ପୃଷ୍ଠା:Sarala Bhashatattwa.pdf/44

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୪୧
ସରଳ ଭାଷାତତ୍ତ୍ୱ

ପରିକଳ୍ପନା ବ୍ୟର୍ଥ ହୋଇଥିଲା । ଇଉମେନେସ୍ ଏଥିବୂର୍ବରୁ ପ୍ରଚଳିତ ଚମ ଉପରେ ଲେଖିବାର ରୀତିକୁ ଉନ୍ନତ କରାଇ ନିଜର ଗ୍ରନ୍ଥାଗାର ସ୍ଥାପନର ପରିକଳ୍ପନା ସଫଳ କରି ପାରିଥିଲେ । ପ୍ରାୟ ଦୁଇ ଲକ୍ଷ ଗ୍ରନ୍ଥ ଏହିପରି ଭାବରେ ଲିଖିତ ହୋଇ ତାଙ୍କର ଗ୍ରନ୍ଥାଗାରରେ ରକ୍ଷିତ ହୋଇଥିଲା । ପରଗାନମରେ ବ୍ୟବହୃତ ଏହି ଚମର ନାମ 'ପୁସ୍ତ' ଓ ଏହି ଚମରେ ବହି ଲେଖାଯାଉଥିବାରୁ କାଳକ୍ରମେ 'ପୁସ୍ତକ' ଶବ୍ଦ ବହି ଅର୍ଥରେ ପ୍ରଚଳିତ ହୋଇଅଛି । ସଂସ୍କୃତରେ ଏହି ଶବ୍ଦଟି ବୈଦେଶିକ ଭାଷାମାନଙ୍କରୁ ଆହୃତ ହୋଇଥିଲେହେଁ ପଣ୍ତିତମାନେ ଏହାର ଧାତୁ 'ପୁସ୍ତ୍' ଓ ସେହି ଧାତୁର ଅର୍ଥ 'ଆଚ୍ଛାଦନ କରିବା' ବୋଲି କଳ୍ପନା କରିଥିଲେ । କିନ୍ତୁ ଏସମସ୍ତ ବାସ୍ତବରେ ଅନୁମାନ ମାତ୍ର, କାରଣ ବେଦରେ ପୁସ୍ତକ ଲେଖି ଜୀବିକା ଅର୍ଜନକାରୀର ଏକ ନାମ 'ପୁସ୍ତବାର୍ତ୍ତ' ଓ ଏହି ଶବ୍ଦର ବ୍ୟବହାର ଥିବା ସ୍ଥଳେ ଶବ୍ଦଟିର ପ୍ରାଚୀନତ୍ୱ ମଧ୍ୟ ସ୍ୱୀକୃତ ହୋଇ ପାରେ । ମାତ୍ର ମୂଳ ଆର୍ଯ୍ୟ ଭାଷାରେ 'ପୁସ୍ତ' ବୋଲି କୌଣସି ଧାତୁ ବ୍ୟବହୃତ ହୋଇ ନଥିଲା ଓ ଏହି ଧାତୁରୁ ଉତ୍ପନ୍ନ କୌଣସି ପଦ ଅନ୍ୟାନ୍ୟ ଆର୍ଯ୍ୟ ଭାଷାରେ ବ୍ୟବହୃତ ନ ହେଉଥିବାରୁ ଏହି ଶବ୍ଦଟି ବୈଦେଶିକ ବୋଲି ପରିଗଣିତ ହେଉଅଛି । ବେଦରେ ଏହା ଅନାର୍ଯ୍ୟ ଭାଷାରୁ ଆହୃତ ବୋଲି ମେକଡୋନାଲ୍ଡ ସାହେବଙ୍କର ମତ । ଏହିପରି 'ଲବଣ' ଶବ୍ଦଟି ବେଦରେ ବ୍ୟବହୃତ ହେଲେହେଁ (?) ଏହା ବୈଦେଶିକ ଶବ୍ଦ ବୋଲି ମାକଡୋନାଲ୍ଡଙ୍କର ମତ । ଏହି ଶବ୍ଦଟି ପ୍ରଚଳିତ ହେବା ପରେ ଏହାର ଖାଦ୍ୟ ପରିପାକଶକ୍ତିକୁ ଉପଲକ୍ଷ୍ୟ କରି ପ୍ରାଚୀନ ଆର୍ଯ୍ୟ ମୂଳ ଭାଷାରେ ପ୍ରଚଳିତ 'ଲ' ଧାତୁରୁ ଏହି ଶବ୍ଦକୁ ନିଷ୍ପନ୍ନ କରିବାର ପ୍ରୟାସ କରାଯାଇଥିଲା । ଏହି ମୂଳ 'ଲୂ' ଧାତୁ ସହିତ ଏକ ଦିଗରେ ଇଂରାଜି lose, lust, solve ପ୍ରଭୃତି ସଂପୃକ୍ତ ଓ ଅନ୍ୟ ଦିଗରେ ଏଥିରୁ ନାନା ସଂସ୍କୃତ ଶବ୍ଦ ମଧ୍ୟ ଉଦ୍ଭୂତ ।

ଭାଷାତତ୍ତ୍ୱ ଆଲୋଚନା କରିବା ସମୟରେ ଏହି କାରଣରୁ ଆମ୍ଭେମାନେ ଧାତୁ ପ୍ରତ୍ୟୟର ଅନୁଶୀଳନ ନ କରି ଶବ୍ଦର ଇତିହାସ ଆଲୋଚନା କରିବାରେ ପ୍ରବୃତ୍ତ ହେଉଁ । ଏହି ଆଲୋଚନାଦ୍ୱାରା ଆମ୍ଭେମାନେ ମୂଳଶବ୍ଦ ଓ ତହିଁର ଆକୃତିଗତ, ଅର୍ଥଗତ, ବ୍ୟବହାରଗତ ବିକୃତ ସ୍ପଷ୍ଟ ଉପଲବ୍ଧି କରି ପାରୁଁ ଏବଂ ଗୋଟିଏ ଶବ୍ଦ ସହିତ ଅନ୍ୟାନ୍ୟ ଶବ୍ଦର ସମ୍ପର୍କ ମଧ୍ୟ ନିର୍ଦ୍ଦେଶିତ କରିପାରୁଁ । ଶବ୍ଦମାନଙ୍କର କେବଳ ଧାତୁ ପ୍ରତ୍ୟୟ ନିରୂପଣ କରିବା ଯଥେଷ୍ଟ ନୁହେ, ସର୍ବାଦୌ ସେମାନଙ୍କର ଇତିହାସ ଅନୁଶୀଳନ କରିବା ବାଞ୍ଛନୀୟ । ପ୍ରତ୍ୟେକ ଭାଷାରେ ଅନେକ ଶବ୍ଦ ବହୁ ପୁରାତନ ଯୁଗରୁ ଅନ୍ୟାନ୍ୟ ଭାଷାରୁ ସଂଗୃହୀତ ହୋଇ