ପୃଷ୍ଠା:Sarala Bhashatattwa.pdf/45

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବ୍ୟବହୃତ ହେଉଅଛି । ପୁଣି ଅହରହଃ ନୂତନ ଶବ୍ଦମାନଙ୍କର ସୃଷ୍ଟି ମଧ୍ୟ ହେଉଅଛି । ଓଡ଼ିଆ ଭାଷାରେ ରାତ୍ରି, ଛତା, ପର୍ବତ, ଗଛ, ଅସ୍ଥି, ନଗର ପ୍ରଭୃତି ବହୁ ଶବ୍ଦ ସଂସ୍କୃତରୁ ଗୃହୀତ; ଷ୍ଟେସନ, ଜଜ, କିଲଟର, ମିଉନିସିପାଲିଟି ପ୍ରଭୃତି ବହୁତ ଶବ୍ଦ ଇଂରାଜିରୁ ଗୃହୀତ; ଆବାଜ, ଆମଦାନୀ, କାରଖାନା, ଖାନସମା, ଖୋରାକ ପ୍ରଭୃତି ଶବ୍ଦ ଫାରସୀ ଭାଷାରୁ ଗୃହୀତ; ଫତୁର, ଫସଲ, ମଜବୁତ,ମଜୂଦ, ମୁନାଫା ପ୍ରଭୃତି ଶବ୍ଦ ଆରବୀ ଭାଷାରୁ ଗୃହୀତ; ଆତ, ଗାମଲା, ଗୀର୍ଜା, ଚାବି ପ୍ରଭୃତି ଶବ୍ଦ ପୋର୍ଟୁଗୀଜ୍ ଭାଷାରୁ ଗୃହୀତ; ଇସ୍କାପାନ, ରୂଇତନ, ତୁରୁପ୍ ପ୍ରଭୃତି ଶବ୍ଦ ଡଚ୍ ଭାଷାରୁ ଗୃହୀତ ଓ ଅନ୍ୟାନ୍ୟ ଅନେକ ଶବ୍ଦ ହିନ୍ଦୀ, ଉର୍ଦ୍ଦୁ, ବଙ୍ଗଳା, ମରହଟ୍ଟି, ତେଲୁଗୁ ପ୍ରଭୃତି ନାନା ଭାଷାରୁ ସଂଗୃହୀତ ହୋଇଅଛି । ପୁଣି ଅନ୍ତରୀଣ, ଧୂଆଁକଳ, ପିଟୁଣି (punitive ର ଅପଭ୍ରଂଶ) ପ୍ରଭୃତି ନାନା ଶବ୍ଦ ନୂତନ ଭାବରେ ସୃଷ୍ଟ ଓ ବ୍ୟବହୃତ ହୋଇ କ୍ରମଶଃ ଭାଷାରେ ପ୍ରଚଳିତ ହେଉଅଛି । ପ୍ରୟୋଜନ ହେଲେ କେବଳ ଯେ ନୂତନ ଶବ୍ଦର ସୃଷ୍ଟି ହୋଇଥାଏ, ତାହା ନୁହେଁ; ଦୁଇ ତିନିଗୋଟି ପଦର ସମଷ୍ଟିଦ୍ୱାରା ବିଶେଷ ଅର୍ଥ ମଧ୍ୟ ପ୍ରକାଶିତ ହୋଇଥାଏ । 'ସମାଜ'ରେ ବ୍ୟବହୃତ 'ଜାହାଜମେଣ୍ଟ' ଏହିପରି ଗୋଟିଏ ପଦସମଷ୍ଟି । ଯୁଦ୍ଧ କାଳୀନ convoy ଶବ୍ଦର ଅନୁବାଦ କରିବା ନିମନ୍ତେ ଏହି ଶବ୍ଦଟି ଭାଷାରେ ପ୍ରଚଳିତ ହୋଇଅଛି ।

ଶବ୍ଦମାନଙ୍କର ଶ୍ରେଣୀବିଭାଗ ଓ ଆଲୋଚନା - ଭାଷାରେ ପ୍ରଚଳିତ ଶବ୍ଦମାନଙ୍କୁ ମୁଖ୍ୟତଃ ନାନା ଭାଗରେ ବିଭକ୍ତ କରାଯାଇ ପାରେ । କେତେଗୁଡ଼ିଏ ଶବ୍ଦ କେବଳ ଧ୍ୱନ୍ୟନୁକରଣ, ଅନ୍ୟ ଅଧିକାଂଶ ଶବ୍ଦ ବର୍ତ୍ତମାନ କେବଳ ସାଙ୍କେତିକ ଅର୍ଥାତ୍ ପୂର୍ବେ ଏହି ଶବ୍ଦମାନଙ୍କ ମଧ୍ୟରୁ କେତେକଙ୍କ ମୂଳରେ ଧ୍ୱନ୍ୟନୁକରଣ ଥିଲେହେଁ ବର୍ତ୍ତମାନ ସେଗୁଡ଼ିକ କେବଳ ବିଶିଷ୍ଟ ଅର୍ଥ ପ୍ରକାଶ କରିବା ନିମନ୍ତେ ବ୍ୟବହୃତ ହେଉଅଛନ୍ତି ଓ ସେମାନଙ୍କର ଅର୍ଥ ମଧ୍ୟ ନାନା ପ୍ରକରେ ବିପର୍ଯ୍ୟସ୍ତ ହୋଇଅଛି । କେତେଗୁଡ଼ିଏ ଶବ୍ଦ ଅନ୍ୟ ଭାଷାରୁ ଗୃହୀତ, ଅନ୍ୟ କେତେକ ଶବ୍ଦ ଦେଶରେ ବହୁକାଳରୁ ପ୍ରଚଳିତ ଅଥବା ନୂତନ ହୋଇ ସୃଷ୍ଟ । ଯେଉଁ ଶବ୍ଦଗୁଡ଼ିକ ଅପର ଭାଷାରୁ ଗୃହୀତ, ସେମାନଙ୍କର ବ୍ୟବହାରଗତ, ଅର୍ଥଗତ, ଧ୍ୱନିଗତ ବିକୃତି ସାଧିତ ହୋଇ ପାରେ ବା ସେଗୁଡ଼ିକ ଅବିକୃତ ଭାବରେ ଭାଷାରେ ବ୍ୟବହୃତ ହୋଇ ପାରନ୍ତି । ପୁଣି ଯେଉଁ ଶବ୍ଦଗୁଡ଼ିକ ନୂତନ ସୃଷ୍ଟ ହୋଇଅଛି ବା ପୂର୍ବରୁ ଭାଷାରେ ବ୍ୟବହୃତ ହେଉଅଛି, ସେ ସବୁର ମଧ୍ୟ ବିକୃତି ସାଧିତ ହୋଇ ପାରେ କିମ୍ବା ସେଗୁଡ଼ିକ ଉପରେ ମଧ୍ୟ ଅନ୍ୟ ଭାଷାର ପ୍ରଭାବ ପଡ଼ିପାରେ ଅଥବା ଅନ୍ୟ ଭାଷାରେ ବ୍ୟବହୃତ ଶବ୍ଦମାନଙ୍କର