ପୃଷ୍ଠା:Sarala Bhashatattwa.pdf/25

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କରାଯିବାର ରୀତି ପ୍ରଚଳିତ ହୋଇଥିଲା । ଆଦିମ ଅବସ୍ଥାରେ ପ୍ରତ୍ୟେକ ବସ୍ତୁକୁ ଯଥାଯଥଭାବରେ ଚିତ୍ରିତ କରିବାର ପ୍ରୟାସ କରାଯାଉଥିଲା, କିନ୍ତୁ ପରେ ଦ୍ରୁତ ଅଙ୍କନ କରିବାର ପ୍ରୟାସରୁ ଓ ସମସ୍ତଙ୍କର ଅଙ୍କନ କରିବାର ଅପାରଗତା ହେତୁରୁ ଚିତ୍ରଗୁଡ଼ିକ ସଙ୍କେତରେ ପର୍ଯ୍ୟବସିତ ହୋଇଥିଲା । ପ୍ରଥମରେ ମନୁଷ୍ୟର ସମ୍ପୂର୍ଣ୍ଣ ଚିତ୍ର ଅଙ୍କିତ କରିବାର ରୀତି ଥିଲା, ମାତ୍ର ପରେ କ୍ରମଶଃ ଅନ୍ୟାନ୍ୟ ଇତର ପ୍ରାଣୀମାନଙ୍କଠାରୁ ମନୁଷ୍ୟର ବିଭିନ୍ନତାସୂଚକ 'ଦ୍ୱିପଦ' ଗୁଣକୁ ଆଶ୍ରୟ କରି ⅄ ଏହି ଚିତ୍ର ସାଙ୍କେତିକଭାବରେ ମନୁଷ୍ୟ ଅର୍ଥରେ ବ୍ୟବହୃତ ହେବା ସମ୍ଭବପର । ଏହିପରି ମହିଷ ବା ଗାଈର ପୂର୍ଣ୍ଣ ଚିତ୍ର ପରିବର୍ତ୍ତରେ କେବଳ ଶୃଙ୍ଗଦ୍ୱୟ ସହିତ ତ୍ରିକୋଣୀକୃତି ମୁଖ (∀), ଗୃହର ପୂର୍ଣ୍ଣ ଏବଂ ଚିତ୍ର ପରିବର୍ତ୍ତରେ କେବଳ ଘର ଚାଳର ଚିତ୍ର (M) ଅଙ୍କିତ ହେବା ସ୍ୱାଭାବିକ । ନାନା ଭାଷାର ଆଦିମ ଅବସ୍ଥାରେ ଏହିପରି ସାଙ୍କେତିକ ଚିତ୍ରର ଅଙ୍କନରୀତି ପ୍ରଚଳିତ ଥିଲା ବୋଲି ଧାରଣା କରାଯାଇ ପାରେ ।

ଇଜିପ୍ଟ ଦେଶର ଚିତ୍ରାଙ୍କନପଦ୍ଧତି ଓ ଚିତ୍ରଲିପିର ଯେଉଁ ଉଦାହରଣମାନ ଆଜିପର୍ଯ୍ୟନ୍ତ ବିଦ୍ୟମାନ ଅଛି, ସେଥିରୁ ଏହି ଚିତ୍ରମାନଙ୍କ ବିଷୟରେ ଆମ୍ଭେମାନେ କେତେକ ଜ୍ଞାନ ଲାଭ କରି ପାରୁଁ ଓ ଏହି ଇଜିପ୍ଟ ଦେଶୀୟ ରୀତି କାଳକ୍ରମେ ନାନା ଦେଶୀୟ ଭାଷାର ଲିପିରେ ପରିଣତ ହୋଇଥିଲା ବୋଲି ଭାଷାତତ୍ତ୍ୱବିତ୍‌ମାନଙ୍କର ମତ । ଭାରତୀୟ ଦେବନାଗରୀ ଲିପିମାଳା ଯେ ଏହି ଚିତ୍ରାଙ୍କନରୀତିରୁ ଫିନିସୀୟମାନଙ୍କଦ୍ୱାରା ଭାରତରେ ପ୍ରଚଳିତ ହୋଇଥିଲା ଓ ସେମାନଙ୍କ ସହିତ ସଂସ୍ପର୍ଶରେ ଆସିଥିବା ଭାରତୀୟ ମନୀଷୀମାନଙ୍କଦ୍ୱାରା କଳ୍ପିତ ହୋଇଥିଲା, ସେଥିରେ ସନ୍ଦେହ ନାହିଁ । ମାତ୍ର ଠିକ୍ କେଉଁ ସମୟରେ ଲିପିମାନ ଏପରିଭାବରେ ପ୍ରଚଳିତ ହେଲା, ସେ ବିଷୟରେ ନାନା ମତବାଦ ଦେଖାଯାଇଥାଏ ।

ଏହି ଚିତ୍ରଗୁଡ଼ିକ ସଙ୍କେତ ହେଉ ବା ପୂର୍ଣ୍ଣ ଚିତ୍ର ହେଉ, ତାହା ଗୋଟିଏ ସମ୍ପୂର୍ଣ୍ଣ ଭାବ ବା ଶବ୍ଦର ଦ୍ୟୋତକ ବୋଲି ମନେ କରାଯାଇପାରେ । ଅର୍ଥାତ୍ ଏଗୁଡ଼ିକ ଅକ୍ଷର ବା ବର୍ଣ୍ଣ ସହିତ ସମ୍ପୃକ୍ତ ନୁହନ୍ତି, ଭାବ ବା ବସ୍ତୁ ସହିତ ପ୍ରତ୍ୟକ୍ଷଭାବରେ ସମ୍ପୃକ୍ତ; ଯେପରି ⅄ ଲେଖିଲେ 'ମ' କିମ୍ବା ସେହିପରି ଧ୍ୱନି ସଙ୍କେତକୁ ନ ବୁଝାଇ 'ମନୁଷ୍ୟ' ଏହି ଭାବବସ୍ତୁକୁ ବୁଝାଉଥିଲା । ମୂଳତଃ ପ୍ରତ୍ୟେକ ଚିତ୍ର ଗୋଟିଏ ସମ୍ପୂର୍ଣ୍ଣ ଅର୍ଥଦ୍ୟୋତକ ପଦ ଓ ତାହା କୌଣସି ବସ୍ତୁର ପ୍ରତିଛବି । ଏଣୁ ଏହି ରୀତି ଯଦି ଅନୁସୃତ ହୋଇଥାନ୍ତା, ତେବେ ପୃଥିବୀର ପ୍ରତ୍ୟେକ ଲୋକ ଅନ୍ୟ ଲୋକର ଭାବକୁ ବୁଝି ପାରନ୍ତା । ଗାଈର ଗୋଟିଏ ଛବି ଆଙ୍କିଲେ ତାହା