ଉଚ୍ଚାରିତ ହୋଇଥାଏ । ଅର୍ଥାତ୍ ଶବ୍ଦଟିର ବନାନ college ହେଲେହେଁ ଏହାର ଉଚ୍ଚାରଣ 'kolej' ବୋଲି ମନେ କରାଯାଇ ପାରେ । ଅବଶ୍ୟ ଏହି 'kolej' ମଧ୍ୟ ଠିକଭାବରେ ଶବ୍ଦଟିର ଉଚ୍ଚାରଣ ପ୍ରକାଶ କରୁ ନାହିଁ; ଏଣୁ ଭାଷାତତ୍ତ୍ୱବିଦ୍ମାନେ ପୁଣି କେତେକ ମାତ୍ରା ବ୍ୟବହାରଦ୍ୱାରା ସ୍ୱରବର୍ଣ୍ଣମାନଙ୍କର ଉଚ୍ଚାରଣକୁ ନିର୍ଦ୍ଦେଶିତ କରିବାକୁ ଚେଷ୍ଟା କରନ୍ତି । ଓଡ଼ିଆ ଭାଷା ଏ ବିଷୟରେ ଅନେକ ପରିମାଣରେ ଉନ୍ନତ, କିନ୍ତୁ ଏଥିରେ ମଧ୍ୟ 'କଲେଜ'କୁ ସ୍ୱରାନ୍ତ ବୋଲି ଲେଖା ହେଲେହେଁ ହସନ୍ତ ବୋଲି ପଢ଼ାଯାଏ । ଓଡ଼ିଆରେ ଦୀର୍ଘସ୍ୱର ଓ ହ୍ରସ୍ୱସ୍ୱର ମଧ୍ୟରେ ପାର୍ଥକ୍ୟ, ତିନିଗୋଟି 'ଶ' 'ଷ' 'ସ'ର ପୃଥକ୍ ଉଚ୍ଚାରଣ, ଜ ଓ ଯର ବ୍ୟବହାର ଘେନି ଦ୍ୱନ୍ଦ ଓ ବର୍ଗ୍ୟ ଓ ଅବର୍ଗ୍ୟ ବ ର ବ୍ୟବହାରରେ ଅନିଶ୍ଚୟତା ଘେନି ଭାଷାରେ ଶବ୍ଦମାନଙ୍କର ଲିଖିତ ରୂପ ଓ ଉଚ୍ଚାରିତ ଧ୍ୱନି ମଧ୍ୟରେ ଅନେକ ସ୍ଥାନରେ ସାମଞ୍ଜସ୍ୟ ରହି ପାରେ ନାହିଁ ଓ ଏହା ଦ୍ୱାରା ଭାଷାର ବ୍ୟବହାରରେ ବିଶୃଙ୍ଖଳା ଜାତ ହେବା ସ୍ୱାଭାବିକ । ଅନେକ କ୍ଷେତ୍ରରେ ଅବଶ୍ୟ ଧ୍ୱନିକୁ ଅନୁସରଣ କରି ବନାନ ପ୍ରବର୍ତ୍ତିତ ହୋଇଅଛି ଓ ଅଜ୍ଞଲୋକଙ୍କ ମୁଖରେ 'ବିମଳା ବାବୁ' ସ୍ଥାନରେ 'ବିମ୍ବଳା ବାବୁ' ଉଚ୍ଚାରିତ ହେଉଥିବାରୁ ସେମାନଙ୍କୁ ଉପହାସ କରିବା ନିମନ୍ତେ ଆମ୍ଭେମାନେ ନାଟକାଦିରେ ବିମ୍ବଳା ବାବୁ ବୋଲି ଲେଖିଥାଉଁ । କିନ୍ତୁ 'ଅମ୍ଳ' ସ୍ଥାନରେ ଆମ୍ଭିଳାର ବ୍ୟବହାର ସୁପ୍ରଚଳିତ ଓ ଏଥିରେ ଉପହାସର ଉପାଦାନ ନାହିଁ ।
ଶବ୍ଦର ବନାନ :- ଶବ୍ଦର ବନାନ ବାସ୍ତବରେ ତାହାର ଉଚ୍ଚାରଣ ଉପରେ ନିର୍ଭର କରେ । ଏହି କାରଣରୁ ଆମ୍ଭେମାନେ କୂପର ବିକୃତିରେ କୁଅ ଲେଖୁଁ ଅର୍ଥାତ୍ କୂପରେ ବ୍ୟବହୃତ ଦୀର୍ଘସ୍ୱର ପ୍ରାକୃତ ଭାଷାରେ ଅପ୍ରଚଳିତ ହୋଇ ହ୍ରସ୍ୱ ହୋଇଯିବାରୁ ଶବ୍ଦଟିର ବନାନରେ ମଧ୍ୟ ପରିବର୍ତ୍ତନ ଘଟିଅଛି । ମାତ୍ର 'ଗାଈ' ଶବ୍ଦକୁ କେହି ଲେଖନ୍ତି 'ଗାଇ', କେହି ଲେଖନ୍ତି 'ଗାଈ' । କାରଣ ସେମାନେ ଶବ୍ଦଟିର ଉଚ୍ଚାରଣ ଅପେକ୍ଷା ଏହାର ମୂଳ ଶବ୍ଦ ସହିତ ସାମଞ୍ଜସ୍ୟ ଉପରେ ଅଧିକ ଗୁରୁତ୍ୱ ଆରୋପ କରିଥାନ୍ତି । ଏହି କାରଣରୁ ଅଭିଧାନରେ ଉଭୟ ରୂପ ପ୍ରଚଳିତ ବୋଲି ନିର୍ଦ୍ଧିଷ୍ଟ ହୋଇଅଛି । 'ପଳାସୀ ଯୁଦ୍ଧ' ଉଚ୍ଚାରଣରେ ହ୍ରସ୍ୱ 'ଇ' କାର ବ୍ୟବହୃତ ହେଉଥିଲେହେଁ ଅଧିକାଂଶଙ୍କ ମତରେ ଏଠାରେ ଦୀର୍ଘ ଈ ବ୍ୟବହାର କରିବା ସମୀଚୀନ; କାରଣ ଏହାର ସଂସ୍କୃତ ରୂପରେ ଦୀର୍ଘ ଈ ବ୍ୟବହୃତ । 'ସ୍ତ୍ରୀଲୋକ' ଶବ୍ଦରେ ଦୀର୍ଘ 'ଈ' ର ବ୍ୟବହାର ଥିଲେହେଁ ହ୍ରସ୍ୱ 'ଇ' ର ଧ୍ୱନି ସୁସ୍ପଷ୍ଟ; ଏପରି କି 'କୂପ' ଶବ୍ଦର ଉଚ୍ଚାରଣରେ ଅନେକ ସମୟରେ ଆମ୍ଭେମାନେ ହ୍ରସ୍ୱ 'ଉ'ଉଚ୍ଚାରଣ କରିଥାଉଁ । ବାସ୍ତବରେ ବନାନ ଶବ୍ଦର ଉତ୍ପତ୍ତି ଓ ଇତିହାସକୁ ଅନୁସରଣ