁ ନିଜ ପରାକାଷ୍ଠାର ପରିପ୍ରକାଶ ପାଇଁ ମଣିଷ ବେଳେ ବେଳେ ଏପରି କିଛି କରିପକାଏ ଯାହା ସମୟର ବନ୍ଧନକୁ ଛିନ୍ନ କରି କାଳ କାଳ ପାଇଁ ହୋଇଯାଏ ମାନବସମାଜ ପାଇଁ ଆଶ୍ଚର୍ଯ୍ୟ ।
ସପ୍ତାଶ୍ଚର୍ଯ୍ୟର ପରିକଳ୍ପନା ଆଜିର ନୁହେଁ । ପ୍ରାୟ ୨୫୦୦ବର୍ଷ ପୂର୍ବେ ପ୍ରଥମେ ଏହାର ପରିକଳ୍ପନା ହୋଇଥିଲା ଗ୍ରୀସ୍‌ରେ । କେହି ଜାଣେ ନାହିଁ କାହିଁକି ବଛା ଯାଇଥିଲା ‘୭’ ସଂଖ୍ୟାଟିକୁ । ଏହାକୁ ନେଇ ନାନା ମୁନିଙ୍କର ନାନା ମତ । ବିଶ୍ୱର ଅଧିକାଂଶ ଧର୍ମରେ '୭' ଏକ ଆଧ୍ୟାତ୍ମିକ ସଂଖ୍ୟା । ଏହା କୁଆଡ଼େ ଉଚିତ ଆଦର୍ଶର ପରିଚାୟକ । ପୃଥିବୀରୁ ଖାଲି ଆଖିରେ ଦେଖାଯାଉଥିବା ପାଞ୍ଚଟି ଗ୍ରହ-ମଙ୍ଗଳ, ବୁଧ, ବୃହସ୍ପତି, ଶନି ଓ ଶୁକ୍ର ସହ ମହାକାଶର ଅନ୍ୟ ଦୃଶ୍ୟମାନ ବସ୍ରୁ ସୂର୍ଯ୍ୟ ଓ ଚନ୍ଦ୍ରକୁ ମିଶାଇଲେ ସାତ ହୁଏ । ଯୋଗୀମାନେ କହନ୍ତି, ଆମ ମେରୁଦଣ୍ଡରେ ଅଛି ସାତଟି ଚକ୍ର, ସଂଗୀତରେ ଅଛି ସପ୍ତସ୍ୱର ଓ ଇନ୍ଦ୍ରଧନୁରେ ସାତଟି ରଙ୍ଗ । ଇହୁଦୀ, ମୁସଲମାନ ଓ ଖ୍ରୀଷ୍ଟିଆନମାନଙ୍କ ମତରେ ଭଗବାନ ସାତ ଦିନରେ ସଂସାରକୁ ରଚନା କରିଥିଲେ । ଆମ ପୃଥିବୀ ମଧ୍ୟ ସପ୍ତଦ୍ୱୀପ ଓ ସପ୍ତ ସାଗରକୁ ନେଇ ଗଢ଼ା । ମୂଳରୁ ହିଁ ସାରା ବିଶ୍ୱରେ ସପ୍ତାହକୁ ସାତ ଦିନରେ ବାଣ୍ଟିଛନ୍ତି ବିଭିନ୍ନ ସଂସ୍କୃତିର ଲୋକମାନେ ।
ମଣିଷ ନିର୍ମିତ ବସ୍ତୁମାନଙ୍କର ଏକ ସାତଟିକିଆ ତାଲିକା ପ୍ରସ୍ତୁତ କରିବାର ପ୍ରଚେଷ୍ଟା ପ୍ରଥମେ କରିଥିଲେ ଗ୍ରୀକ୍ ଇତିହାସକାର ହେରୋଡ଼ୋଟସ୍ (ଖ୍ରୀଷ୍ଟପୂର୍ବ ୪୮୪- ଖ୍ରୀଷ୍ଟପୂର୍ବ ୪୨୫) । କିନ୍ତୁ ତାଙ୍କ ଦୃଷ୍ଟିକୋଣର ପରିଧି ନିଶ୍ଚିତ ଭାବରେ ଥିଲା ସୀମିତ । ଗ୍ରୀସ୍ ଅଧୀନରେ ଥିବା ୟୁରୋପ ଓ ମଧ୍ୟପ୍ରାଚ୍ୟ ଅଞ୍ଚଳର ବସ୍ତୁଗୁଡ଼ିକୁ ହିଁ ସେ ବାଛିଥିଲେ ନିଜ ‘ଆଶ୍ଚର୍ଯ୍ୟ' ତାଲିକା ପାଇଁ । ତାଙ୍କ ପରେ ଆଉ ଜଣେ ଶ୍ରୀ ପଣ୍ଡିତ କ୍ୟାଲିମ୍ୟାଚସ ବି ତିଆରି କରିଥିଲେ ଏକାଭଳି ସପ୍ତାଶ୍ଚର୍ଯ୍ୟର ତାଲିକା - ଖ୍ରୀଷ୍ଟପୂର୍ବ ୩୦୫ରୁ ୨୪୦ ମଧ୍ୟରେ । ସେ ଏହି ତାଲିକା ତିଆରି କରିଥିଲେ ମିଶରର

ସପ୍ତାଶ୍ଚର୍ଯ୍ୟ ୭