ପୃଷ୍ଠା:Sarala Bhashatattwa.pdf/104

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ସରଳ ଭାଷାତତ୍ତ୍ୱ

୯୯

ପୁଣି କେତେକ ଭାଷାରେ ଶବ୍ଦଗୁଡିକ କେବଳ ସଂଯୁକ୍ତ ହୋଇ ବ୍ୟବହୃତ ହୋଇଥାଏ । ଇଂରାଜୀରେ ଦୃତଉଚ୍ଚାରଣ ସମୟରେ How do you do ? ଏହି ଚାରୋଟି ଶବ୍ଦ ଯେପରି ଗୋଟିଏ ଶବ୍ଦରେ ପରିଣତ ହୁଏ, ସେହିପରି କେତେକ ଭାଷାରେ ଶବ୍ଦଗୁଡିକ ପରସ୍ପର ସହିତ ସମ୍ବନ୍ଧ ହୋଇ ଅର୍ଥ ପ୍ରକାଶିତ କରେ । ତୁର୍କୀ, ମାଗ୍ୟାର, ଜାପାନୀ ପ୍ରଭୃତି କେତେକ ଭାଷା ଏହି ଶ୍ରେଣୀର ଓ ଏମାନଙ୍କ ମଧ୍ୟରେ ତୁର୍କୀ ଭାଷାରେ ଏହି ରୀତି ଅଧିକ ପ୍ରଚଳିତ । ଓଡିଆରେ ଆମ୍ଭେମାନେ 'ପିଲା ସବୁ' ଶବ୍ଦକୁ ପିଲାର ବହୁବଚନରୂପେ ବ୍ୟବହାର କରିଥାଉଁ ଓ ଏଠାରେ ଦୁଇଗୋଟି ଭିନ୍ନ ଶବ୍ଦକୁ ଏକତ୍ର ସଂଯୁକ୍ତ କରିବାର ପ୍ରୟାସ କରାଯାଇଅଛି । ଏପରି ପ୍ରୟୋଗବିଧି ଓଡିଆରେ ଅଧିକ ନୁହେଁ, ମାତ୍ର ତୁର୍କୀ ଭାଷାରେ ଏହାହିଁ ପ୍ରଚଳିତ ରୀତି ଓ ତୁର୍କୀରେ 'ମୁଁ ଘରକୁ ଯିବି' ଏହି ଅର୍ଥ ଘର ଓ ଯା+ମୁଁ+ପରେ ଏହିପରି ଦୁଇଗୋଟି ଶବ୍ଦଦ୍ୱାରା ପ୍ରକାଶିତ ହୋଇଥାଏ ।
ଏହିପରି ଶବ୍ଦ ସଂଯୋଗରୁ କ୍ରମଶଃ ଶଭଗୁଡିକ କ୍ଷୟପ୍ରାପ୍ତ ହୋଇ ବିଭକ୍ତି ଚିହ୍ନ ଓ ପ୍ରତ୍ୟୟ ଆଦି ସାଙ୍କେତିକ ପ୍ରୟୋଗମାନଙ୍କରେ ପରିଣତ ହୋଇଥିବା ସମ୍ଭବ ହୋଇଥିଲେହେଁ ଏ ବିଷୟରେ ନିଶ୍ଚିତଭାବରେ କିଛି କୁହାଯାଇ ପାରେ ନାହିଁ । ମାତ୍ର ବର୍ତ୍ତମାନ ଯେଉଁ ସବୁ ଭାଷାରେ ଏପରି ସାଙ୍କେତିକ ଚିହ୍ନମାନ ପ୍ରଯୁକ୍ତ ହୋଇଥାଏ, ସେ ସବୁ ପୂର୍ବୋକ୍ତ ସଂଯୁକ୍ତ ଶବ୍ଦଯୁକ୍ତ ଭାଷାମାନଙ୍କରୁ ପୃଥକ୍ ବୋଲି ଅନୁମାନ କରାଯାଏ । ସଂଯୁକ୍ତ ଶବ୍ଦଯୁକ୍ତ ଭାଷାମାନଙ୍କରେ ମଧ୍ୟ ଅନେକ ପ୍ରକାର ଶ୍ରେଣୀବିଭାଗ କଳ୍ପିତ ହୋଇଥାଏ । କୌଣସି କୌଣସି ଭାଷାରେ ଦୁଇ ତିନୋଟି ପୃଥକ ଶବ୍ଦ ଏକତ୍ର ସଂଯୁକ୍ତ ହୋଇଥାଏ, ପୁଣି କେତେକ ଭାଷାରେ କେବଳ ସର୍ବନାମପଦ କ୍ରିୟାପଦ ସହିତ ସଂଯୁକ୍ତ ହୋଇଥାଏ ଓ ଏପରି ସଂଯୁକ୍ତ ପଦରେ କେତେକ ଭାଷାରେ କ୍ରିୟାପଦଟି ପୂର୍ବରେ ବସେ ଓ ଅନ୍ୟ କେତେକ ଭାଷାରେ ତାହା ପରେ ବ୍ୟବହୃତ ହୁଏ । ଏପରି ସୂକ୍ଷ୍ମ ଶ୍ରେଣୀବିଭାଗର ଆଲୋଚନା ଏ ଗ୍ରନ୍ଥରେ କରିବା ସମ୍ଭବ ନୁହେ ।
ଯେଉଁ ଭାଷାମାନଙ୍କରେ ସାଙ୍କେତିକ ଚିହ୍ନମାନଙ୍କର ବ୍ୟବହାର ସୁସ୍ପଷ୍ଟ, ସେମାନଙ୍କୁ ଗୋଟିଏ ବିଶେଷ ଶ୍ରେଣୀରେ ବିଭକ୍ତ କରାଯାଇଥାଏ‌- ସଂସ୍କୃତ, ଇଂରାଜୀ, ଓଡିଆ, ଆର୍ବି ପ୍ରଭୃତି ଏହି ଶ୍ରେଣୀର ଅନ୍ତର୍ଗତ । ମାତ୍ର ଏମାନଙ୍କ ମଧ୍ୟରେ କେତେକ ଭାଷାରେ ସାଙ୍କେତିକ ଚିହ୍ନମାନଙ୍କ ବ୍ୟବହାରର ତାରତମ୍ୟ ଘେନି ପୁଣି ଏମାନଙ୍କୁ ନାନା ଶ୍ରେଣୀର ବିଭକ୍ତ କରାଯାଇଛି। ଏ ସବୁର ସୂକ୍ଷ୍ମ ବିଚାର ଏଠାରେ ସମ୍ଭବ ନୁହେ ଏବଂ ଏହି ସାଙ୍କେତିକ ଚିହ୍ନମାନଙ୍କର ଉତ୍ପତ୍ତି ସମ୍ବନ୍ଧରେ ମଧ୍ୟ ଅନୁମାନଙ୍କୁ ଆଶ୍ରୟ କରିବା ଭିନ୍ନ