ହୋଇଥିଲେହେଁ ଏଥିରେ ସାଙ୍କେତିକ ଚିହ୍ନମାନଙ୍କର ପ୍ରୟୋଗ ଏତେ ସୁସ୍ପଷ୍ଟ ଓ ସେମାନଙ୍କର ପ୍ରଭାବ ଏତେ ବ୍ୟାପକ ଯେ, ଏହାକୁ ପୂର୍ଣ୍ଣଭାବରେ ବିଶ୍ଳେଷିତ ଭାଷା ମଧ୍ୟ ବୋଲାଯାଇ ନ ପାରେ । ବାସ୍ତବରେ ଏହା ଉଭୟ ପ୍ରକାର ଭାଷାର ମଧ୍ୟ ସ୍ତର ଓ ଉଭୟ ପ୍ରକାର ଭାଷାର ଲକ୍ଷଣ ଯୁକ୍ତ ବୋଲି ମନେ କରାଯାଇ ପାରେ । ଏଣୁ ଏହି ଭାଷାର ବ୍ୟାକରଣ ବା ଶବ୍ଦମାନଙ୍କର ପ୍ରୟୋଗବିଧି ମଧ୍ୟ ଏହି କ୍ରମ ବିକାଶର ସ୍ତରକୁ ଲକ୍ଷ୍ୟ ରଖି ଲିଖିତ ହେବା ଉଚିତ ।
ଭାଷାଗୋଷ୍ଠୀ
ପୃଥିବୀରେ ଆଜିକାଲି ନାନାଭାଷା ପ୍ରଚଳିତ । ପ୍ରତ୍ୟେକ ଦେଶରେ ମଧ୍ୟ ଏକାଧିକ ଭାଷା କଥିତ ହେଉଅଛି । ବର୍ତ୍ତମାନ ଯାତାୟାତର ସୁବିଧାଯୋଗୁଁ ଓ ପୃଥିବୀର ଯେ କୌଣସି ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ସୁକର ହେବାରୁ ଭାଷାଗତ ପାର୍ଥକ୍ୟ ଲୋକମାନଙ୍କର ଏକ ବିଶେଷ ଅସୁବିଧାର କାରଣ ହୋଇଅଛି । ବର୍ତ୍ତମାନ ସାରା ପୃଥିବୀରେ ଗୋଟିଏ ଭାଷା ପ୍ରଚଳିତ କରିବାର ଚେଷ୍ଟା କରାଯାଉଅଛି । ଅବଶ୍ୟ କେତେକ ସ୍ଥାନରେ ରାଜନୈତିକ କାରଣରୁ ଓ ଅନ୍ୟ କେତେକ ସ୍ଥାନରେ ଅର୍ଥନୈତିକ ସମ୍ପର୍କରୁ ବିଦେଶୀ ଭାଷା ଅନାୟାସରେ ଓ ଅବାଧରେ ସୁପ୍ରଚଳିତ ହେଉଅଛି ଓ ଅନେକ ସମୟରେ ଦେଶ ମଧ୍ୟରେ ଐକ୍ୟ ସ୍ଥାପନର ସହାୟକ ମଧ୍ୟ ହେଉଅଛି ମାତ୍ର ଦେଶଭେଦରେ ବିବିଧ ଭାଷାମାନଙ୍କ ମଧ୍ୟରେ ପାର୍ଥକ୍ୟ ଏତେ ସ୍ପଷ୍ଟ ଯେ, ଭାଷାର ବିଭିନ୍ନତା ମନୁଷ୍ୟମାନଙ୍କ ମଧ୍ୟରେ ମନାନ୍ତରର କାରଣ ହୋଇଅଛି ଓ ମିଥ୍ୟା ଦେଶାତ୍ମବୋଧ ବା ଭ୍ରାନ୍ତ ଗୋଷ୍ଠୀବୋଧ ମଧ୍ୟ ଜାତ କରାଇଅଛି । ଭାଷାତତ୍ତ୍ୱରେ ପ୍ରଚଳିତ ଭାଷାମାନଙ୍କୁ ଶ୍ରେଣୀବିଭାଗ କରିବାର ଚେଷ୍ଟା କରାଯାଇଥାଏ ଓ ଭାଷାର ଉତ୍ପତ୍ତି କିମ୍ବା ପ୍ରୟୋଗବିଧି ଏହିପରି ଶ୍ରେଣୀବିଭାଗର ମାନରୂପେ ନିର୍ଦ୍ଦିଷ୍ଟ ହୋଇଥାଏ । ଅନେକ ସମୟରେ ଏକ ମୂଳ ଭାଷାରୁ ଉତ୍ପନ୍ନ ବିବିଧ ଭାଷା ମଧ୍ୟରେ ଏକ ପ୍ରକାରର ପ୍ରୟୋଗବିଧି ଲକ୍ଷିତ ହୁଏ ନାହିଁ, ଏଣୁ ଉଭୟ ପ୍ରକାର ଶ୍ରେଣୀବିଭାଗରେ ବିଶୃଙ୍ଖଳା ଜାତ ହେବା ସ୍ୱାଭାବିକ । ଅନ୍ୟ ଦିଗରେ ଓଡ଼ିଆ ସଂସ୍କୃତରୁ ଉତ୍ପନ୍ନ ହେଲେହେଁ ଓ ଓଡ଼ିଆକୁ ସଂସ୍କୃତ ସହିତ ଉତ୍ପତ୍ତିଗତ ମାନ ଦ୍ୱାରା ଏକଶ୍ରେଣୀଭୁକ୍ତ କରାଗଲେହେଁ ପ୍ରୟୋଗବିଧି ଅନୁସାରେ ଓଡ଼ିଆ ସଂସ୍କୃତରୁ ଭିନ୍ନ । କାରଣ ଓଡ଼ିଆ ମୁଖ୍ୟତଃ ବିଶ୍ଳେଷିତ ଭାଷା ଓ ସଂସ୍କୃତ ସଂଶ୍ଳେଷିତ ଭାଷା । ଉତ୍ପତ୍ତିଗତ ଗୋଷ୍ଠୀ ନିରୂପଣ କରିବାକୁ ହେଲେ ଭାଷାରେ ବ୍ୟବହୃତ ଶବ୍ଦମାନଙ୍କର ଉତ୍ପତ୍ତିକୁ ଆଲୋଚନା କରିବାକୁ ହୁଏ । ଭାଷା ମଧ୍ୟରେ ନାନା ବୈଦେଶିକ ଭାଷାର ଶବ୍ଦ ଅବାଧରେ