ପୃଷ୍ଠା:Sarala Bhashatattwa.pdf/29

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଯାହାହେଉ, ବର୍ତ୍ତମାନ ଓଡ଼ିଆ ଲିପିମାନ ଯେ ପୁରାତନ ଗିରନାର ଲିପି ବା ବ୍ରାହ୍ମୀ ଲିପିରୁ ଉଦ୍ଭୂତ ଏଥିରେ ସନ୍ଦେହ ନାହିଁ । ଏହି ଲିପିର କ୍ରମବିବର୍ତ୍ତନ ଆଲୋଚନା କଲେ ଆମ୍ଭେମାନେ ଭିନ୍ନ ଭିନ୍ନ ସମୟରେ ଓଡ଼ିଆ ଲିପିର ଆକୃତି ବିଷୟରେ ସ୍ଥିରସିଦ୍ଧାନ୍ତରେ ଉପନୀତ ହୋଇ ପାରିବା । ଓଡ଼ିଆ 'ଗ' ଧ୍ୱନିସୂଚକ 'ଗ' ଅକ୍ଷରର ମୂଳ ଆକାର Λ, ପରେ ଏହି ସାଙ୍କେତିକ ଚିହ୍ନଟି କ୍ରମଶଃ ବିବର୍ତ୍ତିତ ହୋଇ ଗ ରେ ପରିଣତ ହୋଇଅଛି; ଏହିପରି + ଚିହ୍ନ କ୍ରମଶଃ क କ ରେ ପରିଣତ ହୋଇଅଛି । ଦ୍ରୁତ ଉଚ୍ଚାରଣ ବା ଆଳସ୍ୟନିବନ୍ଧନ ଯେପରି ଧ୍ୱନିର ନାନା ବିକାର ବା ବିପର୍ଯ୍ୟୟ ଘଟେ, ସେହିପରି ଦ୍ରୁତ ଲିଖନ ପ୍ରୟାସରୁ ଲିପିମାନଙ୍କର ନାନା ବିବର୍ତ୍ତନ ଘଟିଅଛି, ପୁଣି ଦ୍ରାବିଡ଼ ଭାଷାର ପ୍ରଭାବରୁ ତାଳପତ୍ର ଲେଖନଦ୍ୱାରା ରେଖାଙ୍କନ ହେତୁରୁ ଓଡ଼ିଆ ଅକ୍ଷରମାନଙ୍କର ମଣ୍ତଳୀ ବ୍ୟବହାର ପ୍ରଚଳିତ ହୋଇଅଛି । ଏଣୁ ମୂଳତଃ ଏହି ଲିପି ବଙ୍ଗଳା, ହିନ୍ଦୀ ଓ ଅନ୍ୟାନ୍ୟ ଲିପି ସହିତ ଏକ ଜ୍ଞାତିଭୁକ୍ତ ହେଲେହେଁ ବର୍ତ୍ତମାନ ଓଡ଼ିଆ ଲିପି ଗୋଟିଏ ସୁସ୍ପଷ୍ଟ ଭିନ୍ନ ରୂପ ଧାରଣ କରିଅଛି ।

ପାଞ୍ଚ ସହସ୍ର ବର୍ଷ ମଧ୍ୟରେ ବ୍ରାହ୍ମୀ ଲିପିଗୁଡ଼ିକ ନାନା ପ୍ରକାରରେ ବିକୃତ ହୋଇ ଆଧୁନିକ ଓଡ଼ିଆ ଲିପିରେ ପରିଣତ ହୋଇଅଛି । ଛାପା ଅକ୍ଷର ପ୍ରବର୍ତ୍ତନପୂର୍ବରୁ ଏହି ଲିପିଗୁଡ଼ିକ ପୁଣି ଦ୍ରୁତଲିଖନ ପ୍ରୟାସରେ କରଣି ଅକ୍ଷରରେ ପରିଣତ ହେଉଥିଲା, ମାତ୍ର ଛାପାଲିପିର ବ୍ୟବହାର ସମୟରୁ କରଣି ଅକ୍ଷରମାନଙ୍କର ବ୍ୟବହାର କ୍ରମଶଃ କମିଯାଉଅଛି । କେତେକ ବିଶେଷ କ୍ଷେତ୍ରରେ ପୁଣି ଅତି ଆଧୁନିକ ସମୟରେ ଛାପା ଅକ୍ଷରର ପରିବର୍ତ୍ତନ ସାଧିତ ହୋଇଅଛି ଓ ବ୍ୟବହାର କ୍ରମରେ ନୂତନ ଅକ୍ଷରର ପ୍ରବର୍ତ୍ତନ ମଧ୍ୟ ଘଟୁଅଛି । ପ୍ରୟୋଜନ ଅନୁରୋଧରୁ ଭାଷାକୋଷରେ ୱ ଅକ୍ଷର ବ୍ୟବହୃତ ହୋଇଅଛି ଓ ସତ୍ୟବାଦୀରେ ଅନୁନାସିକ ଯୁକ୍ତାକ୍ଷର ପରିବର୍ତ୍ତରେ ଅନୁସ୍ୱାର ବ୍ୟବହାର କରିବାର ପ୍ରୟାସ ମଧ୍ୟ ହୋଇଅଛି । ଓଡ଼ିଶାର ବିଭିନ୍ନାଞ୍ଚଳରେ କେତେକ ବିଶେଷ ଲିଖନପ୍ରଣାଳୀ ବ୍ୟବହୃତ ହେଉଥିଲେହେଁ ମୂଳତଃ ଛାପା ବହିର ପ୍ରଭାବରୁ ଓଡ଼ିଆ ଲିପିର ନିରିଖ ସ୍ଥାପିତ ହୋଇଅଛି ଓ ଏହି ଲିପି ସହିତ ପ୍ରତ୍ୟେକ ଓଡ଼ିଆ ଭାଷାଭାଷୀ ସୁପରିଚିତ ।

ଓଡ଼ିଆ ଲିପି ସହିତ ଯେଉଁ ଗୋଲାକୃତି ମଣ୍ତଳ ବ୍ୟବହୃତ ହୋଇଅଛି, ତାହା ଦ୍ରାବିଡ଼ ଭାଷା ସହିତ ସଂଶ୍ରବର ଫଳ ଅଥବା ତାହା ସ୍ୱତନ୍ତ୍ରଭାବରେ ଓଡ଼ିଆ ଭାଷାରେ ଉଦ୍ଭୂତ ହୋଇଥିଲା, ତାହା ନିଶ୍ଚିତଭାବରେ ଜାଣିବାର ସୁବିଧା ବର୍ତ୍ତମାନ ନାହିଁ । ଅନେକଙ୍କ ମତରେ ଓଡ଼ିଆ ଲିପିଗୁଡ଼ିକ ତାଳପତ୍ର ଓ ଲୌହ ଲେଖନର