ପୃଷ୍ଠା:Sarala Bhashatattwa.pdf/101

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ସଙ୍କେତମାନଙ୍କର ଉତ୍ପତ୍ତି ବିଷୟରେ ଏପରି ସୂଚନା ମିଳେ ନାହିଁ । ତେଣୁ ଆମ୍ଭମାନଙ୍କୁ ଅନେକ କ୍ଷେତ୍ରରେ ଅନୁମାନ ଉପରେ ନିର୍ଭର କରିବାକୁ ହୋଇଥାଏ । ଭାଷାର ପ୍ରାଚୀନ ସ୍ତରର ସମ୍ୟକ୍ ଆଲୋଚନା ଏ ବିଷୟରେ ଏକମାତ୍ର ନିର୍ଭର ଯୋଗ୍ୟ ଉପାଦାନ । କିନ୍ତୁ ଏଠାରେ ମଧ୍ୟ ଅନୁମାନ କୁ ନିୟନ୍ତ୍ରିତ କରିବାକୁ ହେବ, କାରଣ କେବଳ ଓଡ଼ିଆରେ ବ୍ୟବହୃତ ସମ୍ବନ୍ଧ ସୂଚକ 'ର' ସଙ୍କେତ (ରାମର ବହି) ଓ ଛୋଟ ନାଗପୁର ଅଞ୍ଚଳର ଅସୁରଜାତିର ଭାଷାରେ 'ରା' ସମ୍ବନ୍ଧସୂଚକ ଚିହ୍ନରୂପେ ବ୍ୟବହୃତ ହେବାର ଦେଖି ଏହି ସଙ୍କେତଟି ଓଡ଼ିଆରେ ଅସୁରଭାଷାରୁ ଗୃହୀତ ହୋଇଅଛି ବୋଲି ଅନୁମାନ କରିବା ଭାଷାତ‌ତ୍ତ୍ୱାନୁମୋଦିତ ନୁହେଁ; କାରଣ କୌଣସି ସମୟରେ ଏ ଦୁଇଭାଷା ପରସ୍ପର ସହିତ ସମ୍ପୃକ୍ତ ହେବାର ଇତିହାସ ନାହିଁ କିମ୍ବା ଓଡ଼ିଆରେ ଅସୁର ଭାଷାର ଅନ୍ୟ କୌଣସି ପ୍ରକାର ଅନୁକୃତିର ଚିହ୍ନ ମଧ୍ୟ ଆମ୍ଭେମାନେ ପାଉ ନାହିଁ । ଅନ୍ୟ ଦିଗରେ ଓଡ଼ିଆ 'କୁ' ଦ୍ରାବୀଡ଼ ଭାଷାରୁ ଅନୁକୃତ ଏ ବିଷୟରେ ବିଶେଷ ସନ୍ଦେହର ଅବକାଶ ନାହିଁ, କାରଣ ଉଭୟ ଭାଷା ମଧ୍ୟରେ ସମ୍ପର୍କର ବହୁ ନିଦର୍ଶନ ଆମ୍ଭେମାନେ ପାଇଥାଉଁ । ଏଣୁ କୌଣସି ସିଦ୍ଧାନ୍ତ ଅନୁମାନ ଉପରେ ନିର୍ଭର କରିବାକୁ ହେଲେ ସେ ବିଷୟରେ ଉପଯୁକ୍ତ ପ୍ରମାଣ ଭାଷାତ‌ତ୍ତ୍ୱରେ ସର୍ବାଦୌ ପ୍ରୟୋଜନ ଓ ଉପଯୁକ୍ତ ପ୍ରମାଣ ନ ଥିଲେ ବାସ୍ତବ ଓ ପ୍ରକୃତ ଅନୁମାନ ମଧ୍ୟ ସ୍ୱୀକୃତ ହୋଇ ପାରେ ନାହିଁ । ଓଡ଼ିଆର କ୍ରମ ବିକାଶ ଆଲୋଚନା କଲେ ଆମ୍ଭେମାନେ ଦେଖୁଁ ଯେ, ଏହି ଭାଷାରେ ବ୍ୟବହୃତ ଶବ୍ଦମାନ ଅଧିକାଂଶ ମୂଳତଃ ସଂସ୍କୃତରୁ ଉଦ୍ଭୂତ ହୋଇଥିଲେହେଁ ସଂସ୍କୃତ ବ୍ୟାକରଣ ଗତ ନାନା ସଙ୍କେତ ଏଥିରେ ଲୁପ୍ତ ହୋଇ ଯାଇଅଛି । ନାନାପ୍ରକାର ସାଙ୍କେତିକ ଚିହ୍ନ ଅନ୍ୟ ଭାଷାମାନଙ୍କରୁ ଆହୃତ ହୋଇଅଛି, ଭାଷାର ବ୍ୟବହାର ରୀତିରେ ମଧ୍ୟ ନାନାପ୍ରକାର ପରିବର୍ତ୍ତନ ଘଟିଅଛି । ସଂସ୍କୃତର ଦ୍ୱିବଚନ ଓଡ଼ିଆ ଭାଷାରୁ ସମ୍ପୂର୍ଣ୍ଣଭାବରେ ଅନ୍ତର୍ହିତ ହୋଇଅଛି, ପ୍ରକୃତିଗତ ଲିଙ୍ଗ ପ୍ରତିଷ୍ଠିତ ହୋଇଅଛି ଓ ବିଭିନ୍ନ ଶବ୍ଦମାନଙ୍କର କାରକଗତ ରୂପମାନଙ୍କ ମଧ୍ୟରେ ମଧ୍ୟରେ ସମତା ସୃଷ୍ଟି କରାଯାଇଅଛି । ଯେଉଁ ଭାଷା ସମ୍ପୂର୍ଣ୍ଣଭାବରେ ସାଙ୍କେତିକ ଚିହ୍ନ ଦ୍ବାରା ନିୟନ୍ତ୍ରିତ, ତାକୁ ଭାଷାତତ୍ତ୍ବରେ synthetic ବା ସଂଶ୍ଳେଷିତ ଭାଷା ବୋଲାଯାଏ । ଅପରପକ୍ଷରେ ଯେଉଁ ଭାଷାରେ ସାଙ୍କେତିକ ଚିହ୍ନର ବ୍ୟବହାର ଆଦୌ ନାହିଁ ବା ଅତ୍ୟନ୍ତ ଅଳ୍ପ, ତାକୁ analytic ବା ବିଶ୍ଳେଷିତ ଭାଷା ବୋଲାଯାଇ ପାରେ । ଏହି ଅନୁସାରେ ସଂସ୍କୃତ, ଲାଟିନ ପ୍ରଭୃତି ଭାଷାକୁ ସଂଶ୍ଳେଷିତ ଭାଷା ବୋଲାଯାଏ ଓ ଇଂରାଜୀକୁ ବିଶ୍ଳେଷିତ ଭାଷା ବୋଲାଯାଏ, ମାତ୍ର ଓଡ଼ିଆ ସଂଶ୍ଳେଷିତ ଭାଷା ନ