ପୃଷ୍ଠା:Sarala Bhashatattwa.pdf/17

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ମଧ୍ୟରେ 'ଅ' କଣ୍ଠରୁ ଉତ୍ପନ୍ନ ଓ 'ଇ' ଓ 'ଉ' ତାଳୁ ଓ ଓଷ୍ଠଦେଶ ସହିତ ସମ୍ପୃକ୍ତ । ଭାଷାରେ ବ୍ୟବହୃତ ଶବ୍ଦମାନଙ୍କ ବିକାର ଆଲୋଚନା କରିବା ସମୟରେ ସ୍ୱରମାନଙ୍କର ଏହି ପାର୍ଥକ୍ୟ ପ୍ରତି ଦୃଷ୍ଟି ଦେବା ପ୍ରୟୋଜନ ହୋଇଥାଏ । ସଂସ୍କୃତରେ ଓ ସଂସ୍କୃତରୁ ଉତ୍ପନ୍ନ ଭାଷାମାନଙ୍କରେ ପୁଣି ଅନୁସ୍ୱାର ଓ ଚନ୍ଦ୍ରବିନ୍ଦୁର ବ୍ୟବହାରଦ୍ୱାରା ସ୍ୱରମାନଙ୍କର ଅନୁନାସିକ ଅଭିବ୍ୟକ୍ତି ଯେପରି ସହଜ ହୋଇଅଛି, ଅନ୍ୟାନ୍ୟ ଭାଷାରେ ତାହା ଦେଖାଯାଏ ନାହିଁ ।

ସଂସ୍କୃତରେ 'ଋ', 'ୡ' ପ୍ରଭୃତିକୁ ସ୍ୱରବର୍ଣ୍ଣ ପର୍ଯ୍ୟାୟରେ ବର୍ତ୍ତମାନ ଗଣନା କରାଯାଏ, ମାତ୍ର ଏଗୁଡ଼ିକ ବାସ୍ତବରେ ସ୍ୱର ନୁହନ୍ତି । ସଂସ୍କୃତରେ 'ଋ' ର ଉଚ୍ଚାରଣ କିପରି ଥିଲା, ଏହା ଘେନି ଅନେକ ବିବାଦ ହୋଇଥାଏ । କାରଣ ଏକ ଦିଗରେ ଏହା ବଙ୍ଗଳାରେ 'ରି' ଓ ଅନ୍ୟ ଦିଗରେ ଓଡ଼ିଆରେ 'ରୁ' ରୂପରେ ଉଚ୍ଚାରିତ ହୁଏ ଓ 'ବୃଦ୍ଧ' ଶବ୍ଦରୁ 'ବୁଢ଼ା' ଓ 'ବୃଶ୍ଚିକ' ଶବ୍ଦରୁ 'ବିଛା' ଶବ୍ଦମାନ ଉତ୍ପନ୍ନ ହୋଇଥିବାରୁ ଏହାର ଉଚ୍ଚାରଣ ବିଷୟରେ ସନ୍ଦେହ ଜାତ ହେବା ସ୍ୱାଭାବିକ । ଅନେକଙ୍କ ମତରେ ସଂସ୍କୃତରେ ଏହାର ଉଚ୍ଚାରଣ 'ଉ' ଓ 'ଇ'ର ମଧ୍ୟବର୍ତ୍ତୀ ଧ୍ୱନି ଥିଲା, କିନ୍ତୁ ବର୍ତ୍ତମାନ ଏ ବିଷୟରେ ସ୍ଥିରନିଶ୍ଚୟ କରି କିଛି କହିବା ଅସମ୍ଭବ ।

ବ୍ୟଞ୍ଜନବର୍ଣ୍ଣ ଗୁଡ଼ିକୁ ମଧ୍ୟ ସଂସ୍କୃତରେ ଉଚ୍ଚାରଣସ୍ଥାନ ଘେନି ନାନା ଶ୍ରେଣୀରେ ବିଭକ୍ତ କରାଯାଇଅଛି ଓ ଏହି ବିଭାଗ ମଧ୍ୟ ଆଦିମ ନୁହେଁ, ଭାଷାର ପ୍ରଥମ ଅବସ୍ଥାରେ ବ୍ୟଞ୍ଜନବର୍ଣ୍ଣମାନ ଏହିପରି ସୁବିନ୍ୟସ୍ତଭାବରେ ବ୍ୟବହୃତ ହେଉ ନ ଥିଲେ କିମ୍ବା ଅନ୍ୟାନ୍ୟ ଭାଷାରେ ମଧ୍ୟ ଏହିପରି ସୁବିନ୍ୟସ୍ତ ଭାବରେ ପ୍ରଯୁକ୍ତ ହୁଅନ୍ତି ନାହିଁ । ଓଡ଼ିଆରେ ପ୍ରଚଳିତ ବର୍ଗ୍ୟ ବ୍ୟଞ୍ଜନବର୍ଣ୍ଣମାନଙ୍କର ଆଲୋଚନା କଲେ ଆମ୍ଭେମାନେ ଦେଖୁଁ ଯେ, ସେମାନଙ୍କୁ ନିମ୍ନ ପ୍ରକାରେ ବିଭକ୍ତ କରାଯାଇପାରେ :-