ପୃଷ୍ଠା:Sarala Bhashatattwa.pdf/31

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଚତୁର୍ଥ ବାମରୁ ଦକ୍ଷିଣ ଏହିପରି ରୀତିରେ ଲେଖାଯାଉଥିଲା । ଚାଷ କରିବା ସମୟରେ ବଳଦ ଯେପରି କ୍ଷେତ୍ରର ଏକ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତକୁ ଯାଏ ଓ ପୁନରାୟ ସେହି ପ୍ରାନ୍ତରୁ ପୂର୍ବ ପ୍ରାନ୍ତକୁ ଫେରି ଆସେ ଓ ପୁଣି ସେହି ପ୍ରାନ୍ତରୁ ଅନ୍ୟ ପ୍ରାନ୍ତକୁ ଗତି କରେ, ସେହିପରି ଚାଷ ପ୍ରକ୍ରିୟାର ଅନୁକରଣରେ ଲେଖା ଦକ୍ଷିଣରୁ ବାମ ଓ ବାମରୁ ଦକ୍ଷିଣକୁ ଗତି କରୁଥିଲା । ଏହି ଲିଖନଭଙ୍ଗୀ କେତେକ କାଳ ଧରି ପ୍ରଚଳିତ ଥିଲା । ପ୍ରାୟ ୨୫୦୦ ବର୍ଷ ପୂର୍ବେ ବର୍ତ୍ତମାନ ଲିଖନପ୍ରଣାଳୀ ଅନୂଯାୟୀ ବାମରୁ ଦକ୍ଷିଣକୁ ଲେଖିବାର ରୀତି ଗ୍ରୀକ୍ ଦେଶରେ ପ୍ରଚଳିତ ହେଲା । ଭାରତରେ ବ୍ରାହ୍ମୀ ଲିପିର ଲିଖନପ୍ରଣାଳୀ ବାମରୁ ଦକ୍ଷିଣକୁ ଓ ଏହି ଲିପିର ପ୍ରଥମ ଆବିଷ୍କୃତ ଲେଖା ପ୍ରାୟ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରେ ଅଥବା ଆଜିକୁ ପ୍ରାୟ ୨୩୦୦ ବର୍ଷ ପୂର୍ବରେ ପ୍ରଚଳିତ ହୋଇଥିବାରୁ ଭାରତରେ କୌଣସି ସମୟରେ ଡାହାଣରୁ ବାମକୁ ଲେଖିବାର ରୀତି ପ୍ରଚଳିତ ଥିଲା କି ନାହିଁ ତାହା ଜାଣିବାର କୌଣସି ଉପାୟ ନାହିଁ । ଅଶୋକଙ୍କ ଶିଳାଲିପି ପୂର୍ବରୁ ଭାରତୀୟ ଲିପିର କୌଣସି ପ୍ରାମାଣିକ ନିଦର୍ଶନ ନ ମିଳିବା ପର୍ଯ୍ୟନ୍ତ ଏ ବିଷୟରେ କୌଣସି ସ୍ଥିରସିଦ୍ଧାନ୍ତରେ ପହଞ୍ଚିବା ଅସମ୍ଭବ । କିନ୍ତୁ ଆରବ, ପାରସିକ ପ୍ରଭୃତି ଭାଷାରେ ପ୍ରାଚୀନକାଳରୁ ଡାହାଣରୁ ବାମକୁ ଲେଖିବା ରୀତି ଆଜି ପର୍ଯ୍ୟନ୍ତ ପ୍ରଚଳିତ ଓ ଅତି ଆଧୁନିକ ଉର୍ଦ୍ଦୁ ଭାଷାରେ ମଧ୍ୟ ଏହି ରୀତି ଅନୁସୃତ । ଚୀନ ଦେଶରେ ଉପରୁ ତଳକୁ ଲେଖିବା ରୀତି ପ୍ରଚଳିତ ଅଛି ଓ କେତେକ ଜାପାନୀ ଲେଖାରେ ମଧ୍ୟ ପୂର୍ବେ ଏହି ରୀତି ଅନୂସୃତ ହୋଇଥିଲା । ମାତ୍ର ଏ ରୀତି ସାଧାରଣତଃ ଅନ୍ୟ ଭାଷାମାନଙ୍କରେ ଦେଖାଯାଏ ନାହିଁ ।

ବାସ୍ତବରେ କୌଣସି ଲିପି ସମ୍ପୂର୍ଣ୍ଣ ବା ଆଦର୍ଶସ୍ଥାନୀୟ ନୂହେଁ । ନାନାଭାଷାରେ ବ୍ୟବହୃତ ଲିପିମାନଙ୍କରେ ନାନାପ୍ରକାର ତ୍ରୂଟି ଲକ୍ଷିତ ହୋଇଥାଏ । ଅଭ୍ୟାସବଶତଃ ଆମ୍ଭେମାନେ ଏହି ସବୁ ତ୍ରୁଟି ପ୍ରତି ଅବହିତ ହେଉନାହିଁ, କିନ୍ତୁ ଅନ୍ୟ ଭାଷାରେ ବ୍ୟବହୃତ ଶବ୍ଦମାନଙ୍କର ଅନୁଲେଖ ସମୟରେ ଏହି ସବୁ ତ୍ରୁଟି ଆମ୍ଭମାନଙ୍କର ନୟନଗୋଚର ହୋଇଥାଏ । ଯେଉଁମାନେ ଆରବୀ ଭାଷାର ଶବ୍ଦମାନଙ୍କୁ ଓଡ଼ିଆରେ ଅନୂଲିଖିତ କରିବାର ପ୍ରୟାସ କରିଥିବେ, ସେମାନେ ଏହାର ସତ୍ୟତା ଉପଲବ୍ଧି କରି ପାରିବେ । ଆଜିକାଲି ସେହି କାରଣରୁ ଏକ ଆନ୍ତର୍ଜାତିକ ଧ୍ୱନିମୂଳକ ଲିପିମାଳା ପ୍ରବର୍ତ୍ତିତ କରିବାର ଚେଷ୍ଟା କରାଯାଉଅଛି, ମାତ୍ର ତାହା ଏତେ ଜଟିଳ ଓ ସୂକ୍ଷ୍ମ ଧ୍ୱନିମାନଙ୍କର ସାଙ୍କେତିକ ରୂପରେ ପୂର୍ଣ୍ଣ ଯେ ସାଧାରଣରେ ତାହାର ପ୍ରଚଳନ ଅସମ୍ଭବ । ସେଥିରେ ପୁଣି ଲୋମକ ଲିପି ବ୍ୟବହୃତ ହୋଇଥିବାରୁ ତାହା ସାରା ପୃଥିବୀରେ ସୁପ୍ରଚଳିତ ହେବା କଷ୍ଟକର