ପୃଷ୍ଠା:Sarala Bhashatattwa.pdf/21

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପ୍ରୟୋଜନ ହୋଇଥାଏ । ସାଧାରଣତଃ କ୍ଷଣଧ୍ୱନି ଶବ୍ଦମାନଙ୍କର ଉଚ୍ଚାରଣ ଅଧିକ ପ୍ରୟାସସାପେକ୍ଷ, ପୁଣି ମହାପ୍ରାଣ ବର୍ଣ୍ଣମାନଙ୍କର ଉଚ୍ଚାରଣରେ ଅଧିକ ଶକ୍ତିର ପ୍ରୟୋଜନ ହୋଇଥାଏ, ଏଣୁ ଏହିସବୁ ବର୍ଣ୍ଣମାନଙ୍କର ଉଚ୍ଚାରଣରେ ବିକୃତି ଘଟିବା ସ୍ୱାଭାବିକ । ଅନୂନାସିକ ମ ଓ ନ ପରେ ର, ଳ ପ୍ରଭୃତି ଧ୍ୱନି ଉଚ୍ଚାରିତ ହେଲେ ସାଧାରଣତଃ ଆମ୍ଭେମାନେ ଅନ୍ୟ ଗୋଟିଏ ବର୍ଣ୍ଣର (ଯଥା ତ ବ ପ୍ରଭୃତିର) ଆଶ୍ରୟ ନେଇଥାଉଁ ଓ ଏହାଦ୍ୱାରା ଉଚ୍ଚାରଣ ସହଜସାଧ୍ୟ ମଧ୍ୟ ହୋଇଥାଏ । ସାଧାରଣ ଲୋକମାନଙ୍କର ଉଚ୍ଚାରଣ ବିକୃତି, ଆଳସ୍ୟ, ଶବ୍ଦମାନଙ୍କୁ ସହଜଭାବରେ ଉଚ୍ଚାରଣ କରିବାର ପ୍ରୟାସ, ପରବର୍ତ୍ତୀ ବର୍ଣ୍ଣର ଧ୍ୱନିର ପ୍ରଭାବ ଅନ୍ୟାନ୍ୟ ଭାଷାର ଶବ୍ଦମାନଙ୍କର ଉଚ୍ଚାରଣ ତାରତମ୍ୟ ପ୍ରଭୃତି ନାନା କାରଣରୁ ବର୍ଣ୍ଣମାନଙ୍କର ଧ୍ୱନିଗତ ରୂପର ବିକୃତି ଘଟିଥାଏ ଓ ଏହି ବିକୃତି ଯୋଗୁଁ ଭାଷା ନାନା ଭାବରେ ପରିବର୍ତ୍ତିତ ହୋଇଥାଏ । ଭାଷା ସର୍ବଦା ଗତିଶୀଳ ଓ ପ୍ରତ୍ୟେକ ଜୀବନ୍ତ ଭାଷାରେ ନାନା ପରିବର୍ତ୍ତନ ଅହରହଃ ସାଧିତ ହେଉଅଛି । ତେବେ ଆଦିମ ଯୁଗରେ ଏହି ପରିବର୍ତ୍ତନ ଯେତେ ସୁଦୂରପ୍ରସାରୀ, ଯେତେ ଦ୍ରୁତ, ଯେତେ ବ୍ୟାପକଭାବରେ ସଂଘଟିର ହେଉଥିଲା, ଆଧୂନିକ ଭାଷାମାନଙ୍କରେ ବିକୃତି ଏତେ ବ୍ୟାପକ ନୁହେଁ । ଛାପାଖାନାମାନ ପ୍ରତିଷ୍ଠିତ ହେବା ଦିନରୁ ଭାଷାର ବିସ୍ତୃତି ଘଟୁଅଛି, ଲିଖନ ଓ ପଠନକ୍ଷମ ବ୍ୟକ୍ତିମାନଙ୍କର ସଂଖ୍ୟା ବୃଦ୍ଧି ପାଉଅଛି, ଭୁଲ ଲେଖା ବା ଭୁଲ ଉଚ୍ଚାରଣ ଉନ୍ନତ ସମାଜରେ ଉପ ହସିତ ହେଉଅଛି ଓ ଅଭିଧାନ ଗ୍ରନ୍ଥମାନ ପ୍ରଣୀତ ହେବାଦ୍ୱାରା ଭାଷାର ମାନ ନିର୍ଦ୍ଧିଷ୍ଟ ଓ ନିୟନ୍ତ୍ରିତ ହେଉଅଛି । ତେଣୁ ବର୍ତ୍ତମାନ ପରିବର୍ତ୍ତନ ଓ ବିକାରର ଅବସର ଥିଲେ ମଧ୍ୟ ତାହାର ଗତି ଅତି କ୍ଷୀଣ ଓ କେବଳ ଅନୂସନ୍ଧିତ୍ସୁ ପାଠକମାନେ ଏହି ବିକୃତିକୁ ଯଥାଯଥ ଭାବରେ ଉପଲବ୍ଧି କରି ପାରିବେ ।

ଲିପି ବା ଅକ୍ଷର :- ଉପସ୍ଥିତ ଲୋକ ସହିତ କଥାବାର୍ତ୍ତା କରିବା ନିମନ୍ତେ ଧ୍ୱନିର ଅର୍ଥସୂଚକ ବ୍ୟବହାର ଅତି ପୂରାତନ କାଳରୁ ପ୍ରଚଳିତ ହୋଇଥିଲା, କିନ୍ତୁ ଭାଷାର ବ୍ୟବହାର କ୍ରମଶଃ ପ୍ରସାର ଲାଭ କରିବାରୁ ଓ ଦୂରସ୍ଥିତ ଲୋକମାନଙ୍କ ସହିତ ଭାବର ଆଦାନପ୍ରଦାନ ସହଜସାଧ୍ୟ କରିବା ନିମନ୍ତେ ଲିପି ବା ଅକ୍ଷରର ପ୍ରୟୋଜନ ଅନୂଭୂତ ହୋଇଥିଲା ଓ ବିଭିନ୍ନ ଦେଶରେ ବିଭିନ୍ନ ସମୟରେ ବିଭିନ୍ନ ଅକ୍ଷର ସୃଷ୍ଟ ହୋଇ ବର୍ଣ୍ଣ ମାନଙ୍କର ରୂପ ନିର୍ଦ୍ଧିଷ୍ଟ କରାଯାଇ ଭାଷାରେ ଲିଖନପ୍ରଣାଳୀ ଉଦ୍ଭାବିତ ହୋଇଥିଲା । କେତେକ ଭାଷାରେ (ଯଥା ଇଜିପ୍ଟ ଦେଶର)ଲେଖା ଧ୍ୱନିର ପ୍ରାୟ ସମକାଳୀନ, ଅନ୍ୟ ଅଧିକାଂଶ ଭାଷାରେ ଧ୍ୱନିଯୁକ୍ତ ଶବ୍ଦ ବ୍ୟବହାରର ବହୁ ପରବର୍ତ୍ତୀକାଳରେ ଅକ୍ଷର