ପୃଷ୍ଠା:Sarala Bhashatattwa.pdf/35

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ନାହିଁ । ଯେଉଁ ସ୍ଥାନରେ ଶବ୍ଦର ଉଚ୍ଚାରଣ ପରିବର୍ତ୍ତିତ ହୋଇଅଛି; ସେଠାରେ ସାଧାରଣତଃ ବନାନ ମଧ୍ୟ ପରିବର୍ତ୍ତିତ ହୋଇଅଛି । ଏହାଦ୍ୱାରା ଓଡ଼ିଆ ଭାଷାରେ ଏକ ଶବ୍ଦର ବହୁବିଧ ରୂପ ମଧ୍ୟ ପ୍ରଚଳିତ ହୋଇଅଛି । 'ଏଇଛୁଣି' ଶବ୍ଦର ପନ୍ଦର, ଷୋଳ ପ୍ରକାର ବିଭିନ୍ନ ରୂପ ଭାଷାକୋଷରେ ଦିଆଯାଇଅଛି । ଏହା ଯେ କେବଳ ସଂସ୍କୃତମୂଳକ ଶବ୍ଦମାନଙ୍କର ବିକୃତ ରୂପ ପକ୍ଷରେ ପ୍ରଯୁଜ୍ୟ, ତାହା ନୁହେଁ; ଅନ୍ୟାନ୍ୟ ନାନା ଶବ୍ଦରେ ମଧ୍ୟ ଏହି ରୀତି ଅନୂସୃତ । ଇଂରାଜୀ magistrate ଶବ୍ଦ ଓଡ଼ିଆରେ ଉଚ୍ଚାରଣ ଭେଦରେ 'ମେଜେଷ୍ଟର', 'ମେଜେଷ୍ଟ୍ରେଟ' 'ମାଜିଷ୍ଟର' ପ୍ରଭୃତି ନାନା ରୂପରେ ପ୍ରଚଳିତ । ଉଚ୍ଚାରଣର ବିଭିନ୍ନତା ଅନୁସାରେ ଶବ୍ଦମାନଙ୍କର ବନାନ ନିୟନ୍ତ୍ରିତ ହେଉଥିବାରୁ ଓଡ଼ିଆ ଭାଷାର ଶବ୍ଦଭଣ୍ତାରକୁ ଅଯଥା ବଢ଼ାଇଦେବା ସହଜସାଧ୍ୟ ହୋଇଅଛି ।

ଶବ୍ଦର ଉପତ୍ତି:- ଭାଷାରେ ବ୍ୟବହୃତ ଶବ୍ଦମାନଙ୍କର ସମ୍ୟକ୍ ପରିଚୟ ପାଇବା ଭାଷାତତ୍ତ୍ୱବିଦ୍ ମାନଙ୍କର ପ୍ରଥମ କର୍ତ୍ତବ୍ୟ ଓ ଏହି ପରିଚୟ ନାନା ପ୍ରକାରେ ମିଳିଥାଏ । ଜଣେ ଲୋକର ପରିଚୟ ପାଇବା ନିମନ୍ତେ ଯେପରି ଆମ୍ଭେମାନେ ତାଙ୍କର ପିତା-ମାତାଙ୍କ ନାମ, ଜନ୍ମସ୍ଥାନ, ଆକୃତିଗତ ବୈଶିଷ୍ଟ୍ୟ, ପେଶା, ସନ୍ତାନ-ସନ୍ତତି ବା ଆତ୍ମୀୟ-ପରିଜନ ପ୍ରଭୃତିଙ୍କ ନାମ ଧାମ ପ୍ରଭୃତି ଜାଣିବାକୁ ଚାହୁଁ, ସେହିପରି ଗୋଟିଏ ଶବ୍ଦର ପରିଚୟ ଆମ୍ଭେମାନେ ନାନା ଦିଗରୁ ପାଇବାର ପ୍ରୟାସ କରିଥାଉଁ । ପ୍ରତ୍ୟେକ ଶବ୍ଦର ଗୋଟିଏ ଆକୃତି ଅଛି । ଆକୃତି ଯେତେବେଳେ ଧ୍ୱନି-ମୂଳାକ ହୁଏ, ତାହାକୁ ଉଚ୍ଚାରଣ ଏବଂ ଯେତେବେଳେ ରୂପମୂଳକ ହୁଏ, ତାହାକୁ ବନାନ କହନ୍ତି । ଏହି ଉଚ୍ଚାରଣ ଓ ବନାନ ଶବ୍ଦର ସାଧାରଣ ପରିଚୟ । ଶବ୍ଦ ଶିକ୍ଷା କରିବା ସମୟରେ ଲୋକେ ଶବ୍ଦମାନଙ୍କର ଏହି ସାଧାରଣ ପରିଚୟ ପାଇ ସନ୍ତୁଷ୍ଟ ରହନ୍ତି । ଏହି ସାଧାରଣ ପରିଚୟ ଭିନ୍ନ ଶବ୍ଦମାନଙ୍କର ଅର୍ଥ ସେମାନେ ଜାଣିବାକୁ ଚେଷ୍ଟା କରନ୍ତି ଓ ଶବ୍ଦମାନଙ୍କର ଅବସ୍ଥାନଦ୍ୱାରା ବା ବିନ୍ୟାସଦ୍ୱାରା ବା ସାମାନ୍ୟ ରୂପଗତ ବା ଅର୍ଥଗତ ପରିବର୍ତ୍ତନ ଦ୍ୱାରା ସେମାନେ ନିଜ ନିଜର ମନୋଭାବ ସମ୍ପୂର୍ଣ୍ଣ ଭାବରେ ବ୍ୟକ୍ତ କରି ପାରନ୍ତି । କିନ୍ତୁ ଏହା ଶବ୍ଦମାନଙ୍କର ସମ୍ପୂର୍ଣ୍ଣ ପରିଚୟ ନୁହେଁ । କୌଣସି ଶବ୍ଦ ବିଷୟରେ ସମ୍ପୂର୍ଣ୍ଣ ପରିଚୟ ପାଇବାକୁ ହେଲେ ଆମ୍ଭମାନଙ୍କୁ ପ୍ରଥମରେ ଶବ୍ଦର ଉତ୍ପତ୍ତି ବିଷୟରେ ଅବହିତ ହୋଇ ଶବ୍ଦର ଉତ୍ପତ୍ତିରୁ କ୍ରମଶଃ ତାହାର ରୂପଗତ, ଅର୍ଥଗତ, ବ୍ୟବହାରଗତ ବିକୃତି ବିଷୟରେ ଜ୍ଞାନ ଲାଭକରି ଶବ୍ଦର ଆତ୍ମୀୟମାନଙ୍କ ସହିତ ତାହାର ସମ୍ପର୍କ ନିରୂପଣ କରିବାକୁ ହେବ । ପ୍ରତ୍ୟେକ ଶବ୍ଦର ଗୋଟିଏ ଇତିହାସ ଅଛି ଓ ଏହି ଇତିହାସକୁ ଅନୁସରଣ କରି ପ୍ରତ୍ୟେକ ଶବ୍ଦକୁ ମୂଳ ରୂପଠାରୁ ଆଧୁନିକତମ ବିକୃତି ପର୍ଯ୍ୟନ୍ତ