ପୃଷ୍ଠା:Sarala Bhashatattwa.pdf/27

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ନିହିତ । ଏହି ଇତିହାସ ଅନୂଶୀଳନ କରିବା ଭାଷାତତ୍ତ୍ୱ ଜିଜ୍ଞାସୁମାନଙ୍କର ଅବଶ୍ୟ କର୍ତ୍ତବ୍ୟ ।

ଓଡ଼ିଆ ଲିପିର ସୃଷ୍ଟି: - ଆମ୍ଭମାନଙ୍କର ଓଡ଼ିଆ ଲିପି ସଂସ୍କୃତରେ ବ୍ୟବହୃତ ଲିପିରୁ ଓ ମୂଳତଃ ବ୍ରାହ୍ମୀ ଲିପିରୁ ଜାତ ହୋଇଅଛି । ଏହି ବ୍ରାହ୍ମୀ ଅକ୍ଷର ମଧ୍ୟ ଚିତ୍ରଲେଖାରୁ ଉଦ୍ଭୁତ ହୋଇଅଛି । ପ୍ରାଚୀନ ତାମ୍ରଲିପି ଓ ପ୍ରସ୍ତର ଗାତ୍ରରେ ଉତ୍କୀର୍ଣ୍ଣ ଲିପିମାନଙ୍କର ଅନୁଶୀଳନ କଲେ ଆମ୍ଭେମାନେ ଏହି ଚିତ୍ରଲେଖାର କିଞ୍ଚିତ୍ ପରିଚୟ ପାଇଥାଉଁ, ମାତ୍ର ତାହା ଅତି ସାମାନ୍ୟ । ବ୍ରାହ୍ମୀ ଲିପି କେଉଁ ସମୟରେ ଉଦ୍ଭାବିତ ହୋଇଥିଲା ଏବଂ ଚିତ୍ରରୁ ସାଙ୍କେତିକ ଅକ୍ଷରରେ ପରିଣତ ହୋଇ କିପରିଭାବରେ କ୍ରମ ବିକାଶ ବା ବିବର୍ତ୍ତନ ମଧ୍ୟ ଦେଇ ବର୍ତ୍ତମାନ ଲିପିମାନଙ୍କରେ ପର୍ଯ୍ୟବସିତ ହୋଇଅଛି, ସେସବୁର ପୂର୍ଣ୍ଣ ବିବରଣ ପାଇବା ବର୍ତ୍ତମାନ ସମ୍ଭବପର ନୁହେଁ । ମହାମହୋପାଧ୍ୟାୟ ଶାମଶାସ୍ତ୍ରୀଙ୍କ ମତରେ ଦେବତାମାନଙ୍କର ପୂଜା ପ୍ରଭୃତିରେ ବ୍ୟବହୃତ ହେଉଥିବା ନାନାପ୍ରକାର ଉପକରଣକୁ ଅନୁକରଣ କରି ପୂର୍ବେ ବ୍ରାହ୍ମୀ ଲିପିର ବିକାଶ ସାଧିତ ହୋଇଥିଲା । ପୁଣି କେତେକ ଭାଷାତତ୍ତ୍ୱବିତ୍ ପଣ୍ତିତଙ୍କ ମତରେ ମୂଳ ଫିନିସୀୟ ଲିପିରୁ ବ୍ରାହ୍ମୀ ଲିପି ଓ ଜଗତର ପ୍ରାୟ ଅନ୍ୟାନ୍ୟ ସମସ୍ତ ଲିପିର ଉଦ୍ଭବ ହୋଇଅଛି । ଇଉରୋପୀୟ ଭାଷାତତ୍ତ୍ୱବିତ୍‌ମାନଙ୍କ ମତରେ ଇଜିପ୍ଟଦେଶୀୟ ଚିତ୍ରଲେଖା ପଦ୍ଧତିରୁ ଏକ ଦିଗରେ ଫନିସୀୟ ଲିପି ଓ ତହିଁରୁ ଗ୍ରୀକ୍, ଲାଟିନ ପ୍ରଭୃତିରେ ବ୍ୟବହୃତ ରୋମକ ଲିପିମାଳା ଓ ଅନ୍ୟ ଦିଗରେ ଆର୍ମାନୀୟ ଲିପି ଓ ତହିଁରୁ ହିବ୍ରୁ, ପାରସିକ, ଭାରତୀୟ ବ୍ରାହ୍ମୀ ବା ଦେବନାଗରୀ ଲିପି ଓ ଚୀନ ଦେଶରେ ବ୍ୟବହୃତ ମୋଙ୍ଗଳ ଓ ମାନ୍‌ଚୁ ଲିପିମାନ ଉଦ୍ଭୂତ ହୋଇଅଛି । ଫିନିସୀୟ ଓ ଆର୍ମାନୀୟ ଲିପି ମଧ୍ୟରେ ପ୍ରଧାନ ପାର୍ଥକ୍ୟ ଏହି ଯେ ଫିନିସୀୟ ଲିପିମାନଙ୍କରେ ସ୍ୱରବର୍ଣ୍ଣର ମାତ୍ରାଚିହ୍ନ (ା,ି,ୁ ପ୍ରଭୃତି) ବ୍ୟବହୃତ ହୁଏ ନାହିଁ, କିନ୍ତୁ ପ୍ରାଚ୍ୟ ସମସ୍ତ ଭାଷାମାନଙ୍କରେ ଆର୍ମାନୀୟ ଭାଷାକୁ ଅନୂସରଣ କରି ମାତ୍ରାଚିହ୍ନମାନ ବ୍ୟବହୃତ ହୁଏ । ପୁଣି ସଂସ୍କୃତରେ ଯେପରି ମାତ୍ରାଚିହ୍ନ ବ୍ୟବହୃତ ହୁଏ, ଜାପାନୀ ଭାଷାରେ ମଧ୍ୟ ସେହିପରି ମାତ୍ରାଚିହ୍ନର ବ୍ୟବହାର ସୁପ୍ରଚଳିତ । ଏହି ଭାଷାର ଲିପି ମୂଳତଃ ଚୀନ ଲିପିମାଳାର ଅନୂକରଣରେ ରଚିତ ହୋଇଥିଲେହେଁ କେବୋତାଇଷି ନାମକ ଜଣେ ଜାପାନ ଦେଶବାସୀ ଭାଷାତତ୍ତ୍ୱବିତ୍ ସଂସ୍କୃତ ଚର୍ଚ୍ଚା କରି ଲିପିମାଳାର ବ୍ୟବହାର ପ୍ରବର୍ତ୍ତନ କରିବାରେ ବ୍ରତୀ ହୋଇଥିବାରୁ ଚୀନ ଭାଷାରେ ଅବ୍ୟବହୃତ ମାତ୍ରାଚିହ୍ନମାନ ଜାପାନରେ ସୁପ୍ରଚଳିତ ହୋଇଅଛି ।