ପୃଷ୍ଠା:Sarala Bhashatattwa.pdf/43

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଇଂରାଜିରେ ଏକ ଦିଗରେ dust, fume, door, forum ପ୍ରଭୃତି ଶବ୍ଦ ଅନ୍ୟ ଦିଗରେ ଓଡ଼ିଆ ସଂସ୍କୃତ ପ୍ରଭୃତି ଭାଷାରେ ଧୂଳି, ଧୂପ, ଧୂମ, ଧୂନି, ଦ୍ୱାର ପ୍ରଭୃତି ଶବ୍ଦ ନିଷ୍ପନ୍ନ । କିନ୍ତୁ ପରବର୍ତ୍ତୀକାଳରେ 'ଦ୍ୱାର'ର ବାସ୍ତବିକ ମୂଳ ଶବ୍ଦର ଅଜ୍ଞେୟତା ହେତୁରୁ ତାହାକୁ 'ନୃ' ଧାତୁରୁ ନିଷ୍ପନ୍ନ କରାଯିବାର ଚେଷ୍ଟା କରାଯାଇଅଛି ଓ ଧୂମ ଶବ୍ଦର ଉତ୍ପତ୍ତି 'ଧ୍ମା', ଧାତୁ ବୋଲି କଳ୍ପିର ହୋଇଅଛି । ସଂସ୍କୃତ ବ୍ୟାକରଣକାରମାନଙ୍କର ଗୌରବ ଏହି ଯେ ସଂସ୍କୃତରେ ପ୍ରଚଳିତ ପ୍ରତ୍ୟେକ ଶବ୍ଦ ସକାଶେ ସେମାନେ ଧାତୁର କଳ୍ପନା କରି ପାରିଥିଲେ ଓ ପ୍ରତ୍ୟୟଦ୍ୱାରା ଧାତୁର ପ୍ରତ୍ୟେକ ପ୍ରକାର ବିକାରର ପୂର୍ଣ୍ଣ ଓ ଯଥାଯଥ ବ୍ୟାଖ୍ୟା ମଧ୍ୟ ଦେଇ ପାରିଥିଲେ । ଏହି ଧାତୁମାନଙ୍କରୁ ପ୍ରତ୍ୟେକ ଆଧୁନିକ ଭାଷାର ପ୍ରାୟ ପ୍ରତ୍ୟେକ ଶବ୍ଦ ନିଷ୍ପନ୍ନ କରାଯିବାର ସମ୍ଭାବନା ଅଛି । ଏପରି କି ଯେଉଁ ଶବ୍ଦମାନ ସ୍ପଷ୍ଟ ବୈଦେଶିକ, ସେମାନଙ୍କର ମଧ୍ୟ ସଂସ୍କୃତ ଧାତୁ ପ୍ରତ୍ୟୟଦ୍ୱାରା ଅର୍ଥ ନିର୍ଣ୍ଣୟ କରିବା ସମ୍ଭବ । ଅନ୍ୟ କୌଣସି ଭାଷାରେ ବ୍ୟାକରଣର ଏହି କାଳ୍ପନିକ ଭିତ୍ତି ଏତେ ସୁଦୃଢ଼ ଓ ବହୁବ୍ୟାପକଭାବରେ କଳ୍ପିତ ଓ ପ୍ରତିଷ୍ଠିତ ହୋଇପାରି ନାହିଁ ।

'ପୁସ୍ତକ' ଶବ୍ଦର ଉତ୍ପତ୍ତି ଆଲୋଚନା କଲେ ମଧ୍ୟ ସ୍ପଷ୍ଟ ପ୍ରତୀୟମାନ ହେବ ଯେ, ଶବ୍ଦର ବ୍ୟବହାର ହେବାର ବହୁପରବର୍ତ୍ତୀକାଳରେ ଏହି ଶବ୍ଦଟିର ଧାତୁଗତ ଉତ୍ପତ୍ତି ନିରୂପିତ ହୋଇଥିଲା । ଲୋକେ ପ୍ରଥମରେ ପର୍ବତକନ୍ଦରରେ ବାସ କରିବା ଅବସ୍ଥାରେ ସେଥିରେ ନାନା ପ୍ରକାର ଚିତ୍ର ଅଙ୍କନ କରୁଥିଲେ, ଅନେକକାଳ ପରେ ହଠାତ୍ କେହି କୌଣସି ଗଛର ପତ୍ରରେ ଲେଖିବାର ଚେଷ୍ଟା କଲା ଓ ଏହି ପ୍ରକାର ଲିଖନପଦ୍ଧତି ଇଜିପ୍ଟ ଦେଶରେ ପ୍ରଚଳିତ ହେଲା । Papyrus ନାମକ ଗଛର ପତ୍ର ଏପ୍ରକାର ଲେଖାର ବିଶେଷ ଉପଯୋଗୀ ବୋଲି ବିବେଚିତ ହେବାରୁ ସାଧାରଣତଃ ଏହା ଏହି କାର୍ଯ୍ୟରେ ବ୍ୟବହୃତ ହେଉଥିଲା । ଲୋକେ ପେପିରସ ପତ୍ରକୁ ଯୋଡ଼ି ତହିଁରେ ଲେଖିବାର ଚେଷ୍ଟା କରୁଥିଲେ । ବହୁକାଳ ପରେ ଖ୍ରୀଷ୍ଟଜନ୍ମର ପ୍ରାୟ ଦୁଇଶତ ବର୍ଷ ପୂର୍ବେ ଆରବ ନିକଟସ୍ଥ Perganum ଦେଶରେ ଇଉମେନେସ ନାମକ ରାଜାଙ୍କର ରାଜତ୍ୱ ସମୟରେ ରାଜା ଇଜିପ୍ଟ ହେଶର ଗ୍ରନ୍ଥାଗାରର ପ୍ରତିଦ୍ୱନ୍ଦୀ ଗୋଟିଏ ବିରାଟ ଗ୍ରନ୍ଥାଗାର perganumରେ ପ୍ରତିଷ୍ଠା କରିବା ନିମନ୍ତେ ଇଚ୍ଛୁକ ହୋଇଥିଲେ । ଏଥିସକାଶେ ସେ ବହୁ ଲୋକ ନିଯୁକ୍ତ କରି ଥିଲେ, ମାତ୍ର ଇଜିପ୍ଟର ରାଜାଙ୍କ ସହିତ ତାଙ୍କର ଅସଦ୍ଭାବ ଥିବାରୁ ଓ ଇଜିପ୍ଟର ରାଜା ସ୍ୱଦେଶର ଗ୍ରନ୍ଥାଗାରର ଗୌରବ କ୍ଷୂଣ୍ଣ ହୋଇଯିବାର ଆଶଙ୍କା କରି ପେପିରସ ପତ୍ରର ଚାଲାଣ ବନ୍ଦ କରି ଦେଇଥିଲେ । କିଛିକାଳ ପର୍ଯ୍ୟନ୍ତ ଏହି ପତ୍ରର ଅଭାବରୁ Perganumରେ ଗ୍ରନ୍ଥାଗାର ପ୍ରତିଷ୍ଠାର