ପୃଷ୍ଠା:Sarala Bhashatattwa.pdf/22

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୯
ସରଳ ଭାଷାତତ୍ତ୍ୱ

ବା ଲିପିର ପ୍ରଚଳନ ହୋଇଥିଲା, ପୁଣି ଆଧୁନିକ କେତେକ ଅନୁନ୍ନତ ଭାଷାରେ ଲିପିର ପ୍ରଚଳନ ଆଦୌ ନାହିଁ । ଲିପି ନ ଥାଇ କେବଳ ଧ୍ୱନି ସମଷ୍ଟିଯୁକ୍ତ ଭାଷାର ପ୍ରଚଳନ ବର୍ତ୍ତମାନ ମଧ୍ୟ ଦେଖାଗଲେହେଁ, ଧ୍ୱନି ନ ଥାଇ କେବଳ ଲିପିଗତ ଭାଷାର ପ୍ରଚଳନ ଆଦୌ ନାହିଁ । ଏଥିରୁ ସ୍ପଷ୍ଟ ଅନୁମାନ କରାଯାଇ ପାରେ ଯେ, ଭାଷାରେ ଧ୍ୱନିହିଁ ମୂଳ ପଦାର୍ଥ, ଲିପି ଧ୍ୱନିର ଦ୍ୟୋତକ ସଙ୍କେତ ମାତ୍ର । ଏଣୁ ଭାଷାର ଆରମ୍ଭ ଧ୍ୱନିରୁ ଓ ଲିପି କେବଳ ଧ୍ୱନିମାନଙ୍କର ରୂପକୁ ପ୍ରକାଶିତ କରିବା ନିମନ୍ତେ ପରବର୍ତ୍ତୀକାଳର ବ୍ୟବହୃତ ରୀତି ମାତ୍ର । ଆଜିକାଲି ଯେତେ ଭାଷା ସାଧାରଣତଃ ବ୍ୟବହୃତ ହୁଏ, ସେମାନଙ୍କର ଲିପିଗତ ବୈଷମ୍ୟ ଧ୍ୱନିଗତ ବୈଷମ୍ୟ ଅପେକ୍ଷା ଅନେକ ଅଧିକ ଓ ସେହି କାରଣରୁ ଦୁଇଗୋଟି ଭାଷା ମଧ୍ୟରେ ନାନା ପ୍ରକାର ସାମଞ୍ଜସ୍ୟ ଥିଲେହେଁ ଲିପିର ଅନୈକ୍ୟ ହେତୁରୁ ଭାଷା ଶିକ୍ଷା କରିବା ଅସମ୍ଭବ ହୋଇପଡ଼େ । ଯଦି ପୃଥିବୀରେ ଏକପ୍ରକାର ଲିପି ପ୍ରଚଳିତ ଥାନ୍ତା, ତେବେ ବିଭିନ୍ନ ଭାଷା ଆୟତ୍ତ କରିବା ସହଜସାଧ୍ୟ ହୋଇଥାନ୍ତା; କିନ୍ତୁ ପ୍ରତ୍ୟେକ ଭାଷାଭାଷୀ ଜାତି ନିଜର ଲିପି ବିଷୟରେ ସଜାଗ, ଏଣୁ ଏକ ଭାଷାର ପ୍ରବର୍ତ୍ତନ ଅସମ୍ଭବ ।

ଅବଶ୍ୟ କୌଣସି ଭାଷାର ଲିପି ଆଦର୍ଶସ୍ଥାନୀୟ ନୂହେଁ । ଲିପିର କାର୍ଯ୍ୟ ଧ୍ୱନିର ପାର୍ଥକ୍ୟକୁ ରୂପ ଦେବା, ଏଣୁ ପ୍ରତ୍ୟେକ ବର୍ଣ୍ଣର ପୃଥକ୍ ଧ୍ୱନିକୁ ସୁସ୍ପଷ୍ଟଭାବରେ ପ୍ରକାଶିତ କରିବା ନିମନ୍ତେ ପୃଥକ୍ ଅକ୍ଷରର ପ୍ରୟୋଜନ ହୋଇଥାଏ । ମାତ୍ର ଓଡ଼ିଆରେ ଜ ଓ ଯ ର ଉଚ୍ଚାରଣ ଏକ ହେଲେହେଁ ଦୁଇଗୋଟି ଅକ୍ଷର ବ୍ୟବହୃତ ହେଉଅଛି ଓ 'ଶ' 'ଷ' 'ସ' ମଧ୍ୟରେ ଧ୍ୱନିଗତ କୌଣସି ପାର୍ଥକ୍ୟ ଭାଷାର ବ୍ୟବହାର ସମୟରେ ଅନୁଭୂତ ନ ହେଉଥିଲେହେଁ ଏହି ତିନି ଅକ୍ଷର ଭାଷାରେ ସୁପ୍ରଚଳିତ । ବଙ୍ଗଳା ଭାଷାରେ ଏହିପରି ନ ଓ ଣ ର ଲିପିଗତ ପାର୍ଥକ୍ୟ ଥିଲେହେଁ ଧ୍ୱନିଗତ ପାର୍ଥକ୍ୟ ନାହିଁ ଓ ଇଂରାଜୀରେ J ଓ G, C ଓ K ପ୍ରଭୃତି ବର୍ଣ୍ଣମାନଙ୍କର ଉଚ୍ଚାରଣ ଅନେକ କ୍ଷେତ୍ରରେ ଏକାପରି ହେଲେହେଁ ଦୁଇଗୋଟି ପୃଥକ୍ ଅକ୍ଷର ବ୍ୟବହୃତ ହୋଇଥାଏ । ବୈଜ୍ଞାନିକଭାବରେ 'g' ର ଗ ଓ ଜ ଦୁଇ ପ୍ରକାର ଧ୍ୱନି ସୂଚନା କରିବା ଅସମ୍ଭବ ଓ C ଅକ୍ଷର କ ଓ ସ ଉଭୟ ଧ୍ୱନି ପ୍ରକାଶ କରିବା ନିମନ୍ତେ ସ୍ଥାନବିଶେଷରେ ବ୍ୟବହୃତ ହେଉଥିବାରୁ ଭାଷା ବ୍ୟବହାରରେ ବିଶୃଙ୍ଖଳା ଅବଶ୍ୟମ୍ଭାବୀ ।

ଆଦର୍ଶ ଲିପିର କେତେଗୁଡ଼ିଏ ଗୁଣ ଥିବା ଆବଶ୍ୟକ । ପ୍ରତ୍ୟେକ ଲିପି ଗୋଟିଏ ନିର୍ଦ୍ଦିଷ୍ଟ ଓ ସୁସ୍ପଷ୍ଟ ଧ୍ୱନି ପ୍ରକାଶିତ କରୁଥିବ, ପ୍ରତ୍ୟେକ ଲିପିର ଗୋଟିଏ ସୁସ୍ପଷ୍ଟ ଓ ଅନ୍ୟ ଲିପିମାନଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ ରୂପରେଖ ଥିବ, ପ୍ରତ୍ୟେକ ଲିପି