ପୃଷ୍ଠା:Sarala Bhashatattwa.pdf/28

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୨୫
ସରଳ ଭାଷାତତ୍ତ୍ୱ

ଯାହାହେଉ, ବ୍ରାହ୍ମୀ ଲିପିର ଉଦ୍ଭବ ବିଷୂରେ ମତାନ୍ତର ଥିଲେହେଁ ଏହି ଲିପିକୁ ଅବଲମ୍ବନ କରି ଓଡ଼ିଆ, ବଙ୍ଗଳା, ହିନ୍ଦୀ ପ୍ରଭୃତି ଭାଷାର ଲିପି ଯେ ପ୍ରଚଳିତ ହୋଇଅଛି ଏଥିରେ ସନ୍ଦେହ ନାହିଁ । ଅଶୋକଙ୍କ ସମୟରେ ʞ ଦ୍ୱାରା 'ଅ', ∴ ଦ୍ୱାରା 'ଇ', L ଦ୍ୱାରା 'ଉ', + ଦ୍ୱାରା 'କ', Λ ‌‌ଦ୍ୱାରା 'ଗ', ď ଦ୍ୱାରା 'ଚ', Ε ବା ϵ ଦ୍ୱାରା 'ଜ', ⅄ ଦ୍ୱାରା 'ତ', ┴ ଦ୍ୱାରା 'ନ', ଓ । ଦ୍ୱାରା 'ର', ଧ୍ୱନି ସୂଚିତ ହେଉଥିଲା ଓ ଏହି ଅକ୍ଷରମାନଙ୍କ ମଧ୍ୟରୁ ଅନେକ ଗୁଡ଼ିଏ ଇଂରାଜୀ ରୋମକ ଲିପିର ମୂଳସ୍ଥାନୀୟ ଫନିସୀୟ ଲିପି ସହିତ ଅନେକାଂଶରେ ସମାନ । ମାତ୍ର ଫନିସୀୟ + ଚିହ୍ନ ଦ୍ୱାରା ଟ ଧ୍ୱନି ସୂଚିତ ହେଉଥିବା ସ୍ଥଳେ ଏହି ଚିହ୍ନଦ୍ୱାରା ଅଶୋକଙ୍କ ଲିପିରେ 'କ' ଧ୍ୱନି ସୂଚିତ ହେଉଅଛି ଓ ଫନିସୀୟ ʞ ଦ୍ୱାରା 'କ' ଧ୍ୱନି ସୂଚିତ ହେଉଥିବା ସ୍ଥଳେ ଏହି ଚିହ୍ନଦ୍ୱାରା ଅଶୋକଙ୍କ ଲିପିରେ 'ଅ' ଧ୍ୱନି ସୂଚିତ ହେଉଅଛି ଓ ଅନ୍ୟାନ୍ୟ ଲିପିମାନଙ୍କରେ ମଧ୍ୟ ଏହିପରି ପାର୍ଥକ୍ୟ ସୁପରିସ୍ଫୁଟ । ଅବଶ୍ୟ ଅଶୋକଙ୍କ ଲିପି ଯେଉଁ ସମୟରେ ବ୍ୟବହୃତ ହୋଇଥିଲା, ସେ ସମୟରେ ବୈଦିକ ଭାଷା ଅତ୍ୟନ୍ତ ଉନ୍ନତିଲାଭ କରିଥିଲା ଓ ସେଥିରୁ ପାଲି, ପ୍ରାକୃତ ପ୍ରଭୃତି ଉପଭାଷାମାନଙ୍କର ଉତ୍ପତ୍ତି ସାଧିତ ହୋଇଥିଲା; ଏଣୁ ଏହି ଲିପି ଯେ ପ୍ରାଚୀନତମ, ଏହା ବୋଲାଯାଇ ନ ପାରେ । ପ୍ରାଚୀନତମ ଭାରତୀୟ ଲିପି ବିଷୟରେ ବର୍ତ୍ତମାନ ମଧ୍ୟ ଗବେଷଣାର ଅବକାଶ ଅଛି; ମାତ୍ର ଅଶୋକଙ୍କ ପୂର୍ବବର୍ତ୍ତୀକାଳର କୌଣସି ସମ୍ପୂର୍ଣ୍ଣ ଭାରତୀୟ ଲିପି ଆଜିପର୍ଯ୍ୟନ୍ତ ଆବିଷ୍କୃତ ହୋଇ ନ ଥିବା ସ୍ଥଳେ ଗିରିନାର ଚଟାଣରେ ଲିଖିତ ଲିପିକୁ ଆମ୍ଭେମାନେ ଅତି ପ୍ରାଚୀନ ବୋଲି ମନେ କରିଥାଉଁ । କିନ୍ତୁ ଏହି ଲିପି ବ୍ୟବହାରରେ ଅନ୍ତତଃ ତିନି ହଜାର ବର୍ଷ ପୂର୍ବେ ଭାରତୀୟ ସଭ୍ୟତାର ଯେଉଁ ନମୁମାମାନ ବର୍ତ୍ତମାନ ଆବିଷ୍କୃତ ହେଉଅଛି ଓ ଭାରତୀୟ ସାହିତ୍ୟର ଯେଉଁ ଉନ୍ନତି ଓ ପ୍ରସାର ଆମ୍ଭମାନଙ୍କର ନୟନଗୋଚର ହୁଏ, ସେଥିରୁ ଏହି ଲିପି ବ୍ୟବହାରର ବହୁ ଶତାବ୍ଦୀ ପୂର୍ବେ ଅନ୍ୟ ପ୍ରକାର ଲିପି ପ୍ରଚଳିତ ଥିବା ସମ୍ଭବ । ଏହି ପ୍ରାଚୀନତମ ଲିପିର ସ୍ୱରୂପ ଆମ୍ଭମାନଙ୍କୁ ଜଣା ନାହିଁ । ବୋଧ ହୁଏ, ଏହି ପ୍ରାଚୀନତମ ଲିପିରେ ସ୍ୱର ଓ ବ୍ୟଞ୍ଜନ ବର୍ଣ୍ଣମାନ ପୃଥକ୍ ପୃଥକ୍ ଭାବରେ ଚିହ୍ନିତ ହୋଇ ନ ଥିଲା । ବୋଧ ହୁଏ ସ୍ୱରବର୍ଣ୍ଣର ଦୀର୍ଘତାସୂଚକ ପୃଥକ୍ ଲିପିର ବ୍ୟବହାର ନ ଥିଲା ଏବଂ ସ୍ୱରବର୍ଣ୍ଣମାନଙ୍କର ମାତ୍ରାଚିହ୍ନ ମଧ୍ୟ ବ୍ୟବହୃତ ହେଉ ନ ଥିଲା । ମାତ୍ର ଏସମସ୍ତ କେବଳ ଅନୁମାନ । ଏଗୁଡିକର କୌଣସି ଐତିହାସିକ ଭିତ୍ତି ନାହିଁ । ଗିରିନାର ଲିପିରେ ମାତ୍ରାର ବ୍ୟବହାର ଥିବାରୁ ତାହାର ପ୍ରାଚୀନତା ବିଷୟରେ ସନ୍ଦେହ ମଧ୍ୟ ଅନୁମାନ ଉପରେ ପ୍ରତିଷ୍ଠିତ ।