ପୃଷ୍ଠା:Saptascharya.pdf/୭୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସ୍ଥପତିମାନେ ମୋର ସୁନ୍ଦରତା ଓ ବିରାଟତାର ଚିନ୍ତାରେ ଏତେ ମଜ୍ଜି ଯାଇଥିଲେ ଯେ ସେମାନେ ମୋର ସ୍ଥାୟିତ୍ୱ ନେଇ ବିଶେଷ କିଛି ଚିନ୍ତା କରି ନ ଥିଲେ । ଭୂମିକମ୍ପର ପ୍ରକୋପ କଥା ସଂପୂର୍ଣ୍ଣ ଭୁଲିଯାଇଥିଲେ । ଆଉ ମୋତେ ଧ୍ୱସ୍ତ କଲା ଏକ ଭୂମିକମ୍ପ । ମାତ୍ର ୫୬ ବର୍ଷର କଞ୍ଚା ବୟସରେ ମୁଁ ଭୂଲୁଣ୍ଠିତ ହେଲି ଖ୍ରୀଷ୍ଟପୂର୍ବ ୨୨୬ରେ । ରୋହ୍‍ଡ଼ସ୍‍ ସହର ବି କ୍ଷତିଗ୍ରସ୍ତ ହୋଇଥିଲା ଏହି ଭୂମିକମ୍ପଦ୍ୱାରା । ମୋର ସବୁଠାରୁ ଦୁର୍ବଳ ଯୋଡେ଼ଇ ଥିଲା ଆଣ୍ଠୁ ପାଖରେ । ଦୁଇ ଗୋଡ଼ ଉପରେ ଏହିଠାରେ ଯୋଡ଼ା ଯାଇଥିଲା ଉପରେ ନିର୍ମିତ ବିରାଟ ଦେହକୁ । ମୋର ଉପର ଅଂଶ ଆଣ୍ଠୁ ପାଖରୁ ଭାଙ୍ଗି ତଳକୁ ଖସି ପଡ଼ିଲା ।
ରୋହ୍‍ଡ଼ସ୍‍ର ବନ୍ଧୁ ଇଜିପ୍ଟ ଆଗେଇ ଆସିଥିଲା ପୁନଃନିର୍ମାଣରେ ସାହାଯ୍ୟ କରିବାକୁ । ଟୋଲେମିଙ୍କ ଉତ୍ତରାଧିକାରୀ ଟୋଲେମି ତୃତୀୟ ରୋହ୍‍ଡ଼ସ୍‍ ନିବାସୀଙ୍କୁ କହିଲେ ଯେ ମୋର ପୁନଃର୍ନିର୍ମାଣ ହେବା ଦରକାର । ଟୋଲେମି ତୃତୀୟ ମୋର ସମସ୍ତ ଖର୍ଚ୍ଚ ବହନ କରିବାକୁ ରାଜିଥିଲେ । କିନ୍ତୁ ଭୂମିକମ୍ପର ଧ୍ୱଂସଲୀଳା ବିଶେଷ କରି ମୋର ପତନ ରୋହ୍‍ଡସ୍‍ବାସୀଙ୍କୁ ମର୍ମାହତ କରିଥିଲା । କାରଣ ମୁଁ ଥିଲି ହେଲିଓସ୍‍ଙ୍କ ଶକ୍ତି ଓ ସାର୍ମ୍ୟର ପ୍ରତୀକ । ସେମାନେ ଭାବିଲେ ଏହା ହୁଏତ କୌଣସି ଦୈବୀ ନିର୍ଦ୍ଦେଶର ପ୍ରତୀକ । ସେମାନେ ଜଣେ ତ‌ଥାକଥିତ ଦିବ୍ୟଦ୍ରଷ୍ଟା ବା 'ଅରାକଲ୍‍'ଙ୍କ ପରାମର୍ଶ ନେଲେ । ପ୍ରାଚୀନ ଗ୍ରୀସ୍‌ରେ ଦେବଦେବୀ ମାନଙ୍କ ପୁରୋହିତଙ୍କ ମଧ୍ୟରୁ କିଛି ମନୋନୀତ ପୁରୋହିତଙ୍କୁ ଭବିଷ୍ୟଦ୍ରଷ୍ଟା ବା 'ଅରାକଲ୍‍' କୁହାଯାଉଥିଲା । ସାଧାରଣ ଜନତା ଓ ଶାସକମାନେ ଏମାନଙ୍କ ପରାମର୍ଶ ଅନୁଯାୟୀ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରୁଥିଲେ ।

୭୨ ସପ୍ତାଶ୍ଚର୍ଯ୍ୟ