ପୃଷ୍ଠା:Sarala Bhashatattwa.pdf/2

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଭୂମିକା

କିଛିଦିନ ପୂର୍ବେ ମୋର କେତେକ ବନ୍ଧୁ ଓଡ଼ିଶାର ଗୋଟିଏ ଦେଶୀୟ ରାଜ୍ୟରେ ଏକତ୍ରିତ ହେବାର ସୁଯୋଗ ପାଇ ସମ୍ମିଳିତଭାବରେ ଓଡ଼ିଆ ସାହିତ୍ୟ ଓ ଭାଷାର ଇତିହାସ ରଚନା କରିବା ନିମନ୍ତେ ଗୋଟିଏ ଯୋଜନା ପ୍ରସ୍ତୁତ କରିଥିଲେ । ଦୁର୍ଭାଗ୍ୟବଶତଃ ବନ୍ଧୁମାନେ ନାନା ଦିଗରେ ବିକ୍ଷିପ୍ତ ହୋଇଯିବା ପରେ ଯୋଜନା କଳ୍ପନାମାତ୍ରରେ ପର୍ଯ୍ୟବସିତ ହେଲା । ସେହି ଯୋଜନା ଅନୁସାରେ ଓଡ଼ିଆ ନାଟ୍ୟସାହିତ୍ୟର ଇତିହାସ ଓ ଓଡ଼ିଆ ଶବ୍ଦମାନଙ୍କର ବିକୃତି ବିଷୟରେ ଲେଖିବାର ଭାର ମୋ ଉପରେ ନ୍ୟସ୍ତ ହୋଇଥିଲା । ଭଗବାନଙ୍କ ଅନୁଗ୍ରହରୁ ନାଟ୍ୟସାହିତ୍ୟର ଇତିହାସ ଲିଖିତ ହୋଇ ବର୍ତ୍ତମାନ ଯନ୍ତ୍ରସ୍ଥ । 'ନବଭାରତ'ରେ ଏ ପୁସ୍ତକର କେତେକ ଅଂଶ ଧାରାବାହିକଭାବରେ ପ୍ରକାଶିତ ହୋଇଥିଲା । ଶବ୍ଦମାନଙ୍କର ବିକୃତି ବିଷୟରେ ଅଧିକାଂଶ ତଥ୍ୟ ସଂଗୃହୀତ ହୋଇଅଛି ଓ ଅଳ୍ପଦିନ ମଧ୍ୟରେ ଏ ପୁସ୍ତକଟି ସମ୍ପୂର୍ଣ୍ଣ ହୋଇ ପାରିବ ବୋଲି ଆଶା ଅଛି । ଓଡ଼ିଆ ଶବ୍ଦର ବିକୃତି ଆଲୋଚନା କରିବା ସମୟରେ ସେମାନଙ୍କର ପ୍ରୟୋଗବିଧି ବିଷୟରେ କୌତୂହଳ ଜାଗ୍ରତ ହେବାରୁ ଶବ୍ଦମାନଙ୍କର ବ୍ୟାକରଣଗତ ପ୍ରୟୋଗ ବିଷୟରେ ଖଣ୍ତିଏ ପୁସ୍ତକ ପ୍ରଣୟନ କରିଥିଲି ଓ ତହିଁର କେତେକ ଅଂଶ 'ଭଞ୍ଜପ୍ରଦୀପ'ରେ ପ୍ରକାଶିତ ହୋଇଥିଲା । ଓଡ଼ିଶାର ନେତୃସ୍ଥାନୀୟ ବ୍ୟକ୍ତିମାନଙ୍କ ସମ୍ମୁଖରେ ଉକ୍ତ ପୁସ୍ତକର ପାଣ୍ତୁଲିପି ଉପସ୍ଥାପିତ ହୋଇ ଆଲୋଚିତ ମଧ୍ୟ ହୋଇଅଛି । କିନ୍ତୁ ଭାଷାତତ୍ତ୍ୱରେ ସାଧାରଣ ଜ୍ଞାନ ନ ଥିଲେ ଶବ୍ଦମାନଙ୍କର ବିକୃତିବିଷୟକ ଗ୍ରନ୍ଥ ପାଠକ ମାନଙ୍କର ଦୁର୍ବୋଧ ହେବାର ଆଶଙ୍କାରେ ସେହି ପୁସ୍ତକ ସଂକଳନ କରିବା ପୂର୍ବରୁ ଭାଷାତତ୍ତ୍ୱର ସାଧାରଣ ନିୟମମାନ ସରଳ ଓ ସାମାନ୍ୟ ଭାବରେ ବିବୃତ କରିବାର ଚେଷ୍ଟା କରି ଏ ଗ୍ରନ୍ଥଖଣ୍ତିକ ପ୍ରକାଶ କରିବାକୁ ସାହସୀ ହୋଇଅଛି । ବିଷୟର ଗୁରୁତ୍ୱ ଦୃଷ୍ଟିରେ ପୁସ୍ତକର ଆକୃତି ନିତାନ୍ତ କ୍ଷୁଦ୍ର ହେଲେହେଁ ବାସ୍ତବରେ ଏହା ଓଡ଼ିଆ ଭାଷାତତ୍ତ୍ୱବିଷୟକ ଗ୍ରନ୍ଥର ଉପକ୍ରମଣିକା ମାତ୍ର ବିବେଚିତ ହୋଇ ପାରିଲେ ଓ ଏହି କ୍ଷୁଦ୍ର ପୁସ୍ତିକା ଭାଷାପ୍ରେମୀମାନଙ୍କୁ ଓଡ଼ିଆ ଭାଷା ବିଷୟରେ ଜ୍ଞାନଲାଭ କରିବାରେ କିଞ୍ଚିତ୍ ସାହାଯ୍ୟ କରି ପାରିଲେ ଶ୍ରମ ସାର୍ଥକ ମନେ କରିବି ।