ପୃଷ୍ଠା:Sarala Bhashatattwa.pdf/100

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

୯୫

ସରଳ ଭାଷାତ‌ତ୍ତ୍ୱ

ଅପ୍ରଚଳିତ ଓ ସଂସ୍କୃତ ବ୍ୟାକରଣ ଅନୁସାରେ ଅଶୁଦ୍ଧ ହେଲେହେଁ (ସଂ ଛାତ୍ର ‌- ଛାତ୍ରା; ପାତ୍ର-ପାତ୍ର) ଓଡ଼ିଆରେ ସୁପ୍ରଚଳିତ । ଅକାଟ୍ୟ, ବିତରିତ, ବରିତ, ସୃଜିତ, ପ୍ରବହମାନ, ମାନବିକ, ସିଞ୍ଚନ, ବିକୀରଣ ପ୍ରଭୃତିରେ ମଧ୍ୟ ଏକ ଦିଗରେ ଅନୂକରଣପ୍ରବୃତ୍ତି ଓ ଅନ୍ୟ ଦିଗରେ ବ୍ୟାକରଣଗତ ଅଜ୍ଞତା ପ୍ରକାଶ ପାଉଅଛି । ମାତ୍ର ଭାଷାତ୍ତ୍ୱ ଦିଗରୁ ଏପରି ଅନୁକରଣପ୍ରବୃତ୍ତିରେ କୌଣସି ଦୋଷ ନାହିଁ, ବରଂ ଏପରି ଅଜ୍ଞତାଜନିତ ଅନୁକରଣଦ୍ୱାରାହିଁ ଭାଷା ଅନେକ ସମୟରେ ସମୃଦ୍ଧ ହୋଇଅଛି । ଭାଷାର ଗତି ବା ଇତିହାସ ଅନୁସରଣ କଲେ ଆମ୍ଭେମାନେ ଦେଖୁଁ ଯେ ସାଧାରଣତଃ ଆଦିମ ଅବସ୍ଥାରେ ଆଦୌ ସଙ୍କେତମାନଙ୍କର ବ୍ୟବହାର ନ ଥିଲା । ପରବର୍ତ୍ତୀ ଯୁଗରେ ସଙ୍କେତମାନଙ୍କର ବ୍ୟବହାର ବହୁଳଭାବରେ ପ୍ରବର୍ତ୍ତିତ ହେଲା । ତତ୍ପରବର୍ତ୍ତୀ ଯୁଗରେ ପୁଣି ସଙ୍କେତମାନଙ୍କର ବ୍ୟବହାରରେ ସଂକୋଚ ସାଧିତ ହୋଇ କେତେଗୁଡ଼ିଏ ସଙ୍କେତ ରକ୍ଷିତ ହେଲା, ପୁଣି ଅନେକ ସ୍ଥଳରେ ସଙ୍କେତର ଅଭାବ ଅନ୍ୟ ନାନା ଆକାରରେ ପୂରଣ କରାଯାଇଥିଲା । ଓଡ଼ିଆରେ ସଙ୍କେତର ବ୍ୟବହାର ଓ ସଙ୍କେତର ପ୍ରୟୋଗର ଅଭାବରୁ ଦୁଇଗୋଟି ରୀତି ସମୟ ସମୟରେ ଦେଖାଯାଏ । ସେମାନଙ୍କୁ ଶ୍ରେଣୀବଦ୍ଧ କରିବାର ପ୍ରୟାସ ମଧ୍ୟ ହୋଇଅଛି । ଆମ୍ଭେମାନେ କହୁଁ 'ଗାଡ଼ି କଲେଜ ଗଲା'; ଏଠାରେ କଲେଜ ସହିତ ପ୍ରଯୁକ୍ତ ସଙ୍କେତ 'କୁ' ଊହ୍ୟ ରହିଅଛି ଅର୍ଥାତ୍ 'କଲେଜକୁ' ଓ 'କଲେଜ' ଉଭୟ ପ୍ରକାର ପ୍ରୟୋଗ ଶୁଦ୍ଧ । କିନ୍ତୁ ବ୍ୟବହାରରୀତିରେ 'ଗାଡ଼ି ଡାକ' 'ଗାଡ଼ିବାଲାକୁ ଡାକ' ଏଭଳି ପ୍ରୟୋଗ ସାଧାରଣତଃ ହେଉଥିବାରୁ ପ୍ରାଣୀବାଚକ ଓ ଅପ୍ରାଣୀବାଚକ ଶବ୍ଦକ୍ଷେତ୍ରରେ ପ୍ରୟୋଗର ପାର୍ଥକ୍ୟ ବ୍ୟାକରଣ ମାନଙ୍କରେ ସୂଚିତ ହୋଇଥାଏ । ମାତ୍ର ବାସ୍ତବରେ ସଙ୍କେତ ଚିହ୍ନର ବିଲୋପ ଭାଷାର ଦ୍ୱିତୀୟ ସ୍ତରକୁ ନିର୍ଦ୍ଦେଶିତ କରୁଅଛି । 'ସେ ବହି ଲେଖିଲା', 'ସେ ଟଙ୍କା ଦେଲା', 'ସେ ମାମଲା କଲା' ପ୍ରଭୃତି ପ୍ରୟୋଗମାନଙ୍କରେ ସାଙ୍କେତିକ 'କୁ' ର ଲୋପ ଭାଷାତତ୍ତ୍ବ ଅନୂସାରେ ସାଧାରଣ ରୀତିରୂପେ ପ୍ରଚଳିତ ହେବାହିଁ ବିଧି । ପୁଣି 'ଗାଡ଼ି ଡାକ' ଓ 'ଗାଡ଼ିକୁ ଡାକ' ଏହି ଦୁଇ ବାକ୍ୟରେ 'କୁ'ର ବ୍ୟବହାରଦ୍ୱାରା 'ନିର୍ଦ୍ଦେଶ' ସୂଚିତ ହେଉଅଛି ଓ ଏହା ଓଡ଼ିଆରେ ଏକ ବିଶେଷ ପ୍ରୟୋଗବିଧି ।

ଭାଷାତତ୍ତ୍ୱ ଆଲୋଚନା କରିବା ସମୟରେ ପ୍ରତ୍ୟେକ ସଙ୍କେତର ଉତ୍ପତ୍ତି, ଇତିହାସ, ପ୍ରୟୋଗବିଧି, ପରିଣତି ଓ ତାହା ଉପରେ ଅନ୍ୟ ଭାଷାମାନଙ୍କରେ ବ୍ୟବହୃତ ସଙ୍କେତର ପ୍ରଭାବ ପ୍ରଭୃତି ସମସ୍ତ ଆଲୋଚନା କରିବାକୁ ହୋଇଥାଏ । ଏପରି ଆଲୋଚନା ଏକ ଦୁରୂହ ବ୍ୟାପାର । କାରଣ ଶବ୍ଦମାନଙ୍କର ଉତ୍ପତ୍ତି ଓ ଅର୍ଥଗତ ବିକାର ବିଷୟରେ ଅନେକ ସ୍ଥାନରେ ସୁସ୍ପଷ୍ଟ ଇଙ୍ଗିତ ଥିଲେହେଁ