ପୃଷ୍ଠା:Sarala Bhashatattwa.pdf/37

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବୈଦେଶିକ, ଦେଶଜ, ବିକୃତ, ଅବିକୃତ ପ୍ରଭୃତି ସବୁ ପ୍ରକାର ଶବ୍ଦମାନଙ୍କୁ ଆଲୋଚନା କରି ସେମାନଙ୍କର ଉତ୍ପତ୍ତିମୂଳକ, ଅର୍ଥଦ୍ୟୋତକ ଧାତୁ କଳ୍ପନା କରିଅଛନ୍ତି ଓ ଏହା ସଂସ୍କୃତ ବ୍ୟାକରଣର ଏକ ବିଶେଷ ଅଙ୍ଗ ବୋଲି ପରିଗଣିତ ହେଉଅଛି । କିନ୍ତୁ ବାସ୍ତବରେ ଅନେକଗୁଡ଼ିଏ ଧାତୁ କଳ୍ପିତ ଓ ଶବ୍ଦଗୁଡ଼ିକ ସେହି ଧାତୁରୁ ବାସ୍ତବରେ ଉତ୍ପନ୍ନ ନୁହନ୍ତି । ପ୍ରକୃତରେ ପ୍ରଥମେ ଶବ୍ଦର ବ୍ୟବହାର ପରେ ଶବ୍ଦର ବିଶ୍ଳେଷଣରୁ ଧାତୁର କଳ୍ପନା ଓ ପୁଣି ଏକ ଧାତୁରୁ ନୂତନ ଧାତୁର ଅନୁକୃତି ଓ ନାନା ନୂତନ ଶବ୍ଦ ଗଠନର ପ୍ରୟାସ - ଏହାହିଁ ସଂସ୍କୃତ ଶବ୍ଦର ଇତିହାସ; ମାତ୍ର ଏହି ଇତିହାସକୁ ଭୁଲିଯାଇ ପଣ୍ତିତମାନେ କେବଳ ଧାତୁକୁ ଶବ୍ଦ ଉତ୍ପତ୍ତିର ମୂଳରେ ଥିବାର ସ୍ୱୀକାର କରିଥାନ୍ତି । ଶବ୍ଦର ଅନ୍ୟ ପ୍ରକାର ଇତିହାସ ବିଷୟରେ ସେମାନେ ଅଜ୍ଞ ।

ଶବ୍ଦର ଧାତୁ ପ୍ରତ୍ୟୟ ଓ ଶବ୍ଦର ଇତିହାସ ଦୁଇଗୋଟି ଭିନ୍ନ ପଦାର୍ଥ । ଓଡ଼ିଆ ଭାଷାରେ ପ୍ରତ୍ୟେକ ଶବ୍ଦର ଧାତୁ-ପ୍ରତ୍ୟୟ କଳ୍ପନା କରିବା ଅସମ୍ଭବ ଥିବାରୁ ଓ ନାନା ବୈଦେଶିକ ଶବ୍ଦଦ୍ୱାରା ଓଡ଼ିଆ ଭାଷା ପୁଷ୍ଟ ହୋଇଥିଲେହେଁ ସଂସ୍କୃତର ଅନୁକରଣରେ ବୈଦେଶିକ ଶବ୍ଦମାନଙ୍କୁ ସ୍ୱୀକାର କରି ସେମାନଙ୍କର ଧାତୁ-ପ୍ରତ୍ୟୟ ଆଦି ନିରୂପଣ କରିବାର ଚେଷ୍ଟା ନ ହୋଇଥିବାରୁ ଓଡ଼ିଆ ଶବ୍ଦମାନଙ୍କର ଧାତୁ-ପ୍ରତ୍ୟୟ ଶିକ୍ଷା ନ କରି ଆମ୍ଭମାନଙ୍କୁ ସେମାନଙ୍କର ଇତିହାସ ବିଷୟରେ ଜ୍ଞାନଲାଭ କରିବାକୁ ହେବ । ଓଡ଼ିଆ 'ଗଡ଼' ଶବ୍ଦ ବାସ୍ତବରେ କୌଣସି ଧାତୁ ସହିତ କୌଣସି ପ୍ରତ୍ୟୟର ସଂଯୋଗଦ୍ୱାରା ଉତ୍ପନ୍ନ ନୁହେଁ । ଏପରି କି 'ମତି' ଶବ୍ଦ ପୂର୍ଣ୍ଣଭାବରେ ସଂସ୍କୃତ 'ମତି' ଶବ୍ଦରୁ ଗୃହୀତ ହେଲେହେଁ ଏହାର ପ୍ରତ୍ୟୟ ବିଷୟରେ ଜ୍ଞାନଲାଭ କରିବାର ଆବଶ୍ୟକତା ଅଳ୍ପ । କାରଣ ଓଡ଼ିଆରେ 'ମନ୍'+'ତି'ର ବିଶ୍ଳେଷଣ ଦ୍ୱାରା ଶବ୍ଦଟିକୁ ପୂର୍ଣ୍ଣଭାବରେ ବ୍ୟାଖ୍ୟା କରିବା ସମ୍ଭବପର ନୁହେ; କାରଣ 'ନ୍'ର ଲୋପ କେବଳ 'ତି' ପ୍ରତ୍ୟୟଦ୍ୱାରା ସମ୍ଭବପର ନୁହେଁ । ପତି, ପଂକ୍ତି, ମୁକ୍ତି, କମତି, ଚଳତି ପ୍ରଭୃତି ଅନେକ ଶବ୍ଦରେ 'ତି' ପ୍ରତ୍ୟୟ ବିଦ୍ୟମାନ; କିନ୍ତୁ ଶବ୍ଦମାନଙ୍କର ପୂର୍ଣ୍ଣରୂପରେ ଧାତୁର ଯେଉଁ ବିକାର ସାଧିତ ହୋଇଅଛି, ତାହା କେବଳ 'ତି' ପ୍ରତ୍ୟୟଦ୍ୱାରା ବ୍ୟାଖ୍ୟା କରାଯାଇ ନ ପାରେ । ପୁଣି ମୌଜା, ମୋଚି, ମଖନ, ରଫା, କାଜ ପ୍ରଭୃତି ଶବ୍ଦମାନଙ୍କର ଧାତୁ-ପ୍ରତ୍ୟୟ ନିରୂପଣ କରିବା ଅସମ୍ଭବ ଓ ଏମାନଙ୍କୁ ତଦ୍ଭବ ବା ବୈଦେଶିକ ବୋଲି ବାଦ୍ ଦେଲେ ଧାତୁ-ପ୍ରତ୍ୟୟ ଜାଣିବାର ସାର୍ଥକତା ମଧ୍ୟ ରହିଲା ନାହିଁ । ସଂସ୍କୃତରେ ପ୍ରତ୍ୟେକ ଶବ୍ଦର ଧାତୁ ପ୍ରତ୍ୟୟ ନିରୂପିତ ହୋଇଥିବାରୁ, ମୂଳ ଧାତୁର ପ୍ରତ୍ୟେକ ପ୍ରକାର ବିକାରର ବ୍ୟାଖ୍ୟା ଦିଆଯାଇଥିବାରୁ, ସଂସ୍କୃତରେ ସ୍ୱୀକୃତ ପ୍ରତ୍ୟେକ ବୈଦେଶିକ