Jump to content

ପୃଷ୍ଠା:Sarala Bhashatattwa.pdf/14

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୧
ସରଳ ଭାଷାତତ୍ତ୍ୱ

ଗୁଡିକ ଅସ୍ପଷ୍ଟ ଓ ଅନିଶ୍ଚିତ ଥିଲା ଓ ଘୁ ଘୁ ଶବ୍ଦ ଉଚ୍ଚାରଣ କଲେ ଝଞ୍ଜା ବା ଜଳପ୍ରପାତ ଉଭୟ ସୂଚିତ ହେବାର ଆଶଙ୍କା ଥିଲା । ମାତ୍ର କ୍ରମଶଃ ବ୍ୟବହାର ଦ୍ୱାରା ଏହି ଧ୍ୱନିମାନ ଗୋଟିଏ ବିଶେଷ ପଦାର୍ଥ ସହିତ ସଂଶ୍ଳିଷ୍ଟ ହେବାରୁ ବିଶେଷ ଅର୍ଥଦ୍ୟୋତନା କରିବାକୁ କ୍ଷମ ହୋଇଥିଲା ।

ଭାଷାର କ୍ରମବିକାଶର ଏହାହିଁ ପ୍ରଥମ ସୋପାନ, ଅର୍ଥାତ୍ ପ୍ରଥମେ ଧ୍ୱନି ସହିତ ପଦାର୍ଥର ସମ୍ବନ୍ଧର ନିଶ୍ଚିତତା ସ୍ଥାପନ କରାଯିବାରୁ ଭାଷାର ଅଭିବୃଦ୍ଧି ସମ୍ଭବ ହୋଇଥିଲା । କ୍ରମଶଃ ଅର୍ଥର ସମ୍ପ୍ରସାରଣ ଦ୍ୱାରା ଭାଷାର ଉନ୍ନତିର ଦ୍ୱିତୀୟ ସୋପାନ ଗଠିତ ହେଲା, ଅର୍ଥାତ ପ୍ରବହମାନ ନଦୀର କଳନାଦର ଅନୁକରଣରେ ଯେଉଁ ଶବ୍ଦ ରଚିତ ହେଲା, ତାହା କ୍ରମଶଃ ସମ୍ପ୍ରସାରିତ ହୋଇ ସବୁ ପ୍ରକାର ନାଦ ବା ଧ୍ୱନିକୁ ସୂଚିତ କଲା ଓ କ୍ରମଶଃ ଏହାର ମୂଳ ଧ୍ୱନିଗତ ଅର୍ଥ ବିସ୍ମୃତ ହେବାରୁ ଏହା ଏକ ଅର୍ଥଦ୍ୟୋତକ ମାତ୍ରା ରୂପରେ ବ୍ୟବହୃତ ହେବାକୁ ଲାଗିଲା । ଭାଷା ଯେତେବେଳେ କ୍ରମଶଃ ସମୃଦ୍ଧ ହେଲା ଓ ସାଧାରଣ ଲୋକେ ଭାବର ଆଦାନପ୍ରଦାନ ନିମନ୍ତେ ଭାଷାର ବ୍ୟବହାର କଲେ, ତେତେବେଳେ ଶବ୍ଦମାନଙ୍କର ମୌଳିକ ଧ୍ୱନିଗତ ଅର୍ଥ ବିସ୍ମୃତ ହୋଇଗଲା ଓ ବର୍ତ୍ତମାନ ଭାଷାତତ୍ତ୍ୱ ଆଲୋଚନା କରିବା ସମୟରେ ଆମ୍ଭେମାନେ ଏହି ପ୍ରାଚୀନ ଧ୍ୱନିଦ୍ୟୋତନାର ଉଲ୍ଲେଖ କଲେହେଁ ମୌଳିକ ଧ୍ୱନି ସହିତ ଭାଷାର ଶବ୍ଦମାନଙ୍କର ସାମଞ୍ଜସ୍ୟ ବର୍ତ୍ତମାନ ଅନୁସନ୍ଧାନ କରି ନିରୂପଣ କରିବା ସୁକଠିନ।

ଭାଷାରେ କୌଣସି ଶବ୍ଦ ମାତ୍ରାରୂପରେ ଅର୍ଥାତ୍ ମୂଳ ଧ୍ୱନି ସହିତ ବିଶ୍ଳିଷ୍ଟଭାବରେ ବ୍ୟବହୃତ ହେଲେ ସ୍ୱଭାବତଃ ଭାଷାରେ ଅନ୍ୟ ଅନୁକରଣ ଶବ୍ଦମାନଙ୍କର ଆବିର୍ଭାବ ହୋଇଥାଏ । କଳ ଶବ୍ଦ ସହିତ ନଦୀର କଳ ଧ୍ୱନିର ସମ୍ପର୍କ ବିସ୍ମୃତ ହେଲେ ସେହି ଧ୍ୱନିର ଅନୁକରଣରେ ଗଳ, ପଳ, ଖଳ, ହଳ, ବଳ, କର ପ୍ରଭୃତି ଶବ୍ଦ ମଧ୍ୟ ଗଠିତ ହେବା ସମ୍ଭବ ହୁଏ ଓ ଏହିପରି ନୂତନ ଅର୍ଥଦ୍ୟୋତକ ଶବ୍ଦମାନଙ୍କର ଗଠନଦ୍ୱାରା ଭାଷା ବିଶେଷଭାବରେ ସମୃଦ୍ଧ ହୁଏ । କେଉଁ ସମୟରେ କିପରିଭାବରେ ଭାଷା ଏହି ତିନି ଗୋଟି ସ୍ତର ଅତିକ୍ରମ କଲା, ସେ ବିଷୟରେ ଆମ୍ଭମାନଙ୍କର କୌଣସି ପ୍ରାକ୍-ଐତିହାସିକ ଯୁଗରେ ଏହା ସମ୍ଭବ ହୋଇଥିବ ଓ ଭାଷାର ଅଭିବୃଦ୍ଧି ଏହିପରି ଭାବରେ ନିୟନ୍ତ୍ରିତ ହୋଇଥିବ ଏପରି ଅନୁମାନ କରାଯାଇ ଥାଏ, କିନ୍ତୁ ସୁନିଶ୍ଚିତ ଭାବରେ କୌଣସି ଭାଷା ସମ୍ବନ୍ଧରେ ଏହି ସ୍ତର ଆଲୋଚନା କରିବା ନିମନ୍ତେ ଆମ୍ଭେମାନେ ଯଥେଷ୍ଟ ଉପାଦାନ ପାଉ ନାହିଁ, ଏଣୁ ଏହାର ବୈଜ୍ଞାନିକ ଆଲୋଚନା ମଧ୍ୟ ସମ୍ଭବ ହୁଏ ନାହିଁ। କିଏ ପ୍ରଥମରେ