ପୃଷ୍ଠା:Sarala Bhashatattwa.pdf/105

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


୧୦୦

ସରଳ ଭାଷାତତ୍ତ୍ୱ

ଗତ୍ୟନ୍ତର ନାହିଁ ଓ ଏ ବିଷୟରେ କୌଣସି ସ୍ଥିର ସିଦ୍ଧାନ୍ତରେ ଉପନୀତ ହେବା ମଧ୍ୟ ସମ୍ଭବ ନୁହେଁ ।
ଭାଷାମାନଙ୍କର ଉତ୍ପତ୍ତି ଘେନି ଶ୍ରେଣୀବିଭାଗ କଲେ ଆମ୍ଭେମାନେ ଦେଖୁଁ ଯେ, ଭାଷାରେ କେତେଗୁଡ଼ିଏ ଶବ୍ଦ ବହୁକାଳରୁ ପ୍ରଚଳିତ ଓ ଅନ୍ୟ କେତେ ଗୁଡ଼ିଏ ଶବ୍ଦ ବୈଦେଶିକ । ଅବଶ୍ୟ ବର୍ତ୍ତମାନ ପ୍ରତ୍ୟେକ ଭାଷାରେ ଅନେକ ବୈଦେଶିକ ଶବ୍ଦ ପ୍ରଚଳିତ ଏବଂ ବହୁ ପୁରାତନ କାଳରୁ ମଧ୍ୟ ଭାଷାରେ ଏପରି ଶବ୍ଦମାନଙ୍କର ପ୍ରଚଳନ ସମ୍ଭବପର ହୋଇଥାଇପାରେ; ମାତ୍ର ଭାଷାରେ ବ୍ୟବହୃତ ଶବ୍ଦମାନଙ୍କର ଆଲୋଚନା କରି ଆମ୍ଭେମାନେ ତାହାର ଉତ୍ପତ୍ତିଗତ ଶ୍ରେଣୀ ନିର୍ଣ୍ଣୟ କରିଥାଉଁ । ଓଡ଼ିଆରେ ବ୍ୟବହୃତ 'ଗାସ୍' ବା 'ଜଜ୍' ଶବ୍ଦ ଇଂରାଜିରୁ ଗୃହୀତ ବୋଲି ଯେ ଓଡ଼ିଆ ଭାଷା ଇଂରାଜିରୁ ଉତ୍ପନ୍ନ ତାହା ନୁହେ, କିମ୍ବା ଏଥିରେ ହଲପ, ରଫା, ମୁକାବିଲା ପ୍ରଭୃତି ଶବ୍ଦ ପ୍ରଚଳିତ ବୋଲି ଏହା ଯେ ଆରବୀ ଭାଷରୁ ଜାତ ତାହା ମଧ୍ୟ କୁହାଯାଇ ନ ପାରେ । ପୁଣି ଏହି ଭାଷାରେ ବ୍ୟବହୃତ ଅନେକ ଶବ୍ଦ ଦ୍ରାବିଡ଼ରୁ ଗୃହିତ ହୋଇଅଛି ଓ ଓଡ଼ିଆରେ ନାନା ପ୍ରୟୋଗ ବିଧି ଦ୍ରାବିଡ଼ଦ୍ୱାରା ବିଶେଷ ଭାବରେ ପ୍ରଭାବିତ ହୋଇଥିବା ସମ୍ଭବ; ମାତ୍ର ଓଡ଼ିଆ ଦ୍ରାବିଡ଼ ଭାଷାରୁ ଉତ୍ପନ୍ନ ବୋଲି ଆମ୍ଭେମାନେ କହି ନ ପାରୁ । ଅନ୍ୟ ଦିଗରେ ଆଲୋଚନା କଲେ ଅନେକ ଓଡ଼ିଆ ଶବ୍ଦ ସଂସ୍କୃତରୁ ଗୃହୀତ ହୋଇଥିଲେହେଁ ସେଗୁଡ଼ିକ ମୂଳତଃ ବୈଦେଶିକ । 'ଶିବ' ଶବ୍ଦ ଏହାର ପ୍ରକୃଷ୍ଟ ଉଦାହରଣ, 'ଶିବ' ଶବ୍ଦ ବେଦରେ ବ୍ୟବହୃତ ଓ 'ରୁଦ୍ର' ଶବ୍ଦ ମଧ୍ୟ ବେଦରେ ବ୍ୟବହୃତ । ଏହି ରୁଦ୍ର ଶବ୍ଦ ପ୍ରଚୀନ ଆର୍ଯ୍ୟ ଭାଷାର 'ରୁଧ୍ର'ରୁ ଗୃହୀର ଓ ରୁଧିର ଶବ୍ଦ ସହିତ ସଂପୃକ୍ତ । ଅଗ୍ନିର ରକ୍ତବର୍ଣ୍ଣକୁ ଆଶ୍ରୟ କରି ଏହି ଶବ୍ଦ ରକ୍ତିମ କରାଳ ଦେବତା ପ୍ରତି ପ୍ରଯୁକ୍ତ । ଅଗ୍ନି ପୁଣି ଶବ୍ଦଯୁକ୍ତ, ଏଣୁ ରୁଦ୍ରରେ ପରିଣତ ହେବା ପରେ ଶବ୍ଦ କରିବା ଅର୍ଥରେ ରୁଦ୍ ଧାତୁ କଳ୍ପିତ ହୋଇ ତହିଁରୁ ରୋଦନ ପ୍ରଭୃତି ଶବ୍ଦ ନିଷ୍ପନ୍ନ କରାଯାଇଛି । ରୁଦ୍ରଙ୍କ ରକ୍ତିମ ବର୍ଣ୍ଣକୁ ଆଶ୍ରୟ କରି ଦ୍ରାବିଡ଼ ଶେମ୍ୱୁ (=ତାମ୍ର) ଶବ୍ଦରୁ ଶିବ ଶବ୍ଦ ନିଷ୍ପନ୍ନ କରାଯାଇ 'ଶିବ' ଓ 'ରୁଦ୍ର' ଶବ୍ଦ ଏକାର୍ଥରେ ବ୍ୟବହୃତ ହୋଇ କାଳକ୍ରମେ ଶିବ ରୁଦ୍ରଙ୍କର ଅପର ନାମରୂପେ ପୁରାଣାଦିରେ ପ୍ରଚଳିତ ହେଲା ଓ ଏହାର ଅର୍ଥ 'ମଙ୍ଗଳକର' ବୋଲି ଗୃହୀତ ହେଲା । ଏଣୁ ମୂଳତଃ 'ଶିବ' ବୈଦେଶିକ ହେଲେହେଁ ବର୍ତ୍ତମାନ ଏହା ପୂର୍ଣ୍ଣ ସଂସ୍କୃତ ଶବ୍ଦ ରୂପରେ ବ୍ୟବହୃତ । ଏହିପରି 'ମୋଜା' ଶବ୍ଦ ବୈଦେଶିକ ବୋଲି ମେନେ ହେଲେହେଁ ଏହି ଶବ୍ଦଟି ବାସ୍ତବରେ ଗୋଟିଏ ପ୍ରାଚୀନ ଆର୍ଯ୍ୟ ଶବ୍ଦରୁ ଉତ୍ପନ୍ନ ଓ ମୂଳତଃ ଏହା ପେଲୁହବୀ (ପ୍ରଚୀନ ପାରସିକ) 'ମୋଚକ ଶବ୍ଦରୁ ଉତ୍ପନ୍ନ । 'ମୋଚକ'