ପୃଷ୍ଠା:Saptascharya.pdf/୭୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ରୋହ୍‍ଡ଼ସ୍‍ ଆକ୍ରମଣ କଲେ ଆରବର ଯୋଦ୍ଧାମାନେ । ଗ୍ରୀକ୍‍ ସାମ୍ରାଜ୍ୟ ଓ ଏହାର ବିଶ୍ୱାସ ସ୍ତମ୍ଭଗୁଡିକ ସେତେବେଳକୁ ଧ୍ୱସ୍ତ ହୋଇ ସାରିଥିଲେ । ନୂତନ ଧାର୍ମିକ ବିଶ୍ୱାସର ସାମ୍ରାଜ୍ୟବାଦ ନିଶାରେ ଚୁର୍‍ ଏହି ଆରବ ଯୋଦ୍ଧାମାନଙ୍କୁ ମୁଁ ପ୍ରଭାବିତ କରି ପାରିଲିନି । ସେମାନଙ୍କ ନଜରରେ ମୁଁ କୌଣସି କଳାକୃତିର ବିସ୍ମୟକର ଅବଶେଷ ନ ଥିଲି । ଏହି ଯୋଦ୍ଧାମାନଙ୍କପାଇଁ ମୁଁ ଥିଲି ବିକ୍ରି ହୋଇ ପାରିଲାଭଳି ଧାତବ ସମ୍ପଦ । ପ୍ରାୟ ଆଠଶହ ବର୍ଷଧରି ଭୂଲୁଣ୍ଠିତ ମୋର ବିରାଟ କାଂସ୍ୟ ନିର୍ମିତ ଶରୀରକୁ ସେମାନେ ଭାଙ୍ଗି ପକେଇଲେ । ଦିନେ ଯୁଦ୍ଧାସ୍ତ୍ରଗୁଡ଼ିକ ପରିବର୍ତ୍ତିତ ହୋଇଥିଲେ ମୋ ଭଳି ଏକ ବିଶାଳ କଳାକୃତିରେ । ହିଂସ୍ରତା ପାଲଟି ଯାଇଥିଲା ସୁନ୍ଦରତାରେ । ସମୟର ଚକ ଗଡ଼ିଥିଲା ଆଉ ତରବାରି ନିର୍ଦ୍ଦେଶରେ ମୋର ଭାସ୍କର୍ଯ୍ୟ ଓ ସୌନ୍ଦର୍ଯ୍ୟ ପରିବର୍ତ୍ତିିତ ହୋଇଗଲା ପଣ୍ୟରେ । ଏ ସବୁ ଘଟିଥିଲା କେବଳ ମାନସିକତା ଓ ଦୃଷ୍ଟିର ପରିବର୍ତ୍ତନ ଯୋଗୁଁ । ମୋତେ ଭାଙ୍ଗି କଂସା ଓ ଲୁହା ଟୁକୁରାର ବିରାଟ ଗଦାରେ ପରିବର୍ତ୍ତନ କରିଥିଲେ ଏହି ଆରବ ଆକ୍ରମଣକାରୀମାନେ । ଏହି ବିଶାଳ ଧାତବ ସଂପଦକୁ କିଣି ପାରିଲା ଭଳି ଜଣେ ଈହୁଦୀ ବ୍ୟବସାୟୀଙ୍କୁ ସିରିଆରେ ଖୋଜିି ବାହାର କରାଗଲା । ମୋର ଧାତବ ଦେହାଂଶକୁ ୯୦୦ଟି ଓଟରେ ଲଦି ସିରିଆକୁ ବୁହାଗଲା । ଏଥିରୁ ମୋର ବିରାଟତା ସହଜରେ ଅନୁମେୟ ।
ମୁଁ ନ ଥିଲେ ମଧ୍ୟ ମୋର ସ୍ମୃତି ଓ ମୋତେ ନିର୍ମାଣ କରିବାର ପ୍ରୟାସକୁ ମଣିଷ ସମାଜ ଭୁଲି ପାରିନି । ମୋ'ରି ଭଳି ଆମେରିକାରେ ନ୍ୟୁୟର୍କ ପୋତାଶ୍ରୟର ପ୍ରବେଶ ପରେ ଠିଆହୋଇଛି ଷ୍ଟାଚ୍ୟୁ ଅଫ୍‍ ଲିବର୍ଟି । ଏହାର ଫରାସୀ ସ୍ଥପତି ଅଗଷ୍ଟ ବାର୍‌ଥୋଲ୍‌ଡ଼ି ମୋର ସ୍ମୃତିଦ୍ୱାରା ଅନୁପ୍ରାଣିତ ହୋଇଥିଲେ । ଷ୍ଟାଚ୍ୟୁ ଅଫ୍‍ ଲିବର୍ଟି ରୂପରେ ସ୍ୱାଧୀନତାର ଆଲୋକବର୍ତ୍ତିିକା ବହନ କରୁଥିବା ଜଣେ ଦେବୀଙ୍କର କଳ୍ପନା କରାଯାଇଥିଲା । ଏହାର ନିର୍ମାଣ ୧୮୮୩ରେ କବି ଇମ୍ମା ଲାଜାରସ୍‌ଙ୍କୁ ପ୍ରେରିତ କରିଥିଲା ଏକ କବିତା ଲେଖଖିବାକୁ । ଇମ୍ମାଙ୍କୁ ଏହି ନୂତନ ସ୍ଥାପତ୍ୟ ମୋର ପୁନର୍ଜନ୍ମ ଭଳି ମନେ ହୋଇଥିଲା । ତେଣୁ ସେ ନିଜ କବିତାର ନାମ ଦେଇଥିଲେ 'ଦ ନିୟୁ କଲୋସସ୍‍' । ଏହି କବିତାକୁ ଷ୍ଟାଚ୍ୟୁ ଅଫ୍‍ ଲିବର୍ଟିର ପାଦପୀଠ ମଧ୍ୟରେ ଥିବା ଏକ ଧାତବ ଅଂଶ ଉପରେ ଖୋଦେଇ କରି ଲେଖା ଯାଇଛି ।
ଗତ କେତେ ଦଶନ୍ଧି ଧରି ମୋତେ ରୋହ୍‍ଡ଼ସ୍‍ଠାରେ ପୁନର୍ନିର୍ମାଣ କରିବାର ଯୋଜନା କରାଯାଇଛି । ଏଭଳି ଏକ ଯୋଜନା ପ୍ରସ୍ତୁତ ହୋଇଥଲା ୧୯୭୦ରେ । ଏହି ଯୋଜନା ପୁଣିରେ ମୁଣ୍ଡ ଟେକିଲା ୨୦୦୮ରେ । କିନ୍ତୁ ଏଥିପାଇଁ ଆବଶ୍ୟକ ବିରାଟ ପୁଞ୍ଜି ବିନିଯୋଗ । ୨୦୦୮ ମସିହାର ଆକଳନ ଅନୁଯାୟୀ ମୋର ନୂତନ ସତ୍ତାର ନିର୍ମାଣପାଇଁ ୨୦କୋଟି ୟୁରୋରୁ ଅଧିକ ଖର୍ଚ୍ଚ ହୋଇପାରେ । ଏଣୁ ଏହି ଯୋଜନା ଆଗେଇ ପାରି ନାହିଁ । ହେଲେ ଏଥିପାଇଁ ମୁଁ ଚିନ୍ତିତ ନୁହେଁ । କାରଣ ମୁଁ ଜାଣେ ଯେ କୌଣସି ପ୍ରୟାସ ମହତ୍ତ୍ୱହୀନ ନୁହେଁ । କାରଣ ମୁଁ ଏଭଳି ଏକ ହଜିଯାଇଥିବା ସୌଧ ଯାହାର ସ୍ମୃତି ସବୁବେଳେ ବୁଝାଇବ ପ୍ରୟାସର ଚିରନ୍ତନତାକୁ ।

୭୬ ସପ୍ତାଶ୍ଚର୍ଯ୍ୟ