ପୃଷ୍ଠା:Sarala Bhashatattwa.pdf/10

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ସରଳ ଭାଷାତତ୍ତ୍ୱ

ଚିହ୍ନ ପ୍ରଭୃତିର ପ୍ରୟୋଗଦ୍ୱାରା ଏମାନଙ୍କର ଅର୍ଥପ୍ରକାଶ କ୍ଷମତା ମଧ୍ୟ ପୃଥକ୍ । ଶବ୍ଦମାନଙ୍କର ଅନୂଶୀଳନ କରିବା ସମୟରେ ଏହି ସବୁ କାରଣରୁ ଏ ଶବ୍ଦ ଦୁଇଟିକୁ ପୃଥକ୍ ପୃଥକ୍ ଭାବରେ ଆଲୋଚନା କରିବା ପ୍ରୟୋଜନ ହୋଇଥାଏ ।

ଶବ୍ଦର ସମ୍ୟକ୍ ପରିଚୟ ପାଇବା ଭାଷାତତ୍ତ୍ୱର ପ୍ରଧାନ ବିଚାର୍ଯ୍ୟ ବିଷୟ । ପରିଚୟ ପତ୍ର ଯେତେ ସମ୍ପୂର୍ଣ୍ଣ, ଯେତେ ବିଶଦ, ଯେତେ ପ୍ରାମାଣିକ ହେବ ଶବ୍ଦମାନଙ୍କର ଭାଷାତତ୍ତ୍ୱ ଦିଗରୁ ଆଲୋଚନା ମଧ୍ୟ ତେତେ ସମ୍ପୂର୍ଣ୍ଣ ବୋଲି ପରିଗଣିତ ହେବ । ଓଡ଼ିଆ ଭାଷାରେ ବ୍ୟବହୃତ ପ୍ରତ୍ୟେକ ପଦର ଉତ୍ପତ୍ତି, ପ୍ରୟୋଗବିଧି, ଅର୍ଥର କ୍ରମ ବିକାଶ ପ୍ରଭୃତି ବିଷୟରେ ଯଦି ଜ୍ଞାନଲାଭ କରିପାରୁଁ ତେବେ ଯାଇ ଓଡ଼ିଆ ଭଷାତତ୍ତ୍ୱ ଆମ୍ଭମାନଙ୍କର ଅଧିଗତ ବୋଲି ଆମ୍ଭେମାନେ କହିପାରୁଁ । ଭାଷାପ୍ରେମୀ ସମସ୍ତଙ୍କର ଏ ବିଷୟରେ କୌତୁହଳୀ ହେବା ସ୍ୱାଭାବିକ । ଅବଶ୍ୟ ଶବ୍ଦମାନଙ୍କର ପ୍ରୟୋଗ ସମୟରେ ଭାଷାତତ୍ତ୍ୱର ଜ୍ଞାନ ପ୍ରୟୋଜନ ହୁଏ ନାହିଁ । ଶବ୍ଦମାନଙ୍କରେ ସାଧାରଣ ବ୍ୟବହାର ପଦ୍ଧତି ବିଷୟରେ ଜ୍ଞାନ ଥିଲେ ଆମ୍ଭେମାନେ ନିଜର ମନୋଭାବର ପ୍ରକାଶ କରିପାରୁଁ କିନ୍ତୁ ସେ ପ୍ରକାର ଭାଷାଜ୍ଞାନ ଲାଭ କରିବା ଅତ୍ୟନ୍ତ ସହଜସାଧ୍ୟ ହେଲେହେଁ ଭାଷାତତ୍ତ୍ୱ ଅନୁସାରେ ଓଡ଼ିଆ ଶବ୍ଦମାନଙ୍କର ରୂପଗତ, ଅର୍ଥଗତ, ପ୍ରୟୋଗଗତ ଇତିହାସ ଅନୁସରଣ କରିବା ଅତ୍ୟନ୍ତ ଦୁରୂହ ବ୍ୟାପାର ।

ବର୍ଣ୍ଣ ଓ ଅକ୍ଷର:- କୌଣସି ଶବ୍ଦକୁ ବିଶ୍ଳେଷିତ କଲେ ଆମ୍ଭେମାନେ ସର୍ବାଦୌ ତହିଁରେ କେତେକ ଧ୍ୱନିଗତ ଓ ରୂପଗତ ପୃଥକ୍ ସତ୍ତାମାନଙ୍କର ସମାବେଶ ଓ ବିନ୍ୟାସ ବିଷୟରେ ଅବହିତ ହେଉଁ । ଏହି ମୂଳ ବସ୍ତୁମାନଙ୍କୁ 'ବର୍ଣ୍ଣ' ଆଖ୍ୟା ଦିଆଯାଇଥାଏ । 'ରାମ' ଏହି ଶବ୍ଦଟିରେ ର୍+ଆ+ମ୍+ଅ ଏହି ଚାରିଗୋଟି ବର୍ଣ୍ଣର ସମାବେଶ ଘଟିଅଛି । 'ର୍' ର ଗୋଟିଏ ଧ୍ୱନିସୂଚକ ଉଚ୍ଚାରଣ ଅଛି ଓ ତାହାର ଗୋଟିଏ ଲିଖନ ପଦ୍ଧତି ବା ଧ୍ୱନିର ସାଙ୍କେତିକ ରୂପ ମଧ୍ୟ ଅଛି । ଏହି ସାଙ୍କେତିକ ରୂପକୁ ସାଧାରଣତଃ ଅକ୍ଷର ବୋଲାଯାଏ ଏବଂ ଉଚ୍ଚାରଣ ଓ ଅକ୍ଷରର ସାମଞ୍ଜସ୍ୟସୂଚକ ସଂକେତକୁ ବର୍ଣ୍ଣ ବୋଲାଯାଇଥାଏ । ପ୍ରଥମେ ଧ୍ୱନିର ଅନୁକରଣ କରାଯାଇ ପରେ ଅକ୍ଷର ସୃଷ୍ଟ ହେଲା, କିମ୍ବା ପରିଚିତ ବସ୍ତୁ ବା ପ୍ରାଣୀମାନଙ୍କର ରୂପର ଅନୂକରଣ କରାଯାଇ ଶବ୍ଦ ସୃଷ୍ଟ ହେଲା, ସେ ବିଷୟରେ ବର୍ତ୍ତମାନ ମଧ୍ୟ କେତେକ ସ୍ଥଳରେ ସନ୍ଦେହର ଅବକାଶ ଅଛି । ମାତ୍ର ଅଧିକାଂଶ ଭାଷାରେ ପ୍ରଥମରେ ଉଚ୍ଚାରଣ ବା ଧ୍ୱନିମୂଳକ ଶବ୍ଦମାନଙ୍କର ବ୍ୟବହାର ପ୍ରଚଳିତ ହୋଇ ଅନେକ କାଳ ପରେ ରୂପମୂଳକ ଅକ୍ଷରମାଳାର ପ୍ରଚଳନ ହୋଇଥିଲା,