ପୃଷ୍ଠା:Sarala Bhashatattwa.pdf/103

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

୯୮ ସରଳ ଭାଷାତତ୍ତ୍ୱ

ବ୍ୟବହୃତ ହେଉଥିଲେହେଁ ମୂଖ୍ୟ ଭାଷାର ମୂଳ ଶବ୍ଦମାନଙ୍କର ଉତ୍ପତ୍ତି ଆଲୋଚନା କରାଯାଇ ଶ୍ରେଣୀର ନିର୍ଦ୍ଦେଶ ଦିଆଯାଇଥାଏ । ପୁଣି ପ୍ରୟୋଗବିଧି ଅନୁସାରେ ଭାଷାକୁ ଶ୍ରେଣୀବିଭାଗ କରିବାକୁ ହେଲେ ଭାଷାରେ ବ୍ୟବହୃତ ଶବ୍ଦମାନଙ୍କର ବ୍ୟାକରଣଗତ ସମ୍ପର୍କ ବିଷୟରେ ନିର୍ଦ୍ଦେଶ ଦେବାକୁ ହୋଇଥାଏ । ପ୍ରୟୋଗବିଧି ଅନୁସାରେ ଭାଷାମାନଙ୍କୁ ମୂଖ୍ୟତଃ ତିନିଗୋଟି ଶ୍ରେଣୀରେ ବିଭକ୍ତ କରାଯାଇଥାଏ- (୧) ବିଛିନ୍ନ ଶବ୍ଦଯୁକ୍ତ ଭାଷା (୨)ସଂଯୁକ୍ତ ଶବ୍ଦଯୁକ୍ତ ଭାଷା ଓ (୩) ବିଭକ୍ତ୍ୟନ୍ତ ବା ସାଙ୍କେତିକ ଚିହ୍ନଯୁକ୍ତ ଭାଷା । ଅବଶ୍ୟ ଏହି ଶ୍ରେଣୀବିଭାଗ ପୂର୍ଣ୍ଣ ବା ବିଜ୍ଞାନସମ୍ମତ ନୁହେଁ ଓ ପୃଥିବୀର ଭାଷାମାନଙ୍କୁ ବାସ୍ତବରେ ଏପରି ଭାବରେ ଶ୍ରେଣୀବଦ୍ଧ କରିବା ଭାଷାତତ୍ତ୍ୱାନୁମୋଦିତ ନୁହେଁ; କିନ୍ତୁ ଏହି ରୀତି ସାଧାରଣତଃ ଅବଲମ୍ବିତ ହୋଇଥାଏ । ଏପରି ଅନେକ ଭାଷା ଅଛି, ଯାହା ବାସ୍ତବରେ ଏହି ତିନି ଶ୍ରେଣୀ ମଧ୍ୟରୁ ଠିକ୍ କେଉଁ ଶ୍ରେଣୀର ଅନ୍ତର୍ଗତ ହେବ, ତାହା ନିଶ୍ଚିତଭାବରେ କହିବା ଅସମ୍ଭବ । ପୁଣି ସଂଯୁକ୍ତ ଶବ୍ଦଯୁକ୍ତ ଭାଷା ଅଧିକାଂଶ ସମୟରେ ସାଙ୍କେତିକ ଚିହ୍ନଯୁକ୍ତ ଭାଷାରେ ପରିଣତ ହୋଇଥାଏ ଓ ଏମାନଙ୍କ ମଧ୍ୟରେ ସୀମା ରେଖା ନିଶ୍ଚିତଭାବରେ ଦିଆଯାଇ ପାରେ ନାହିଁ । ମାତ୍ର ସୂକ୍ଷ୍ମ ବିଚାର ନ କରି ସାଧାରଣତଃ ଏପରି ଭାବରେ ତିନିଶ୍ରେଣୀରେ ବିଭକ୍ତ କରିବା ରୀତି ସୁପ୍ରଚଳିତ । ଚୀନ ଦେଶର ଭାଷା ବିଚ୍ଛିନ୍ନ ଶବ୍ଦଯୁକ୍ତ ଭାଷା, ଅର୍ଥାତ ଚୀନଭାଷାରେ ପ୍ରତ୍ୟେକ ଭାବର ଦ୍ୟୋତକ କେତେଗୁଡ଼ିଏ ଶବ୍ଦ ପ୍ରଚଳିତ ଅଛି । ଏହି ଶବ୍ଦମାନଙ୍କ ସଂଖ୍ୟା ପ୍ରାୟ ୪୦,୦୦୦; ପ୍ରତ୍ୟେକ ଶବ୍ଦ ନିମନ୍ତେ ଗୋଟିଏ ଅକ୍ଷର ପ୍ରଚଳିତ, ପ୍ରତ୍ୟେକ ଶବ୍ଦ ବିଚ୍ଛିନ୍ନ ଭାବରେ ଓ ଅନ୍ୟ କୌଣସି ପ୍ରତ୍ୟୟ, ବିଭକ୍ତିଚିହ୍ନ, ଉପପଦ, ଉପସର୍ଗ ପ୍ରଭୃତି କୌଣସି ସାଙ୍କେତିକ ଚିହ୍ନ ଅବଲମ୍ବନ ନ କରି ବାକ୍ୟରେ ବ୍ୟବହୃତ ହୋଇଥାଏ । ଆମ୍ଭେମାନେ କହୁଁ , ‘ରାମ ଘରକୁ ଯିବ’ ଓ ଏହି ବାକ୍ୟରେ ‘କୁ’ ସାଙ୍କେତିକ ଚିହ୍ନଦ୍ୱାରା ଘର ସହିତ ଯିବାର ସମ୍ପର୍କ ନିର୍ଦ୍ଦିଷ୍ଟ ହେଉଅଛି ଏବଂ ଯିବ ଶବ୍ଦରେ ‘ଯା’ ଧାତୁର ବିକୃତିଦ୍ୱାରା ଯିବାର କାଳ, ବଚନ ଓ ପୁରୁଷ ପ୍ରଭୃତି ମଧ୍ୟ ସୂଚିତ ହେଉଅଛି; ମାତ୍ର ଚୀନ ଭାଷାରେ ‘ରାମ ଘର ଯା’ ଏହିପରି ବିଚ୍ଛିନ୍ନଭାବରେ ଶବ୍ଦଗୁଡ଼ିକ ବ୍ୟବହୃତ ହୋଇଥାଏ ଓ ବାକ୍ୟ ମଧ୍ୟରେ ଶବ୍ଦମାନଙ୍କର ଅବସ୍ଥାନଦ୍ୱାରା ସେମାନଙ୍କର ସମ୍ପର୍କ ବା ଅର୍ଥଗତ ପରିବର୍ତ୍ତନ ସୂଚିତ ହୋଇଥାଏ, ଏପରି କି ‘ଘର’ ଅର୍ଥସୂଚକ ପଦ ବାକ୍ୟର ଶେଷରେ ବ୍ୟବହୃତ ହେଲେ ସଂପୂର୍ଣ୍ଣ ଭିନ୍ନ ଅର୍ଥ ମଧ୍ୟ ସୂଚିତ କରିପାରେ । ଏଣୁ ଚୀନ ଭାଷାକୁ ବିଚ୍ଛିନ୍ନ ଶବ୍ଦଯୁକ୍ତ ଭାଷାର ପ୍ରକୃଷ୍ଟ ଉଦାହରଣରୂପେ ଗ୍ରହଣ କରାଯାଇଥାଏ ।